ଶତାବ୍ଦୀର ଅନ୍ୟାୟ

ଗୌରୀ ପ୍ରସାଦ ମହାପାତ୍ର

ସଭ୍ୟ ଓ ଉନ୍ନତ ଦେଶମାନଙ୍କର ବିଳାସପୂର୍ଣ୍ଣ ଜୀବନଶୈଳୀ, ଅପରିଣାମଦର୍ଶୀ ଶିଳ୍ପାୟନ ଓ ସହରୀକରଣ ଏବଂ ପରିବେଶ-ପ୍ରତିକୂଳ ବିକାଶ ଯୋଜନାମାନ ଜଳବାୟୁକୁ କ୍ରମଶଃ ଉଗ୍ର ଓ ଅସ୍ୱାଭାବିକ କରିଚାଲିଛି । ଜଳବାୟୁର ଅସ୍ୱାଭାବିକ ପରିବର୍ତ୍ତନର ପ୍ରଭାବ ଜଳ, ସ୍ଥଳ ଆକାଶକୁ ଆଚ୍ଛାଦିତ କରିବା ସହିତ ଧରିତ୍ରୀର ଅମ୍ଳଜାନର ଉତ୍ସ ସବୁଜ ବନାନୀକୁ ଆକ୍ରାନ୍ତ କରିବା ଆରମ୍ଭ କରିଛି। ବିଡ଼ମ୍ବନା ଏହା ଯେ ନୀତି ନିର୍ଦ୍ଧାରକ ଭୂମିକାରେ ଅବତୀର୍ଣ୍ଣ ହେଉଥିବା ତଥାକଥିତ ଚିନ୍ତାଶୀଳମାନେ ବିକାଶ ନାମରେ ବିନାଶ କାର୍ଯ୍ୟକଳାପ ପ୍ରତି ନିର୍ବିକାର ହୋଇପଡ଼ୁଥିବାରୁ ଜଳବାୟୁ ସମ୍ପର୍କିତ ବିଭିନ୍ନ ବିଶ୍ୱଶୀର୍ଷ ସମ୍ମିଳନୀମାନଙ୍କରେ ପରିବେଶ ସୁରକ୍ଷା ପାଇଁ ଯେଉଁ ସଂକଳ୍ପମାନ ପାରିତ ହେଉଛି ତାହା ବାସ୍ତବତାରେ ରୂପାୟନ ହୋଇପାରୁନାହିଁ । ପ୍ରକୃତିର ଏହି ଅସ୍ୱାଭାବିକ ପରିବର୍ତ୍ତନର ପରିଣାମ ଭୋଗୁଛନ୍ତି ଅନୁନ୍ନତ ଓ ବିକାଶଶୀଳ ରାଷ୍ଟ୍ରର ଅଧିବାସୀମାନେ। ବିଶେଷକରି ସହରୀ ମଣିଷର ଏହି ପ୍ରତ୍ୟକ୍ଷ ଓ ପରୋକ୍ଷ କାର୍ଯ୍ୟରେ କ୍ଷତିଗ୍ରସ୍ତ ହେଉଛି ସବୁଜ ବନାନୀ ଏବଂ ସର୍ବାଧିକ ପ୍ରଭାବିତ ଓ ବିପନ୍ନ ହେଉଛନ୍ତି ପ୍ରକୃତିର ସେହି ଅତିଆପଣାର ଆଦିବାସୀମାନେ। ସାମ୍ପ୍ରତିକ ଜଳବାୟୁ ପରିବର୍ତ୍ତନ ଜନିତ ବିପର୍ଯ୍ୟୟ ପରିଚାଳନାରେ ଯେଉଁମାନଙ୍କର ଜ୍ଞାନକୌଶଳ ଉପଯୋଗ କରାଯାଇପାରନ୍ତା ସେମାନଙ୍କୁ କେବଳ ହତାଦର କରାଯାଉନାହିଁ, ପ୍ରକୃତିର କୋଳ ହିଁ ସେମାନଙ୍କଠାରୁ ଛଡ଼େଇ ନିଆଯାଉଛି । ନିଜ ମାଟିରେ ଆପଣାର ପରିବେଶରେ ବଞ୍ଚିବାର ଅଧିକାରରୁ ପ୍ରକୃତିର ସନ୍ତାନମାନେ ବଞ୍ଚିତ ଓ ବିସ୍ଥାପିତ ହେବାଠାରୁ ଆଉ ବଡ଼ ବିଡ଼ମ୍ବନା ସାମ୍ପ୍ରତିକ ବିଶ୍ୱ ମାନବାଧିକାର ପ୍ରସଙ୍ଗରେ ଆଉ କ’ଣ ହୋଇପାରେ?

ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା ପ୍ରସଙ୍ଗ ଆଲୋଚନା କରିବା ବେଳେ ଆଦିବାସୀମାନଙ୍କ ଅଧିକାର ସ୍ୱତଃ ପ୍ରାସଙ୍ଗିକ ହୋଇପଡ଼େ । ଆଦିବାସୀଙ୍କ ସହଭାଗିତା ଓ ସହଯୋଗିତା ବିନା ପ୍ରକୃତିର ସୁରକ୍ଷା ଓ ଜଳବାୟୁ ସମସ୍ୟାର ସମାଧାନ ଯେ ସୁଦୂର ପରାହତ ଏହା ଜାତିସଂଘ ମଧ୍ୟ ସ୍ୱୀକାର କରିଛି । ଆଦିମ ଜନଜାତିଙ୍କ ମୌଳିକ ଜ୍ଞାନର ଉପଯୋଗ ଓ ପ୍ରକୃତିର ଭାରସାମ୍ୟ ରକ୍ଷାରେ ସେମାନଙ୍କ ଅବଦାନକୁ ସ୍ୱୀକାର, ସମ୍ମାନ ଓ ସ୍ୱୀକୃତି ଦେବା ବଦଳରେ ସେମାନଙ୍କ ଅଧିକାର ଛଡ଼ାଇ ନେବାରେ ଆମ ତତ୍ପରତାକୁ ଯଦି ‘ଶତାବ୍ଦୀର ଐତିହାସିକ ଅନ୍ୟାୟ’ ଭାବେ ଅଭିହିତ କରାଯାଏ, ତେବେ ତାହା ଅତିଶୟୋକ୍ତି ହେବ ନାହିଁ ।

ଜାତିସଂଘର ତତ୍କାଳୀନ ମହାସଚିବ ବାନ୍ କି ମୁନ୍‌ଙ୍କ ମତରେ ଜଳବାୟୁ ପରବିର୍ତ୍ତନ ଜନିତ ପ୍ରଭାବ ଓ ସମସ୍ୟାକୁ ମୁକାବିଲା କରିବାରେ ଆଦିବାସୀ ବର୍ଗର ଭୂମିକା ଉଲ୍ଲେଖନୀୟ ଓ ଗୁରୁତ୍ୱପୂର୍ଣ୍ଣ ହେଲେ ହେଁ ତାହା ଏ ପର୍ଯ୍ୟନ୍ତ ସାର୍ବଜନୀନ ସ୍ୱୀକୃତି ପାଇପାରିନାହିଁ । ଭାରତବର୍ଷରେ ଏଭଳି ଅନେକ ଆଦିବାସୀ ଅଛନ୍ତି, ଯେଉଁମାନେ ପ୍ରାଣୀମାନଙ୍କର ସ୍ୱଭାବ ପରିବର୍ତ୍ତନରୁ ଜଳବାୟୁ ପରିବର୍ତ୍ତନର ନିର୍ଭୁଲ୍ ସଙ୍କେତ ପାଇପାରନ୍ତି। ଉଦାହରଣ ସ୍ୱରୂପ ତାମିଲନାଡ଼ୁ ନୀଳଗିରି ପାର୍ବତ୍ୟାଞ୍ଚଳର ତୋଡା ସମ୍ପ୍ରଦାୟ ପିମ୍ପୁଡ଼ିର ଗତିବିଧିରୁ ମୌସୁମୀର ନିର୍ଭୁଲ ଗଣନା କରିପାରୁଥିବା ଗବେଷକମାନେ ଜାଣିପାରିଛନ୍ତି। ସେହିଭଳି ଆଣ୍ଡାମାନ୍ ନିକୋବରର ଜରୱା ଜନଜାତି ମାଛମାନଙ୍କର ଆଚରଣରୁ ବାତ୍ୟା ଅନୁମାନ କୌଶଳ ପୁରୁଷ ପୁରୁଷ ଧରି ଆୟତ୍ତ କରିଛନ୍ତି । ଏଭଳି ଆହୁରି ଅନେକ ଆଦିବାସୀ ସମ୍ପ୍ରଦାୟର ପାରମ୍ପରିକ ମୌଳିକ ଜ୍ଞାନକୌଶଳରେ ଆମ ଭାରତବର୍ଷର ଜ୍ଞାନଭଣ୍ଡାର ସମୃଦ୍ଧ, ଯାହା ସାମ୍ନାରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟା ମଧ୍ୟ ନତମସ୍ତକ ହେବାକୁ ବାଧ୍ୟ ।

କେବଳ ଜଳବାୟୁ ପୂର୍ବାନୁମାନ ନୁହେଁ, ପରିବେଶ ଅନୁକୂଳ ଏବଂ ଜଳବାୟୁ ସହନଶୀଳ କୃଷି ପଦ୍ଧତିରେ ମଧ୍ୟ ଭାରତୀୟ ଆଦିବାସୀମାନେ ବିଶ୍ୱସ୍ୱୀକୃତି ପାଇବାକୁ ଯୋଗ୍ୟ । ପଶ୍ଚିମଘାଟ ପର୍ବତମାଳାର ଆଦିବାସୀମାନେ ଶସ୍ୟ ଭଣ୍ଡାରଣର ମୌଳିକ ଜ୍ଞାନକୌଶଳ ହେଉ କିମ୍ବା ପୂର୍ବଘାଟ ପର୍ବତମାଳାର ଡଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ଆଦୃତ ପାରମ୍ପରିକ ଜୈବିକ କୃଷି ଓ ପରିବେଶ ଅନୁକୂଳ କୃଷି ହେଉ, ସେ ସବୁକୁ ଆମେ ଏ ପର୍ଯ୍ୟନ୍ତ ପରିବେଶ ପରିଚାଳନା ଓ କୃଷି ବିଜ୍ଞାନରେ ସ୍ୱୀକୃତି ଦେବାରେ ଅବହେଳା କରିଛୁ, ଏହା ସ୍ୱୀକାର କରିବାକୁ ହେବ । ହିମାଚଳ ପ୍ରଦେଶର ଲାହାହୁଲ୍ ସମ୍ପ୍ରଦାୟ ଶୀତକାଳୀନ କୃଷି ପଦ୍ଧତି ଓ ସେଚ ପରିଚାଳନାରେ ପଟୁତା ହାସଲ କରିଥିବା ବେଳେ ଆସାମର ମିସିଙ୍ଗ ଜନଜାତିଠାରୁ ବନ୍ୟା ନିୟନ୍ତ୍ରଣ, ବିପର୍ଯ୍ୟୟ ପରିଚାଳନାରେ ସଂଘବଦ୍ଧ ଓ ସହଯୋଗ କୌଶଳ ବିପର୍ଯ୍ୟୟ ପ୍ରଶମନ ବିଜ୍ଞାନୀମାନେ ଶିକ୍ଷା କରିବା ଉଚିତ । ବିନା ପାଠ, ବିନା ତାଲିମ୍‌ରେ କେରଳ ଓ ତାମିଲନାଡ଼ୁର କଦର ଆଦିବାସୀ ସମ୍ପ୍ରଦାୟ ମହୁ ଓ ଔଷଧୀୟ ଗୁଳ୍ମ ଚାଷ, ମୋଘାଳୟର ଖାସି ଜନଜାତିର କୃଷିଜଙ୍ଗଲ ଯୋଜନା, ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟର ଜଙ୍ଗଲ ଓ ପ୍ରାଣୀ ସୁରକ୍ଷାରେ ଅଙ୍ଗୀକାରବଦ୍ଧତା, ଅରୁଣାଚଳ ପ୍ରଦେଶର ଆପଟାନୀ ଜନଜାତିର ସ୍ମାର୍ଟ ଜଳସେଚନ ପଦ୍ଧତି(ଯେଉଁଥିରେ ଧାନ ଓ ମାଛ ଚାଷ ହୋଇପାରେ) ଭଳି ଜ୍ଞାନକୌଶଳ ଆମ କୃଷି ବିଶ୍ୱବିଦ୍ୟାଳୟର ଗବେଷକ ଓ ବୈଜ୍ଞାନକମାନେ ଶିଖିବା ଉଚିତ। ଅପରପକ୍ଷରେ ବନବାସୀଙ୍କୁ ବିଶ୍ୱାସକୁ ନ ନେବାର ପରିଣାମ ଓଡ଼ିଶାରେ ବ୍ୟାଘ୍ର ପ୍ରକଳ୍ପର ବିଫଳତା ଏବଂ ବନାଗ୍ନି ପରିସଂଖ୍ୟାନ ବୃଦ୍ଧିରେ ପ୍ରତିଫଳିତ ହେଉଛି।

ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମାଧାନ ଓ ପରିଚାଳନାରେ ଆଦିବାସୀମାନଙ୍କୁ ଅଂଶୀଦାର କରିବା ଏବଂ ପିଢ଼ି ପରେ ପିଢ଼ି ଚାଲିଆସୁଥିବା ମୌଳିକ ଜ୍ଞାନକୌଶଳକୁ ଉପଯୋଗ କରିବା ଉପରେ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ସଂସ୍ଥା ‘ୟୁଏନ୍‌ଏଫ୍‌ସିସିସି’ ଏବଂ ‘ବାଇଓଡାଇଭରସିଟି କନ୍‌ଭେନ୍‌ସନ୍‌’ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଜଙ୍ଗଲ ପରିସଂସ୍ଥା ଓ ଜୈବବିବିଧତା ସୁରକ୍ଷାରେ ବନବାସୀଙ୍କ ଅବଦାନକୁ ପ୍ୟାରିସ୍ ଜଳବାୟୁ ଚୁକ୍ତିରେ ମଧ୍ୟ ସ୍ୱୀକୃତି ଦିଆଯାଇଛି। ଅଥଚ ଆନ୍ତରିକତା ଓ ନିଷ୍ଠାର ଅଭାବ ଯୋଗୁଁ ଏ ଦିଗରେ ଯଥେଷ୍ଟ ଅଗ୍ରଗତି ହୋଇପାରିନାହିଁ। ଅପରପକ୍ଷରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ନଦୀଝରଣା ସ୍ୱାଭାବିକତା ହରାଉଥିବା ବେଳେ ଗ୍ଲାସିୟର ତରଳିବା ଯୋଗୁଁ ସୃଷ୍ଟ ଅଦିନିଆ ବନ୍ୟା ଜନଜାତିଙ୍କ ଦ୍ୱାରା ଆଦୃତ ପାର୍ବତ୍ୟାଞ୍ଚଳ-ଜଙ୍ଗଲ କୃଷି ପ୍ରଭାବିତ ହେବା ସହିତ ସେମାନଙ୍କ ଜୀବନଜୀବିକା ଓ ମାନବିକ ଅଧିକାର କ୍ଷୁଣ୍ଣ ହେଉଛି । ବନାଗ୍ନି, ଖଣି ଖନନ, ସହରୀକରଣ, ଶିଳ୍ପାୟନ ଯୋଗୁଁ ହେକ୍ଟର ହେକ୍ଟର ଜମି ବଳି ପଡ଼ୁଥିବା ବେଳେ ପ୍ରଥମ ପ୍ରଭାବିତ ଗୋଷ୍ଠୀ ମଧ୍ୟରେ ଜନଜାତିମାନଙ୍କୁ ବିସ୍ଥାପିତ ହେବାକୁ ପଡ଼ୁଛି। କେତେବେଳେ ପୁଣି ବ୍ୟାଘ୍ର ପ୍ରକଳ୍ପ ସେମାନଙ୍କୁ ନିଜ ଭୂମିରୁ ବିତାଡ଼ିତ କରୁଛି।

 

ଗ୍ଲୋବାଲ୍ ଫରେଷ୍ଟ ୱାଚ୍‌ର ବିବରଣୀ ଅନୁଯାୟୀ ଭାରତ ୨୦୦୨-୨୦୨୩ ମଧ୍ୟରେ ପାରମ୍ପରିକ ଜଙ୍ଗଲର ୪.୧% ବା ୪,୧୪,୦୦୦ ହେକ୍ଟର ହରାଇଛି। ସମଗ୍ର ଦେଶରେ ବ୍ୟାଘ୍ର ପ୍ରକଳ୍ପ ପାଇଁ ପ୍ରାୟ ୬୪,୯୦୦ ବନବାସୀ ଉଚ୍ଛେଦ ହୋଇଥିବା ବେଳେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ପାଇଁ ୩ ଲକ୍ଷ ହେକ୍ଟରରୁ ଊର୍ଦ୍ଧ୍ୱ ଜଙ୍ଗଲ ଜମିର କିସମ ପରିବର୍ତ୍ତନ ହୋଇଛି ଏବଂ ଲକ୍ଷଲକ୍ଷ ସଂଖ୍ୟାରେ ବନବାସୀମାନେ ବିସ୍ଥାପିତ ହୋଇଛନ୍ତି। ଏହା ସେମାନଙ୍କର ଖାଦ୍ୟ ନିରାପତ୍ତା, ଜୀବନଜୀବିକା, ଚାଲଚଳଣି, ଭାଷା, ସଂସ୍କୃତିକୁ ମଧ୍ୟ ବିପନ୍ନ କରୁଛି। ଗତ କୋପ୍ ୨୯ରେ ‘ଗ୍ଲୋବାଲ୍ ଆଲାଏନ୍ସ ଅଫ୍ ଟେରିଟୋରିଆଲ୍ କମ୍ୟୁନିଟି(ଜିଏଟିସି)’ର ବନବାସୀଙ୍କ ସ୍ୱାର୍ଥ ଓ ଅଧିକାର ସ୍ୱୀକୃତି ଦାବି ଓ ସ୍ୱରକୁ ମଧ୍ୟ ଉପେକ୍ଷା କରାଯାଇଥିବା ବା ଯଥୋଚିତ ଧ୍ୟାନ ଦିଆଯାଇ ନଥିବା ଅଭିଯୋଗ ହୋଇଛି।

ଆଦିମ ଜନଜାତିଙ୍କ ବିସ୍ଥାପନ ପ୍ରସଙ୍ଗରେ ଆଲୋଚନା କଲା ବେଳେ ଜଙ୍ଗଲ ଅଧିକାର ଆଇନ-୨୦୦୬(ଏଫଆରଏ)କୁ ବାଦ୍ ଦେଇହେବ ନାହିଁ । ଜଙ୍ଗଲ ଜମି ଉପରେ ଆଦିବାସୀଙ୍କର ଅଧିକାରକୁ ବୈଧ କରିବାର ମହତ୍ ଲକ୍ଷ୍ୟରେ ପ୍ରଣୀତ ଚୂଡ଼ାନ୍ତ ଆଇନ ‘ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ(ମାନ୍ୟତା ଓ ଜଙ୍ଗଲ ଅଧିକାର)-୨୦୦୬’ ସଂକ୍ଷେପରେ ‘ଜଙ୍ଗଲ ଅଧିକାର ଆଇନ-୨୦୦୬(ଏଫ୍‌?ଆରଏ)’ ଦ୍ୱାରା ହିଁ ଅଧିକାଂଶ ବନବାସୀଙ୍କୁ ସେମାନଙ୍କ ପ୍ରକୃତି ମାଆ କୋଳରୁ ଏବେ ବିତାଡ଼ିତ କରାଯାଉଛି ।

ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ୨୦୧୯ ଫେବୃୟାରୀ ମାସ ୧୩ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେଲେ ଯେ ଜଙ୍ଗଲ ଅଧିକାର ଆଇନ ଆଧାରରେ ଯେଉଁ ଆଦିବାସୀମାନେ ଜଙ୍ଗଲ ଜମି ଉପରେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବାରେ ବିଫଳ ହୋଇଛନ୍ତି ତୁରନ୍ତ ସେମାନଙ୍କୁ ଜଙ୍ଗଲରୁ ବିସ୍ଥାପିତ କରାଯାଉ। କିନ୍ତୁ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହେବା ପରେ ରାୟର ପୁନର୍ବିଚାର ଆବେଦନକୁ ନ୍ୟାୟାଳୟ ଗ୍ରହଣ କଲେ ଏବଂ ପ୍ରତ୍ୟାଖ୍ୟାତ ଦାବିଗୁଡ଼ିକର ପୁନର୍ବିଚାର କରିବାକୁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଲେ । ଏଥିସହିତ ଜଙ୍ଗଲ ଜମିରେ ଅଧିକାର ଦାବି ଖାରଜ ହୋଇଥିବା ଜନଜାତିଙ୍କୁ ଉଚ୍ଛେଦ ରାୟ ସ୍ଥଗିତ ରହିଲା । କିନ୍ତୁ ଅଦ୍ୟାବଧି ରାଜ୍ୟ ସରକାରମାନେ ଖାରଜ ଦାବିଗୁଡ଼ିକର ପୁନଃସମୀକ୍ଷା କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବାରୁ ଆଦିମ ଜନଜାତିଙ୍କ ଜଙ୍ଗଲ ସମ୍ପଦ ଉପରେ ଅଧିକାରର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି । ବେସରକାରୀ ତଥ୍ୟ ଅନୁଯାୟୀ ୨୦୨୫ ଜାନୁଆରୀ ସୁଦ୍ଧା ୨୧ ଟି ରାଜ୍ୟରୁ ୫୧ ଲକ୍ଷ ୩ ହଜାର ବନବାସୀ ଜଙ୍ଗଲ ଜମି ଅଧିକାର ଦାବି କରିଥିବା ବେଳେ ୧୮ ଲକ୍ଷ ୫୯ ହଜାର ଦାବିକୁ ଖାରଜ କରିଦିଆଯାଇଛି ଏବଂ ୨୪ ହଜାର ୯୮ ଲକ୍ଷ ଲୋକଙ୍କୁ ପଟ୍ଟା ଦିଆଯାଇଛି ।

ଜଙ୍ଗଲ ଅଧିକାର ଆଇନ ଆଧାରରେ ଦାବିଗୁଡ଼ିକର ବିଚାର କଲା ବେଳେ କେଉଁ ପ୍ରକ୍ରିୟା ଅବଲମ୍ବନ କରାଯାଇଛି, ଆଦିବାସୀମାନଙ୍କ ସ୍ୱରକୁ ଗୁରୁତ୍ୱ ଦିଆଯାଇଛି କି ନାହିଁ ବା ପକ୍ଷ ରଖିବାକୁ ସୁଯୋଗ ଦିଆଯାଇଛି କି ନାହିଁ, ପ୍ରମାଣପତ୍ର ଯୋଗାଡ଼ ପାଇଁ ଆବଶ୍ୟକ ସମୟ ଦିଆଯାଇଛି କି ନାହିଁ, ସେମାନଙ୍କୁ ଆଇନ ବିଷୟରେ ବିସ୍ତୃତ ଭାବେ ସୂଚନା ଦିଆଯାଇଛି କି ନାହିଁ ଆଦି କେତେକ ଗୁରୁତ୍ୱପୂର୍ଣ୍ଣ ବୈଷୟିକ ଓ ବୈଧ ପ୍ରଶାସନିକ ପ୍ରକ୍ରିୟା ଉପରେ ସର୍ବୋଚ୍ଚ ଅଦାଲତ ସରକାରଙ୍କଠାରୁ ଜାଣିବାକୁ ଚାହିଁଥିଲେ । କିନ୍ତୁ ଏଥିପାଇଁ ସମ୍ପୃକ୍ତ ମନ୍ତ୍ରଣାଳୟ ଜାତୀୟସ୍ତରରେ କୌଣସି ଏକକ ନିର୍ଦ୍ଦିଷ୍ଟ ନିୟମ ବା ଏକକ ଆଧାର ପ୍ରଣୟନ କରି ନଥିବା ଏବଂ ରାଜ୍ୟମାନେ ଏଫଆରଏ ଉଦ୍ଦିଷ୍ଟ ନିୟମ ଓ ସର୍ତ୍ତାବଳୀ ଅନୁପାଳନ ନ କରି ନିଜସ୍ୱ ଢଙ୍ଗରେ ନିଜ ନିଜ ସୁବିଧା ଅନୁଯାୟୀ ଦାଖିଲ ଖାରଜ କରିଥିବା ଜଣାପଡ଼ିଥିଲା । ଜଙ୍ଗଲ ଜମି ଅଧିକାର ଦାବିର ବିଚାର କଲା ବେଳେ ସର୍ବେକ୍ଷଣରେ ତ୍ରୁଟି ରହିଥିବା, ସାଟେଲାଇଟ୍ ଚିତ୍ରର ଉପଯୁକ୍ତ ଅନୁଶୀଳନ କରା ଯାଇନଥିବା ମଧ୍ୟ ସାମ୍‌?ନାକୁ ଆସିଥିଲା । ଏପରିକି ଏହି ପ୍ରକ୍ରିୟାରେ ମୁଖ୍ୟ ଭୂମିକା ଥିବା ଗ୍ରାମସଭାକୁ ମଧ୍ୟ ସମ୍ପୂର୍ଣ୍ଣ ଉପେକ୍ଷା କରାଯାଇଥିବା ଗୁରୁତର ଅଭିଯୋଗ ଆସିଥିଲା । କେତେକ ସ୍ଥାନରେ ଭିତ୍ତିଭୂମି ବିକାଶ ଆଳରେ ବନବାସୀମାନଙ୍କୁ ଜୋରଜବରଦସ୍ତ ବିସ୍ଥାପିତ କରିଦିଆଇଥିବା ଅଭିଯୋଗ ହୋଇଛି ।

ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ କେବଳ ଓଡ଼ିଶା ପୃଷ୍ଠଭୂମିରେ ଆଲୋଚନା କରାଯାଉ । ଓଡ଼ିଶାରେ ବସବାସ କରୁଥିବା ୬୨ ପ୍ରକାରର ଜନଜାତିଙ୍କ ମଧ୍ୟରୁ ୧୩ଟି ବିଶେଷ ଭାବରେ ଦୁର୍ବଳ ବା ଅବକ୍ଷୟମୁଖୀ(ପିଭିଟିଜି) । ୨୦୧୧ ଜନଗଣନା ଅନୁଯାୟୀ, ରାଜ୍ୟର ଆଦିବାସୀ ଜନସଂଖ୍ୟା ୯୫ ଲକ୍ଷ ୯୦ ହଜାର ୭୫୬ ରହିଥିବା ବେଳେ ମୋଟ ଜନସଂଖ୍ୟାରେ ଏମାନଙ୍କ ଭାଗ ୨୨.୮୫ ପ୍ରତିଶତ । ଓଡ଼ିଶାରେ ଅଦ୍ୟାବଧି ୪.୫୬ ଲକ୍ଷ ଆଦିବାସୀଙ୍କୁ ଜଙ୍ଗଲ ଅଧିକାର ଆଇନ ବଳରେ ବ୍ୟକ୍ତିଗତ ଜମି ପଟ୍ଟା ପ୍ରଦାନ କରାଯାଇଛି । ୧୮ ହଜାର ପିଭିଟିଜି ବର୍ଗର ଜନଜାତିଙ୍କୁ ୩୧ ହଜାର ୫୪୧ ଏକର ଜଙ୍ଗର ଜମିରେ ଅଧିକାର ମିଳିଥିବା ବେଳେ ୫ ହଜାର ୮୦୭ ଗାଁକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଏବଂ ୪ ହଜାର ୨୭୮ ଗାଁକୁ ଗୋଷ୍ଠୀ ବନ ସମ୍ୱଳ ଅଧିକାର ପ୍ରଦାନ କରାଯାଇଛି । ବନବାସୀଙ୍କ ୩ ଲକ୍ଷ ୪୨ ହଜାର ୨୮୮ ଟି ଖତିଆନକୁ ସରକାରୀ ନଥିପତ୍ରରେ ରେକର୍ଡଭୁକ୍ତ କରାଯାଇଥିବା ସୂଚନା ମିଳିଛି । ୧ ଲକ୍ଷ ୪୪ ହଜାର ୧୭୫ ହଜାର ଦାବି ନାକଚ ହୋଇଛି । ଦାବି ଉପସ୍ଥାପନ କରିପାରିନଥିବା ଅନେକ ଜନଜାତିଙ୍କ ସଂଖ୍ୟା ଜଣାପଡ଼ିନାହିଁ । ଏହି ସମସ୍ୟାର ସମାଧାନ ବା ଦାବି ପ୍ରତ୍ୟାଖ୍ୟାତ ହୋଇଥିବା ଜନଜାତିଙ୍କୁ ଜଙ୍ଗଲରୁ ଉଚ୍ଛେଦ ଆଦେଶର ପୁନର୍ବିଚାର ପାଇଁ ସର୍ବୋଚ୍ଚ ନ୍ୟାୟାଳୟରେ ହୋଇଥିବା ଆବେଦନର ଶୁଣାଣି ଶେଷ ହୋଇଥିବା ବେଳେ ରାୟ ସ୍ଥଗିତ ରହିଛି । ଏହା ଉପରେ ନିର୍ଭର କରୁଛି ଆଦିମ ଜନଜାତିଙ୍କ ଜଙ୍ଗଲ ଜମି ଉପରେ ସ୍ୱତ୍ତ୍ୱାଧିକାରର ନିଶ୍ଚିତତା ଓ ଭବଷ୍ୟତ ।

ଜଙ୍ଗଲ ଜମିରେ ଅଧିକାର ସାବ୍ୟସ୍ତରେ ବିଫଳତା ଓ ସେମାନଙ୍କୁ ଉଚ୍ଛେଦ ଘଟଣା ପଛର ବହୁବିଧ କାରଣମାନଙ୍କ ମଧ୍ୟରୁ ଆଦିବାସୀମାନଙ୍କ ମଧ୍ୟରେ ଆଇନକାନୁନ୍ ସମ୍ପର୍କରେ ଅଜ୍ଞାନତା, ଡିଜିଟାଲ୍ ସାକ୍ଷରତା ଓ ସଚେତନତାର ଅଭାବ, ସୂଚନା ପ୍ରଯୁକ୍ତି ବିଦ୍ୟାର ଜଟିଳତା, ଦଲାଲ୍‌ରାଜ, ପ୍ରଶାନିକ ତ୍ରୁଟି, ଆଇନକାନୁନ୍ ତର୍ଜମାରେ ଦୁର୍ବଳତା, ରାଜନୈତିକ ପ୍ରଭାବ ଓ ଭୂମିକା ଆଦି ଅନ୍ୟତମ । ତେଣୁ ସର୍ବୋଚ୍ଚ ଅଦାଲତଙ୍କ ସ୍ଥଗିତ ରାୟ ଆଦିମ ଜନଜାତିଙ୍କ ସପକ୍ଷରେ ଆସିଲେ ମଧ୍ୟ ଯେ ତତ୍କାଳ ସେମାନଙ୍କୁ ସତ୍ତ୍ୱରେ ଅଧିକାର ମିଳିପାରିବ ତାହା ସନ୍ଦେହରୁ ଊର୍ଦ୍ଧ୍ୱକୁ ଯାଇପାରୁନାହିଁ। ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରିତାରେ ତ୍ରୁଟି କେବଳ ଆଦିମ ଜନଜାତି ବର୍ଗର ଜଙ୍ଗଲ ଜମି ଅଧିକାରକୁ କ୍ଷୁଣ୍ଣ କରୁନାହିଁ, ସେମାନଙ୍କ ଭାଷା, ସଂସ୍କୃତି, ଜୀବନଚର୍ଯ୍ୟାକୁ ପ୍ରଭାବିତ କରୁଛି। ଉଦାହରଣ ସ୍ୱରୂପ ଓଡ଼ିଶାରେ ବସବାସ କରୁଥିବା ୬୨ପ୍ରକାର ଜନଜାତି ବର୍ଗର ଲୋକ ୭୪ ପ୍ରକାର ଭାଷା କୁହନ୍ତି। ବିଶେଷଜ୍ଞମାନଙ୍କ ମତରେ ଏହି ଭାଷା ମଧ୍ୟରୁ ୧୩ଟି ବିଲୁପ୍ତପ୍ରାୟ। ସେଥିମଧ୍ୟରୁ ମହ୍ଲାର, ଜୁଆଙ୍ଗ, କିସାନ, କୋୟା, ଓରାମ, ମୁଣ୍ଡାରୀ, ସଉରା, ଗଡ଼ବା, ବଡ଼ଗଡ଼ବା, ଭୂମିଜ, ହୋ ଓ ଗୋଣ୍ଡି ଆଦି ଅନ୍ୟତମ। କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ସୂଚନା ଅନୁସାରେ ସମଗ୍ର ଦେଶରେ ୮୨ଟି ଆଦିବାସୀ ଭାଷା ବିପନ୍ନ। ଓଡ଼ିଶାରୁ ସେଥିରେ ପାଞ୍ଚଟି ଯଥା ଜୁଆଙ୍ଗ, କିସାନ, କୋୟା, ଓରାମ ଓ ସଉରା ଅନ୍ତର୍ଭୁକ୍ତ। ସରକାରୀ ତଥ୍ୟ ଅନୁସାରେ ଆଦିବାସୀ ଭାଷାଗୁଡ଼ିକ ମଧ୍ୟରୁ କେତେକ ବିଲୁପ୍ତ ହୋଇ ସାରିଥିବା ବେଳେ ଆଉ କେତେକ ଅତିଶୟ ବିପନ୍ନ ବର୍ଗରେ ରହିଛି। ସଂପୃକ୍ତ ଭାଷାଭାଷୀଙ୍କ ଜନସଂଖ୍ୟା ବିପଜ୍ଜନକ ଭାବେ କମିଗଲେ କିମ୍ବା ବିସ୍ଥାପନ ଯୋଗୁଁ ବାହ୍ୟ ସଂସ୍କୃତି ଓ ଭାଷାର ପ୍ରଭାବ ଅଧିକ ହେଲେ ଭାଷା ମରିଯାଏ। ଏ କ୍ଷେତ୍ରରେ ମଧ୍ୟ ସମାନ କାରଣ ରହିଛି । ଜାତୀୟ ଶିକ୍ଷାନୀତି ୨୦୨୦ରେ ପ୍ରାକ୍ କୌଶଳ ଓ ଶିଶୁ ଶ୍ରେଣୀଠାରୁ ଆରମ୍ଭ କରି ଉପର ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତଙ୍କୁ ମାତୃଭାଷାରେ ଶିକ୍ଷା ଦେବାର ବ୍ୟବସ୍ଥା ରହିଛି। ତେବେ ଆଦିବାସୀ ମୂଳଭାଷାର ସୁରକ୍ଷା ଓ ବିକାଶ ନ ହେଲେ ଜାତୀୟ ଶିକ୍ଷା ନୀତିର ଲକ୍ଷ୍ୟ ପୂରଣ ଅସମ୍ଭବ ମନେହୁଏ।

ଆହୁରି ମଧ୍ୟ ବେସରକାରୀ ହିସାବ ଅନୁସାରେ ଓଡ଼ିଶାରେ ଏବେ ୧୬୦ ପ୍ରକାରର ଆଦିବାସୀ ଜନଜାତି ବର୍ଗ ଓ ସମ୍ପ୍ରଦାୟ ରହିଛି, ଯେଉଁମାନେ ତଫସିଲଭୁକ୍ତ ତାଲିକାର ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ। ବିଭିନ୍ନ ସରକାରୀ ଓ ବେସରକାରୀ ସର୍ବେକ୍ଷଣ ମଧ୍ୟ ଏହାର ଯଥାର୍ଥତାକୁ ପ୍ରତିପାଦନ କରୁଛି। ଓଡ଼ିଶା ସରକାର ସେମାନଙ୍କୁ ଉପଯୁକ୍ତ ମାନ୍ୟତା ଦେବାକୁ ବିଗତ ୨୦ ବର୍ଷ ଧରି କ୍ରମାଗତ ଭାବେ ଅନୁରୋଧ କରି ଆସୁଥିଲେ ମଧ୍ୟ କେନ୍ଦ୍ର ସରକାର ଏ କ୍ଷେତ୍ରରେ ଟାଳଟୁଳ ନୀତି ପ୍ରଦର୍ଶନ କରିଆସୁଛନ୍ତି। ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସମାନ ସ୍ଥିତି। ଜଙ୍ଗଲ ଅଧିକାର ଆଇନର ତ୍ରୁଟିପୂର୍ଣ୍ଣ ରୂପାୟନ ଯୋଗୁଁ ଯଦି ଆଦିବାସୀମାନେ ପୁରୁଷ ପୁରୁଷ ଧରି ରହିଆସୁଥିବା ଭିଟାମାଟିରୁ ହିଁ ଅଧିକାର ସବୁଦିନ ପାଇଁ ହରାଇ ବସିବେ ତେବେ ଜାତିଗତ ପ୍ରମାଣପତ୍ର ପାଇଁ ଆବଶ୍ୟକ ନଥିପତ୍ର ଦାଖଲ କରିବା ଏକ ଦୁରୂହ ବ୍ୟାପାର ହୋଇପଡ଼ିବ। ଏପରିକି ସେମାନେ ଭାରତୀୟ ନାଗରିକତ୍ୱ ପ୍ରମାଣ କରିବା ପାଇଁ ଆଇନଗତ ସଂଘର୍ଷ କରୁଥିବା ସେହି ୧୯ ଲକ୍ଷ ମୂଳ ଆସାମ ବାସିନ୍ଦାଙ୍କ ପରି ସଂଘର୍ଷମୟ ଜୀବନ ଅତିବାହିତ କରିବେ। ତେଣୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ସବୁସ୍ତରରୁ ସକାରାତ୍ମକ ମିଳିତ ଉଦ୍ୟମ ହେବା ଆବଶ୍ୟକ।

ଏବେ ପୁଣି ମୂଳ ପ୍ରସଙ୍ଗକୁ ଫେରିବା। ଜଳବାୟୁ ପରିବର୍ତ୍ତନର ନକାରାତ୍ମକ ପ୍ରଭାବରୁ ଆଦିବାସୀଙ୍କ ସୁରକ୍ଷା ଏବେ ସବୁଠାରୁ ଅପରିହାର୍ଯ୍ୟ ଆବଶ୍ୟକତା। ତେଲଙ୍ଗାନାର ଜଙ୍ଗଲ ଜମି ଅଧିକାର ସମ୍ପର୍କିତ ଏକ ରାୟର ବିଚାର ଅବସରରେ ସର୍ବୋଚ୍ଚ ଅଦାଲତଙ୍କ ଖଣ୍ଡପୀଠ ୨୦୨୪ ଏପ୍ରିଲ୍ ତୃତୀୟ ସପ୍ତାହରେ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇ କହିଥିଲେ ଯେ ‘ସମ୍ୱିଧାନର ଧାରା ୪୮ (କ) ପରିବେଶର ସଂରକ୍ଷଣ, ଜଙ୍ଗଲ ଓ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଉଦ୍ଦିଷ୍ଟ। ଏହା ମଧ୍ୟ ନାଗରିକଙ୍କ ଜୀବନ ଧାରଣ ଅଧିକାର ସହିତ ସିଧାସଳଖ ଜଡ଼ିତ। ଜଳବାୟୁ ପରିବର୍ତ୍ତନର କୁପ୍ରଭାବରୁ ଅଞ୍ଚଳ ଓ ବିଶ୍ୱକୁ ସୁରକ୍ଷିତ ରଖିବାକୁ ହେଲେ ଜଙ୍ଗଲ ସୁରକ୍ଷାକୁ ପ୍ରାଥମିକତା ଦେବା ଅପରିହାର୍ଯ୍ୟ’। ଏହାର କିଛିଦିନ ପୂର୍ବରୁ, ୨୦୨୪ ଏପ୍ରିଲ୍ ପ୍ରଥମ ସପ୍ତାହରେ ଜଳବାୟୁ ପରିବର୍ତ୍ତନ ଓ ଜନଜୀବନ ଉପରେ ଏହାର କୁପ୍ରଭାବ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଉଚ୍ଚତମ ନ୍ୟାୟାଳୟ କହିଥିଲେ ଯେ ଭାରତୀୟ ସମ୍ବିଧାନରେ ନାଗରିକଙ୍କୁ ଦିଆଯାଇଥିବା ବଞ୍ଚିବାର ଅଧିକାର(ଧାରା ୨୧) ଓ ସମାନତାର ଅଧିକାର(ଧାରା ୧୪) ଅନୁଯାୟୀ ଜଳବାୟୁର କୁପ୍ରଭାବରୁ ମୁକ୍ତ ରହିବା ନାଗରିକଙ୍କ ମୌଳିକ ଅଧିକାର। ସେହିପରି ଓଡ଼ିଶା ଖଣି ନିଗମ ବନାମ ପରିବେଶ ଓ ଜଙ୍ଗଲ ବିଭାଗ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ମନ୍ତବ୍ୟ ଥିଲା – ‘ବନବାସୀମାନଙ୍କ ଦ୍ୱାରା ହିଁ ଜଙ୍ଗଲ ସଂରକ୍ଷଣ ଓ ଜଙ୍ଗଲାଞ୍ଚଳ ବୃଦ୍ଧି ସମ୍ଭବ। ଜଙ୍ଗଲ ଜମିର କିସମ ପରିବର୍ତ୍ତନ ଗ୍ରାମସଭାର ବିନା ଅନୁମୋଦନରେ ହୋଇପାରିବ ନାହିଁ ।’

ତେଣୁ ଏବେ ସର୍ବୋଚ୍ଚ ଅଦାଲତଙ୍କ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ରାୟ ଏବଂ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ ରାୟ ଦୁଇଟିକୁ ମିଶାଇ ତର୍ଜମା କରିବାର ବେଳ ଆସିଛି। ବୋଧହୁଏ ଯଦି ଜଳବାୟୁ ସମ୍ପର୍କିତ ରାୟକୁ କେନ୍ଦ୍ରରେ ରଖି ଏଫଆରଏ ରାୟକୁ ଅନୁଶୀଳନ କରାଯିବ ତେବେ ଆଦିବାସୀଙ୍କ ବିସ୍ଥାପନ ସମସ୍ୟାର ସ୍ୱତଃ ସମାଧାନ ହୋଇଯିବ ଏବଂ ଜଳବାୟୁ ପରିବର୍ତ୍ତନ ସମସ୍ୟା ଓ ବିପର୍ଯ୍ୟୟ ପ୍ରଶମନ ପରିଚାଳନା ସୁଗମ ହୋଇପାରିବ। କାରଣ ଜଙ୍ଗଲ ଅଧିକାର ଆଇନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗଣତାନ୍ତ୍ରିକ ପଦ୍ଧତିରେ ଜଙ୍ଗଲ ସମ୍ପଦ ପରିଚାଳନାର ବିକେନ୍ଦ୍ରୀକରଣ କରି ତୃଣମୂଳସ୍ତରର ଅଧିକାରକୁ ସ୍ୱୀକୃତି ଦେବାରେ ସ୍ୱଚ୍ଛତା ଅବଲମ୍ବନ କରିବା।ଜଙ୍ଗଲ ଅଧିକାର ଆଇନ ଏ କଥା ମଧ୍ୟ ସ୍ୱୀକାର କରିଛି ଯେ ଜଙ୍ଗଲ ଜୈବବିବିଧତାର ସୁରକ୍ଷାରେ ଆଦିବାସୀମାନଙ୍କର ଅବିଚ୍ଛେଦ୍ୟ ଭୂମିକା ଥିବାରୁ ସେମାନଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ଏବଂ ଜଙ୍ଗଲ ସମ୍ପଦ ଉପରେ କର୍ତ୍ତୃତ୍ୱ ପ୍ରଦାନ ଦିଗରେ ଅଗ୍ରାଧିକାର ଦେବା ବିଧେୟ। ଏହାକୁ ନୀତି ନିର୍ଦ୍ଧାରକମାନେ ସ୍ମରଣକୁ ଆଣିବା ଉଚିତ ହେବ। ଏକପକ୍ଷରେ ବିକାଶ ଆଳରେ ଜଙ୍ଗଲର କିସମ ପରିବର୍ତ୍ତନ ଏବଂ ଆଦିବାସୀଙ୍କ ବିସ୍ଥାପନ, ଅପରପକ୍ଷରେ ‘ନ୍ୟାଶ୍‌ନାଲ୍ ଆକ୍ସନ୍ ପ୍ଲାନ୍ ଅନ୍ କ୍ଲାଇମେଟ୍ ଚେଞ୍ଜ(ଏନ୍‌ଏପିସିସି)’ ଅଧୀନରେ ଜମି, କିସମ ପରିବର୍ତ୍ତନ ଓ ଜଙ୍ଗଲ କ୍ଷେତ୍ର(ଏଲ୍‌ୟୁଏଲ୍‌ୟୁସିଏଫ୍‌) ଆଧାରିତ କାର୍ଯ୍ୟକ୍ରମ ‘ନ୍ୟାଶ୍‌ନାଲ୍ ମିଶନ୍ ଫର ଗ୍ରୀନ୍ ଇଣ୍ଡିଆ(ଜିଆଇଏମ୍‌)’ ଯୋଜନା ଅନୁଶୀଳନ କଲେ ସରକାରଙ୍କ ଆଭିମୁଖ୍ୟରେ ଯେ ଏକ ବିରାଟ ବିରୋଧାଭାସ ରହିଛି ତାହା ସ୍ପଷ୍ଟ ହେଉଛି। ତେଣୁ ଏ କ୍ଷେତ୍ରରେ ମଧ୍ୟ ସ୍ପଷ୍ଟ ନୀତି ଆବଶ୍ୟ। ଜାତିସଂଘର ସହସ୍ରାବ୍ଦୀ ବିକାଶ ଲକ୍ଷ୍ୟ ହାସଲ କରିବାକୁ ହେଲେ ପ୍ରଥମେ ଶତାବ୍ଦୀର ଏହି ଅନ୍ୟାୟକୁ ଦୂର କରି ଆଦିବାସୀମାନଙ୍କର ଅଧିକାର ସୁନିଶ୍ଚିତ କରିବା ବିଧେୟ।

Gouri Prasad Mohapatra
ଗୌରୀ ପ୍ରସାଦ ମହାପାତ୍ର
Senior Researcher at  |  + posts

ଓଡ଼ିଆ ସାମ୍ବାଦିକତା ଓ ସୃଜନାତ୍ମକ କ୍ଷେତ୍ରରେ ଗୌରୀ ପ୍ରସାଦ ମହାପାତ୍ର ଏକ ସୁପରିଚିତ ନାମ। ଓଡ଼ିଆ ଭାଷାରେ ପ୍ରକାଶିତ ବିଭିନ୍ନ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ବିଗତ ୧୫ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ତାଙ୍କର ପ୍ରବନ୍ଧ ଓ ସ୍ତମ୍ଭମାନ ପ୍ରକାଶ ପାଇଆସୁଛି। ଓଡ଼ିଆ ସାହିତ୍ୟ, ସଂସ୍କୃତି, ପରମ୍ପରା, ସମସାମୟିକ ସାମାଜିକ, ଆଞ୍ଚଳିକ, ଜାତୀୟ ଓ ଅନ୍ତର୍ଜାତୀୟ ପ୍ରସଙ୍ଗ ସମେତ ରାଜନୀତି ଓ ଅର୍ଥନୀତି ବିଷୟରେ ତାଙ୍କର ବିଶ୍ଲେଷଣାତ୍ମକ ଲେଖାମାନ ଉଚ୍ଚପ୍ରଶଂସିତ ଓ ପାଠକୀୟ ଆଦୃତି ଲାଭ କରିଛି। ବାଣିଜ୍ୟରେ ସ୍ନାତକୋତ୍ତର ଓ ଏମ୍‌‌ଫିଲ୍‌‌ ଡିଗ୍ରୀ ଧାରୀ ଶ୍ରୀମହାପାତ୍ର ଏବେ ଓଡ଼ିଆ ମୁଦ୍ରଣ ଗଣମାଧ୍ୟମରେ ସକ୍ରିୟ ଅଛନ୍ତି ଏବଂ ‘ପ୍ରମେୟ’, ‘ଧରିତ୍ରୀ’, ‘ସମାଜ’ ପରି ସ୍ୱନାମଧନ୍ୟ ଖବରକାଗଜର ସମ୍ପାଦନା ବିଭାଗରେ ସୁଚାରୂ ରୂପେ କାର୍ଯ୍ୟ ସମ୍ପାଦନ କରିଛନ୍ତି। ଶତାୟୁ ଅନୁଷ୍ଠାନ ‘ସମାଜ’ରେ ସେ ଅଗ୍ରଲେଖ ଲିଖନ ଦାୟିତ୍ୱରେ ରହିବା ପରେ ଏବେ ଦୈନିକ ‘ସକାଳ’ରେ ବରିଷ୍ଠ ସହସମ୍ପାଦକ ଭାବେ ସମ୍ପାଦକୀୟ ପୃଷ୍ଠା ଦାୟିତ୍ୱରେ ଅଛନ୍ତି। ଉଚ୍ଚକୋଟୀର ସୃଜନଶୀଳତା ପାଇଁ ଶ୍ରୀମହାପାତ୍ରଙ୍କୁ ‘ପ୍ରଫେସର ଶାନ୍ତନୁ କୁମାର ଆଚାର୍ଯ୍ୟ ଫାଉଣ୍ଡେସନ୍‌‌’ ଦ୍ୱାରା ସମ୍ମାନିତ କରାଯାଇଛି।

ଭଲ ଲାଗି ପାରେ

ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ

ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ

ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା। ପ୍ରସ୍ତୁତି:...

read more

ଜଙ୍ଗଲ ଅଧିକାର ଆଇନ ସର୍ବୋପରି ଏକ ଯୁଗାନ୍ତକାରୀ ଆଇନ

ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ...

read more
‘ଉଚ୍ଛେଦ ନୁହେଁ; ଅଧିକାର ସାବ୍ୟସ୍ତ ପାଇଁ ଆସିଛି ଜଙ୍ଗଲ ଅଧିକାର ଆଇନ’: ତୁଷାର ଦାଶ

‘ଉଚ୍ଛେଦ ନୁହେଁ; ଅଧିକାର ସାବ୍ୟସ୍ତ ପାଇଁ ଆସିଛି ଜଙ୍ଗଲ ଅଧିକାର ଆଇନ’: ତୁଷାର ଦାଶ

ଦୀର୍ଘ ବର୍ଷ ଧରି ଆଦିବାସୀଙ୍କ ଉପରେ ହୋଇ ଆସୁଥିବା ଐତିହାସିକ ଅନ୍ୟାୟ ବିରୁଦ୍ଧରେ ଉଠିଥିବା ସ୍ୱରର ଫଳ ସ୍ୱରୂପ ଜନ୍ମ ନେଇଥିଲା ଜଙ୍ଗଲ ଅଧିକାର...

read more
କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ

କ୍ୟାମ୍ପେନ୍ ଫର ସରଭାଇଭାଲ ଆଣ୍ଡ ଡିଗନିଟିର କାହାଣୀ

କର୍ମୀ ପ୍ରଦୀପ ସାହୁଙ୍କ ମୁହଁରୁ.... ପ୍ରସ୍ତୁତି: ପ୍ରତିଭା ଘୋଷ‘କ୍ୟାମ୍ପନ୍ ଫର୍ ସର୍ଭାଇଭାଲ୍ ଆଣ୍ଡ ଡିଗ୍‌ନିଟି’ । ଯାହାର ଆକ୍ଷରିକ ଅର୍ଥ...

read more