ଜଙ୍ଗଲ କେବଳ ଗଛମାନଙ୍କର ଗୋଟିଏ ସମାହାର ନୁହେଁ। ଜଙ୍ଗଲ ହେଉଛି ପର୍ବତ, ଝରଣା, ବୃକ୍ଷଲତା, ଜୀବଜନ୍ତୁ ସମେତ ଜଙ୍ଗଲ ସହିତ ଯୋଡି ହୋଇରହିଥିବା ମଣିଷ, ସେମାନଙ୍କର ସଂସ୍କୃତି, ପରମ୍ପରା, ରୀତିନୀତିର ଏକ ପରିସଂସ୍ଥାନିକ ସମାହାର। ଜଙ୍ଗଲ ଓ ମଣିଷର ସମ୍ପର୍କ ଯୁଗ ଯୁଗରୁ ରହିଛି। ‘ଜଙ୍ଗଲ ସୁରକ୍ଷା’, ‘ଜଙ୍ଗଲ ପରିଚାଳନା’, ଇତ୍ୟାଦି- ଏହିସବୁ ଶବ୍ଦର ସୃଷ୍ଟି ବା ଧାରଣାର ପରିକଳ୍ପନା ପୂର୍ବରୁ ବନବାସୀମାନେ ଜଙ୍ଗଲର ଯତ୍ନ ନେଇଆସୁଛନ୍ତି ଓ ଜଙ୍ଗଲ ମଧ୍ୟ ସେମାନଙ୍କୁ ପାଳିଛି। ବନବାସୀମାନେ ହେଉଛନ୍ତି ଜଙ୍ଗଲର ପ୍ରକୃତ ସଖା। ଜଙ୍ଗଲ ହେଉଛି ସେମାନଙ୍କର ଜୀବନ, ଜୀବିକା, ସମାଜ ଓ ସଂସ୍କୃତି ଯାହାକି ପାରମ୍ପରିକ ଭାବରେ ସେମାନଙ୍କ ସହିତ ଯୋଡି ହୋଇ ରହିଛି। କିନ୍ତୁ ଔପନିବେଶିକ ଭାରତରେ ଜଙ୍ଗଲରୁ କାଠ ଆଣି ବିଭିନ୍ନ ଆବଶ୍ୟକତା ପୂରଣ କରିବାକୁ ପଡିଲା। ସେତେବେଳର ପୁରା ଭାରତବର୍ଷର ଓ ବିଦେଶର କାଠ ଉପରେ ପୁରା ଚାହିଦା ମେଣ୍ଟାଇବା ପାଇଁ ବହୁ ପରିମାଣର କାଠର ଆବଶ୍ୟକତା ପଡୁଥିଲା। ସେହିସବୁ ଆବଶ୍ୟକତାକୁ ଆଖି ଆଗରେ ରଖି ଇଂରେଜ୍ମାନେ ୧୮୬୪ ମସିହାରେ ଜଙ୍ଗଲ ପରିଚାଳନା ଓ ସୁରକ୍ଷା ନାମରେ ପ୍ରଥମେ ଜଙ୍ଗଲ ବିଭାଗ ତିଆରି କଲେ ଓ ଜଙ୍ଗଲରୁ କିପରି କାଠ ଆଣିହେବ ଓ ରାଜସ୍ୱ ଆଦାୟ କରିହେବ ସେହି ଉଦ୍ଦେଶ୍ୟରେ ଜଙ୍ଗଲ ଆଇନ ତିଆରି କଲେ। ଜଙ୍ଗଲ ପରିଚାଳନା ଓ ସୁରକ୍ଷା କରିବା ନାମରେ ୧୮୬୫ ରେ ପ୍ରଥମେ ତତ୍କାଳୀନ ଇଂରେଜ ସରକାର ଜଙ୍ଗଲକୁ ନେଇ ଆଇନ ତିଆରି କଲେ। ଯାହାର ଅନ୍ତର୍ନିହିତ ଉଦ୍ଦେଶ୍ୟ ଥିଲା ରାଜସ୍ୱ ଆଦାୟ କରିବା।
କ୍ରମେ ଏହି ଉଦ୍ଦେଶ୍ୟ ରଖି ବନବାସୀମାନଙ୍କୁ ଜବରଦଖଲକାରୀ ବୋଲି କୁହାଗଲା। ଜଙ୍ଗଲ ସଂରକ୍ଷଣ ଆଇନ ୧୯୮୦ର କଠୋର କଟକଣା ଦ୍ୱାରା ବହୁ ବନବାସୀଙ୍କୁ ଜଙ୍ଗଲ ଜମିରୁ ଉଚ୍ଛେଦ କରାଯାଇଛି। ଏହି ଉଚ୍ଛେଦ ପ୍ରକ୍ରିୟାର ପରିଣାମ ସ୍ୱରୂପ ଦେଶବ୍ୟାପୀ ବନବାସୀ ତଥା ସେମାନଙ୍କର ଲୋକଅନୁଷ୍ଠାନ ଗୁଡିକ ଦ୍ୱାରା ଘୋର ଆନ୍ଦୋଳନ ହୋଇଛି। ଶେଷରେ ସେତେବେଳେର କଂଗ୍ରେସ ସରକାରଙ୍କ ସମୟରେ ଜଙ୍ଗଲ ଅଧିକାର ଆଇନ ୨୦୦୬ ଆସିଲା।
ଜଙ୍ଗଲରେ ବାସ କରୁଥିବା ବନବାସୀମାନଙ୍କର ଅଧିକାରକୁ ନଥିଭୁକ୍ତ କରିବା ପାଇଁ ଜଙ୍ଗଲ ଅଧିକାର ଆଇନ୨୦୦୬ ତୃଣମୂଳ ସ୍ତରରେଏକ ଜାତୀୟ ଆନ୍ଦୋଳନର ଗୋଟିଏ ପ୍ରତିକ୍ରିୟା ଭାବରେ ଉଭା ହେଲା ଯାହାକି ଔପନିବେଶିକ ଶାସନ ତଥା ସ୍ୱାଧୀନତା ପରବର୍ତ୍ତୀ ଅଣଦେଖା କରାଯାଇଥିବା ଅଧିକାରକୁ ସ୍ୱୀକୃତି ଦେବା ପାଇଁ ଏକ ସୁଯୋଗ ତିଆରି ହେଲା।ଏହି ଜଙ୍ଗଲ ଅଧିକାର ଅଧିନିୟମ ବନବାସୀମାନଙ୍କ ଉପରେ ଐତିହାସିକ ଅନ୍ୟାୟକୁ ଦୂର କରିବା ସହିତ ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟକୁ ସଶକ୍ତ କରିବା ଏବଂ ସ୍ଥାୟୀ ଜଙ୍ଗଲ ପରିଚାଳନାରେ ବନବାସୀମାନଙ୍କ ଭୂମିକାକୁ ସ୍ୱୀକୃତି ଦେଇ ସଂରକ୍ଷଣ ପ୍ରୟାସକୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ଦିଷ୍ଟ।
ଜଙ୍ଗଲ ଅଧିକାର ଆଇନର ପ୍ରକୃତ ଉଦ୍ଦେଶ୍ୟ କେବଳ ବ୍ୟକ୍ତିଗତ ପଟ୍ଟା ନୁହେଁ। ଏହି ଆଇନ ହେଉଛି ଗୋଷ୍ଠୀର କ୍ଷମତାକୁ ଫେରେଇ ଦେବାର ଗୋଟିଏ ଆଇନ, ଗ୍ରାମସଭାର କ୍ଷମତାକୁ ସ୍ୱୀକାର କରି ସ୍ୱଶାସନକୁ ପ୍ରତିଷ୍ଠା କରିବା ଉଦ୍ଦେଶ୍ୟରେ, ଜଙ୍ଗଲର ପାରମ୍ପରିକ ପରିଚାଳନାକୁ ସ୍ୱୀକୃତି ଦେବା ଉଦ୍ଦେଶ୍ୟରେ, ସରକାରଙ୍କର ବିଭିନ୍ନ ତୃଟିପୂର୍ଣ୍ଣ ଜଙ୍ଗଲ ଆଇନ ଯୋଗୁଁ ବନବାସୀମାନେ ଐତିହାସିକ ଭାବରେ ଭୋଗି ଆସୁଥିବା ଅନ୍ୟାୟରୁ ମୁକ୍ତି ଦେବା ଉଦ୍ଦେଶ୍ୟରେ ଗୋଟିଏ ଲୋକଭିମୁଖୀ ଆଇନ। ଏହି ଆଇନ ଜଙ୍ଗଲ ଉପରେ ସାମୁହିକ ଅଧିକାର, ପାରମ୍ପରିକ ସଂସ୍କୃତି ଓ ଜୀବନ ଶୈଳୀର ସୁରକ୍ଷା, ଜୀବିକାର ସୁରକ୍ଷା ଓ ସାମୁହିକ ଅନୁଷ୍ଠାନର କ୍ଷମତାକୁ ସ୍ୱୀକୃତି ଦେଇଛି। ଗ୍ରାମ ସ୍ତରରୁ ଗୋଟିଏ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ପ୍ରତିଷ୍ଠା କରିବାରେ ଏହି ଆଇନ ଗୋଟିଏ ଦୃଢ ଅସ୍ତ୍ର ଭାବେ କାର୍ଯ୍ୟ କରିବାର କ୍ଷମତା ବହନ କରିଛି।
ଜଙ୍ଗଲ ଅଧିକାର ଆଇନ ବନବାସୀଙ୍କର ପାରମ୍ପରିକ ଅଧିକରଗୁଡିକୁ ଦାବି କରିବାରେ ସୁଯୋଗ ଦେଇଥାଏ। ଏହି ଆଇନ ଗ୍ରାମ ସଭାମାନଙ୍କୁ ଦାବିଗୁଡ଼ିକ ଉପରେ ନିଷ୍ପତ୍ତି ନେବା ଏବଂ ଜଙ୍ଗଲ ଅଞ୍ଚଳକୁ ପ୍ରଭାବିତ କରୁଥିବା ପ୍ରକଳ୍ପଗୁଡ଼ିକ ପାଇଁ ସମ୍ମତି ଓ ଅସମ୍ମତି ଦେବାର କ୍ଷମତା ମଧ୍ୟ ପ୍ରଦାନ କରିଥାଏ। ୨୦୧୩ ମସିହାରେ ଓଡ଼ିଶାରେ ଏହାର ଏକ ଦୃଷ୍ଟାନ୍ତ ମୂଳକ ପ୍ରତିଫଳନ ଦେଖା ଦେଇଥିଲା, ଯେତେବେଳେ ଡ଼ଙ୍ଗରିଆ କନ୍ଧମାନେ ଜଙ୍ଗଲ ଅଧିକାର ଆଇନକୁ ବ୍ୟବହାର କରି ନିୟମଗିରି ଜଙ୍ଗଲରେ ତାଙ୍କର ପବିତ୍ର ପାରମ୍ପରିକ ଆବାସସ୍ଥଳୀକୁ ହାନୀ କରୁଥିବା ବେଦାନ୍ତ ନାମକ ବକ୍ସାଇଟ୍ ଖଣି ପ୍ରକଳ୍ପକୁ ଗ୍ରାମସଭାର କ୍ଷମତାକୁ ପ୍ରୟୋଗ କରି ରୋକିଥିଲେ।
ଏହି ଆଇନର ବହୁ ଗୁରୁତ୍ୱପୂର୍ଣ୍ଣ ଓ କ୍ଷମତାପନ୍ନ ପ୍ରତିଶ୍ରୁତି ସତ୍ତ୍ୱେ, ଜଙ୍ଗଲ ଅଧିକାର ଆଇନର ନ୍ୟାୟସଙ୍ଗତ କାର୍ଯ୍ୟକାରିତା କିଛି ପ୍ରଶାସନିକ ଅବହେଳା, ରାଜନୈତିକ ଅସମ୍ମତି ଏବଂ ବ୍ୟକ୍ତିଗତ ହିତସ୍ୱାର୍ଥ ଦ୍ୱାରା ବାଧା ପାଇଛି। ୨୦୦୮ ମସିହାରେ ‘କଞ୍ଜରଭେସନ୍ ଲବି’ ସହିତ ଜଡ଼ିତକିଛି ଚରମବାଦୀ ସଂରକ୍ଷଣ ପ୍ରେମୀ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନ ଏହାର ଏକ ଜ୍ୱଳନ୍ତ ଉଦାହରଣ। ଏହି ପିଟିସନ ତ୍ରୁଟିପୂର୍ଣ୍ଣ ଭାବରେ ଦାବି କରିଥିଲା ଯେ ଜଙ୍ଗଲ ଅଧିକାର ଆଇନ ଅସାମ୍ବିଧାନିକ ଏବଂ ଅବୈଧ ଦାବିକାରୀଙ୍କୁ ପ୍ରୋତ୍ସାହନ ଦିଏ। ସେମାନଙ୍କର ଏହି ତଥାକଥିତ ଯୁକ୍ତିଗୁଡ଼ିକ ପୁରାତନ ସଂରକ୍ଷଣ ଢାଞ୍ଚା ଉପରେ ଆଧାରିତ ଥିଲା, ଯାହାକି ପ୍ରକୃତି ସହିତ ମଣିଷର ବାସ୍ତବ ସମ୍ପର୍କକୁ ସବୁବେଳେ ଅଣଦେଖା କରିଥାଏ। ସେମାନଙ୍କର ଏହି ମନଗଢା କାହାଣୀ ବନବାସୀମାନଙ୍କର ଅଧିକାର ଏବଂ ଅବଦାନକୁ ଅବମାନନା କରିଛି ଓ ତାହା ସହିତ ଉପନିବେଶୀୟ ନୀତିଗୁଡ଼ିକୁ ଉତ୍ସାହିତ କରିଛି।
‘କଞ୍ଜରଭେସନ୍ ଲବି’ର ମାମଲା ତିନୋଟି ତ୍ରୁଟିପୂର୍ଣ୍ଣ ଚତୁରତାରେ ଉପସ୍ଥାପିତ ହୋଇଛି: ଗୋଟିଏ ହେଉଛି ଜଙ୍ଗଲ ଅଧିକାର ଆଇନକୁ ଭ୍ରମିତ ବୋଲି ଆଖ୍ୟା ଦେବା,ଦ୍ୱିତୀୟଟି ହେଉଛି ଗ୍ରାମସଭାମାନଙ୍କର ଭୂମିକାକୁ ଭିତ୍ତିହୀନ ବୋଲି ଦର୍ଶାଇବା, ଏବଂ ତୃତୀୟଟି ହେଉଛି ପୁରାତନ ସଂରକ୍ଷଣ ଢାଞ୍ଚାକୁ ସମର୍ଥନ କରିବା। ସେମାନେ ଦାବି କରିଛନ୍ତି ଯେ ଗ୍ରାମସଭା ପାଖରେ ସେପରି ସାମର୍ଥ୍ୟ ନାହିଁ ଓ ସେମାନେ ଦାବିଗୁଡ଼ିକ ସମାଧାନ କରିବାରେ ଅଯୋଗ୍ୟ, କିନ୍ତୁ ପ୍ରକୃତରେ ଯେ ଦାବିଗୁଡ଼ିକର ନିଷ୍ପତ୍ତିଗୁଡ଼ିକ ଉପରସ୍ଥ କମିଟିମାନଙ୍କ ଦ୍ୱାରା ହୋଇଥାଏ ତାହା ସ୍ୱୀକାର କରିବାରେ ସେମାନେ ବିଫଳ ହୋଇଛନ୍ତି। ପ୍ରକୃତ କଥା ହେଉଛି ଯେ, ଜଙ୍ଗଲ ଅଧିକାର ଆଇନ ପୂର୍ବରୁ ରହି ଆସିଥିବା ପାରମ୍ପରିକ ଅଧିକାରଗୁଡ଼ିକୁ ସ୍ୱୀକାର କରେ ଏବଂ ଐତିହାସିକ ଅନ୍ୟାୟଗୁଡ଼ିକୁ ସଂଶୋଧନ କରିବାକୁ ଚେଷ୍ଟା କରେ। ଅଧିକନ୍ତୁ, ‘କଞ୍ଜରଭେସନ୍ ଲବି’ର ପିଟିସନ ଏକ କଠୋର ସଂରକ୍ଷଣ ନୀତିକୁ ପ୍ରୋତ୍ସାହନ ଦେଇଛି ଯେଉଁ ନୀତିକି ବନବାସୀମାନଙ୍କୁ ପ୍ରକୃତିରୁ ଭିନ୍ନ କରି ଦେଖେ। ଅନେକ ବନବାସୀ ସମୁଦାୟ ପିଢି ପିଢି ଧରି ଜୈବବିବିଧତାରେ ବିସ୍ତୃତ ଅଞ୍ଚଳଗୁଡ଼ିକ ସହିତ ସହାବସ୍ଥାନ କରିଆସୁଛନ୍ତି ବୋଲି ସେମାନଙ୍କର ଚରମବାଦୀ ଦୃଷ୍ଟିକୋଣ ମାନିବାକୁ ପ୍ରସ୍ତୁତ ନୁହେଁ। ତେଣୁ ସେମାନେ ବନବାସୀମାନଙ୍କୁ ଅବୈଧ ଦାବିଦାର ଭାବେ ଚିହ୍ନିତ କରିଛନ୍ତି।
୧୩ ଫେବୃଆରୀ ୨୦୧୯ ରେ ମହାମାନ୍ୟ ଉଚ୍ଚତମ ନ୍ୟାୟାଳୟ ଏହି ପିଟିସନର ପ୍ରତିକ୍ରିୟା ଦେଇ ଜଙ୍ଗଲ ଅଧିକାର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଥିବା ୧୬.୩ ଲକ୍ଷ ପରିବାରଙ୍କୁ ଉଚ୍ଛେଦ କରିବାକୁ ଆଦେଶ ଦେଇଥିଲେ। ଏହି ନିଷ୍ପତ୍ତି ବନବାସୀ, ସ୍ୱେଚ୍ଛାସେବୀ ସଂଗଠନ ଏବଂ ଲୋକସଙ୍ଗଠନମାନଙ୍କ ମଧ୍ୟରେ ବ୍ୟାପକ ପ୍ରତିବାଦ ଏବଂ ଆନ୍ଦୋଳନକୁ ତିଆରି କରିଥିଲା। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶକୁ ହସ୍ତକ୍ଷେପ କରି, ଉଚ୍ଛେଦ ପୂର୍ବରୁ ରାଜ୍ୟସରକାରମାନଙ୍କୁ ପ୍ରତ୍ୟାଖ୍ୟାନ କରାଯାଇଥିବା ଦାବିଗୁଡ଼ିକୁ ପୁନଃବିଚାର କରିବାକୁ ଅନୁରୋଧ କରିଥିଲେ। ଶେଷରେ, ଉଚ୍ଚତମ ନ୍ୟାୟାଳୟ ୨୮ ଫେବୃଆରୀ ୨୦୧୯ ରେ ଉଚ୍ଛେଦ ଆଦେଶକୁ ଅନିର୍ଦିଷ୍ଟ ସମୟ ପାଇଁ ସ୍ଥଗିତ କରିଥିଲେ। ସେହି ନିର୍ଦ୍ଦେଶରେ ସେ କହିଥିଲେ ଯେ ରାଜ୍ୟ ସରକାରମାନେ ଦାବିଗୁଡ଼ିକୁ ନାକଚ କରିବାର ସଠିକ ପ୍ରକ୍ରିୟା ବିଷୟରେ ଓ କେଉଁ ଆଇନ ଅଧୀନରେ ଜବରଦଖଲ ହଟାଇ ଉଚ୍ଛେଦ କରିବା ଆବଶ୍ୟକ ତାହାର ସତ୍ୟପାଠ ଦାଖଲ କରିବା ଆବଶ୍ୟକ, ଏବଂ ଏଫ.ଏସ.ଆଇ. (FSI) ଅବୈଧ ଦଖଲକୁ ଚିହ୍ନଟ କରିବା ପାଇଁ ସାଟେଲାଇଟ ସର୍ଭେ କରିବ।
ଏହାର ଉତ୍ତରରେ ଓଡ଼ିଶା ସରକାର ସେପ୍ଟେ୍ଟମ୍ବର ୨୦୨୨ ରେ ମହାମାନ୍ୟ ଉଚ୍ଚତମ ନ୍ୟାୟାଳୟଙ୍କୁ ଏକ ସତ୍ୟପାଠ ଦାଖଲ କରିଥିଲେ। ସେଥିରେ ସେ ଦର୍ଶାଇଥିଲେ ଯେ ଓଡ଼ିଶା ସରକାର ଗ୍ରହଣ କରିଥିବା ବ୍ୟକ୍ତିଗତ ଦାବିମଧ୍ୟରୁ ୨୩ ପ୍ରତିଶତ ଦାବିକୁ ବିଭିନ୍ନ କାରଣରୁ ନାକଚ କରିଛନ୍ତି। ନାକଚ କରିବାର ପ୍ରମୁଖ କାରଣଗୁଡିକ ମଧ୍ୟରୁ ଅଣ-ଆଦିବାସୀମାନେ ତିନି ପିଢିର ପ୍ରମାଣ ଦେଇ ପାରିନଥିବା, ଅଣ-ଜଙ୍ଗଲ ଜମି ଉପରେ ଦାବି କରିଥିବା, ଓ ୧୩ ଡିସେମ୍ବର ୨୦୦୫ ପରେ ଦଖଲ କରିଥିବା କାରଣରୁ ନାକଚ କରାଯାଇଛି। ନାକଚ ହୋଇଥିବା ଦାବିଗୁଡ଼ିକ ସହିତ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଉଚ୍ଛେଦ କରିବାର ପ୍ରକ୍ରିୟାଗୁଡ଼ିକ ଓଡିଶା ଜମି ଜବରଦଖଲନିବାରଣ ଆଇନ, ୧୯୭୨ ଓ ଓଡିଶା ଜଙ୍ଗଲ ଆଇନ, ୧୯୭୨ ଅନୁସାରେ କରାଯାଇ ପାରିବ ବୋଲି ଓଡ଼ିଶା ସରକାର ତାଙ୍କର ସତ୍ୟପାଠରେ ଉଲ୍ଲେଖ କରିଥିଲେ। ଏହି ଉଚ୍ଛେଦ କେବଳ ଆଇନ ଅନୁସାରେ ସମ୍ପୂର୍ଣ୍ଣ ପ୍ରକ୍ରିୟା ଶେଷ ହେଲା ପରେ ହିଁ କରାଯାଇ ପାରିବ ବୋଲି ମଧ୍ୟ କହିଥିଲେ। କିନ୍ତୁ ଓଡ଼ିଶା ସରକାରଙ୍କର ଏହି ସତ୍ୟପାଠରେ ଉପସ୍ଥାପିତ ହୋଇଥିବା ଦାବିଗୁଡିକୁ ନାକଚ କରିବା ପାଇଁ ଯେଉଁପରି ପ୍ରକ୍ରିୟା ଅନୁସରଣ କରାଯାଇଛି ତାହା ଓଡ଼ିଶାବାସୀଙ୍କୁ ଭଲଭାବେ ଜଣା ଅଛି।
ଇତି ମଧ୍ୟରେ ଓଡ଼ିଶା ସମେତ ଅନ୍ୟ ୨୦ଟି ରାଜ୍ୟ ସେମାନଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଫ.ଏସ.ଆଇ. (ୠଝଓ) ମଧ୍ୟ ଏକ ଅସଂପୂର୍ଣ୍ଣ ସତ୍ୟପାଠ ଦାଖଲ କରିଛି। ଏଫ.ଏସ.ଆଇ(FSI) ଦର୍ଶାଇଛି ଯେ ଏତେ ସଂଖ୍ୟକ ଦାବିଗୁଡିକର ଜବରଦଖଲ ସାଟେଲାଇଟ ଛବି ଆଣିବା ସମୟ ସାପେକ୍ଷ ଓ ମହଙ୍ଗା। ବୈଷୟିକ ଜଟିଳତା ପାଇଁ ପଲିଗନ ଆଣିବା ମଧ୍ୟ କଷ୍ଟ ସାପେକ୍ଷ। ସବୁ ରାଜ୍ୟ ସମେତ ଏଫ.ଏସ.ଆଇ. (FSI) ର ସତ୍ୟପାଠକୁ ନେଇ ମହାମାନ୍ୟ ଉଚ୍ଚତମ ନ୍ୟାୟାଳୟଙ୍କ କଣ ରାୟ ରହିବ ତାହା ଦେଖିବାକୁ ସମଗ୍ର ଭାରତ ଅପେକ୍ଷା କରିଛି। ସଦ୍ୟତମ ଖବର ଅନୁଯାୟୀ ଉଚ୍ଚତମ ନ୍ୟାୟାଳୟ ଗତ ୨୨ ଫେବୃଆରୀ ୨୦୨୫ ରେ ନିର୍ଦ୍ଦେଶ ଦେଇଥିଲେ ୨ ଅପ୍ରିଲରେ ଏହି ସଙ୍କ୍ରାନ୍ତୀୟ ଶୁଣାଣି ହେବା ପାଇଁ। କିନ୍ତୁ ଏହି ଶୁଣାଣି ହୋଇପାରିଲା ନାହିଁ। ଏହି ଶୁଣାଣିର ରାୟ ବନବାସୀମାନଙ୍କୁ କିପରି ସୁହାଇଥାନ୍ତା ଜଣା ନାହିଁ। ପୁଣି କେବେ ଏହାର ରାୟ ଶୁଣାଣି ହେବ ତାହା ମଧ୍ୟ ଜଣା ନାହିଁ। ଓଡ଼ିଶାର ପାଖାପାଖି ଦେଢ ଲକ୍ଷ ବନବାସୀ ପରିବାରଙ୍କର ଜୀବନଜୀବିକା ଏହି ରାୟ ଉପରେ ନିର୍ଭର କରେ। ଅନ୍ୟ ଦିଗରେ ସଂରକ୍ଷଣ ଚରମପନ୍ଥୀମାନେ ଓ ଜଙ୍ଗଲ ବିଭାଗର ବରିଷ୍ଠ ଅବସରପ୍ରାପ୍ତ ଅଧିକାରୀମାନେ ଆଗାମୀ ଏହି ଶୁଣାଣିକୁ ଆଖି ଆଗରେ ରଖି ତ୍ରୁଟିପୂର୍ଣ୍ଣ ପ୍ରଚାର କରିବା ଆରମ୍ଭ କରିଦେଇଛନ୍ତି ଯେ ଜଙ୍ଗଲ ଅଧିକାର ଆଇନର ସ୍ୱୀକୃତି ପ୍ରକ୍ରିୟା ଯୋଗୁଁ ଜଙ୍ଗଲ ଅଧିକ କ୍ଷୟ ହେବାରେ ଲାଗିଛି। ସେମାନଙ୍କର ଏହି ଷଡଯନ୍ତ୍ର କିନ୍ତୁ କୌଣସି କାମରେ ଲାଗିବ ନାହିଁ। କାରଣ ଲୋକମାନଙ୍କର ପ୍ରକୃତି ସହିତ ସମ୍ପର୍କ ବଢିଥିବାରୁ ଜଙ୍ଗଲ ମଧ୍ୟ ବଢିବାରେ ଲାଗିଛି। ଜଙ୍ଗଲ ଅଧିକାର ଆଇନ ଅଧୀନରେ ବନବାସୀମାନଙ୍କୁ ଜଙ୍ଗଲ ଉପରେ ଥିବା ସେମାନଙ୍କ ଗୋଷ୍ଠୀଗତ ଅଧିକାରର ସ୍ୱୀକୃତି ମିଳିବ ପରେ ସେମାନଙ୍କର ପ୍ରକୃତି ସହିତ ଏହି ସମ୍ପର୍କ ଆହୁରି ଦୃଢିଭୂତ ହୋଇଛି। ତାହାର ଜ୍ୱଳନ୍ତ ଉଦାହରଣ ଓଡ଼ିଶାର ଜଙ୍ଗଲ ସୁରକ୍ଷାକାରୀ ଗୋଷ୍ଠୀମାନଙ୍କ ପାଖରୁ ସହଜରେ ମିଳିଯାଏ।
ଏହି ସଂଖ୍ୟାରେ ମହାମାନ୍ୟ ଉଚ୍ଚତମ ନ୍ୟାୟାଳୟଙ୍କ ପାଖରେ ‘କଞ୍ଜରଭେସନ୍ ଲବି’ର ମାମଲା ଦାଖଲ ହେବା ପରେ ଦେଶବାସୀ ଉଚ୍ଚତମ ନ୍ୟାୟାଳୟଙ୍କ ରାୟକୁ ତୀକ୍ଷଣ ଦୃଷ୍ଟିରେ ଚାହିଁ ରହିଛନ୍ତି। ଏପରି ଏକ ଘଡିସନ୍ଧି ମୁହୂର୍ତରେ ଏଥର ଆମ ବନବାରତାର କଳେବର କେବଳ ଜଙ୍ଗଲ ଅଧିକାର ଦାବି ନାକଚ, ‘କଞ୍ଜରଭେସନ୍ ଲବି’ର ମାମଲା, ଉଚ୍ଚତମ ନ୍ୟାୟାଳୟଙ୍କ ରାୟ ଉପରେ ପର୍ଯ୍ୟବେଷିତ ହୋଇଛି।
ବସୁନ୍ଧରାର ଏକ ତ୍ରୈମାସିକ ମୁଖପତ୍ର ଭାବରେ ବନବାରତା ୮୮ ଟି ସଂଖ୍ୟା ପ୍ରକାଶ ପାଇବା ପରେ କୋଭିଡ଼ ଆଗନ୍ତେ ୨୦୨୦ ଜୁନ ସଂଖ୍ୟା ପ୍ରକାଶ ପାଇବା ପରେ ବିଗତ କିଛି ବର୍ଷ ବନବାରତାର ପ୍ରକାଶନ ଆନୁଷ୍ଠାନିକ କିଛି କାରଣ ବଶତଃ ସ୍ଥଗିତ ରହିଥିଲା। ଇତି ମଧ୍ୟରେ ପାଠକମାନଙ୍କର ବନବାରତା ପ୍ରତି ଥିବା ଅତ୍ୟଧିକ ରୁଚି ଓ ଭଲପାଇବା ଆମକୁ ପୁନଃ ପ୍ରକାଶନ ପାଇଁ ପ୍ରେରଣା ଯୋଗାଇଲା। ଓଡ଼ିଶାର କୋଣଅନୁକୋଣରୁ ଜଙ୍ଗଲକୁ ଭଲପାଉଥିବା ଜଙ୍ଗଲ ପ୍ରେମୀମାନେ, ବନବାସୀମାନେ ଓ ଗବେଷକମାନେ ପ୍ରତି ତିନି ମାସରେ ବନବାରତାର ନୂଆ ପ୍ରକାଶନକୁ କିପରି ଅପେକ୍ଷା କରି ରୁହନ୍ତି ତାହାର ସୂଚନା ଆମ ପାଖରେ ପହଞ୍ଚିଲା। ଜଙ୍ଗଲ, ଜଙ୍ଗଲକୁ ନେଇ ଜୀବନଜୀବିକା, ସମସ୍ୟା, ସମାଧାନ, ନୀତିନିୟମର ଚର୍ଚ୍ଚାକୁ ଓଡ଼ିଶାର କେବଳ ଗୋଟିଏ ମୁଖପତ୍ର ‘ବନବାରତା’ ହିଁ ପ୍ରତି ସଂଖ୍ୟାରେ ଆଲୋଚନା କରିଥାଏ। ତେଣୁ ଏହାକୁ ଆଖି ଆଗରେ ରଖି ଆମେ ଏହି ଜୁନ ସଂଖ୍ୟାରୁ ପୁଣି ବନବାରତାର ପ୍ରକାଶନ ଆରମ୍ଭ କରିବା ପାଇଁ ମନସ୍ଥ କରିଛୁ। ଏଥର ଆମେ ଏହାର ସଂଖ୍ୟା ମୁଦ୍ରଣ ରୂପରେ ପ୍ରକାଶ କରିବା ସହିତ ୱେବ ପୃଷ୍ଠାରେ ମଧ୍ୟ ପ୍ରକାଶ କରିବୁ, ଯାହାକି ବସୁନ୍ଧରାର ୱେବ ପୃଷ୍ଠାରେ ଉପଲବ୍ଧ ରହିବ। ଆମେ ଆଶାୟୀ ଯେ ଏହି ନୂଆ କଳେବର ପୁରୁଣା ପାଠକଙ୍କ ସହିତ ନୂଆ ପାଠକଙ୍କୁ ଯୋଡିବ। ତଥ୍ୟ ଭିତ୍ତିକ ଏହି ପତ୍ରିକାଟି ପ୍ରକୃତି ପ୍ରେମୀ ଜନସମୂହଙ୍କ ପୁନଃ ଆଦର ପାଇ ପାରିବ, ଏହା ଆମର ଆଶା ତଥା ବିଶ୍ୱାସ।

ଅରବିନ୍ଦ ରାଉତ
ସମ୍ପାଦକ
ସମ୍ପାଦକ
ଅରବିନ୍ଦ ରାଉତ ଜଣେ ଉତ୍ସର୍ଗୀକୃତ ବୃତ୍ତିଗତ କର୍ମୀ ଯାହାଙ୍କର ଜଙ୍ଗଲ ଅଧିକାର ଏବଂ ପ୍ରାକୃତିକ ସମ୍ପଦ ପରିଚାଳନା କ୍ଷେତ୍ରରେ ଆଇନ ଓ ନୀତି କାର୍ଯ୍ୟାନ୍ୱୟନ ଏବଂ ଦକ୍ଷତା ନିର୍ମାଣରେ ୧୯ ବର୍ଷରୁ ଅଧିକ ଅଭିଜ୍ଞତା ଅଛି। ଦର୍ଶନରେ ଏକ ଦୃଢ଼ ଭିତ୍ତିଭୂମି ଏବଂ ପଛୁଆ ଓ ବିଛିନ୍ନ ଗୋଷ୍ଠୀମାନଙ୍କୁ ସଶକ୍ତ କରିବା ପାଇଁ ଆଗ୍ରହ ସହିତ, ସେ ଓଡ଼ିଶାରେ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କ ସ୍ଵାର୍ଥରେ ଜଙ୍ଗଲ ଅଧିକାର ଆଇନ ୨୦୦୬ କାର୍ଯ୍ୟକାରୀ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ବର୍ତ୍ତମାନ ବସୁନ୍ଧରାରେ ଟେନ୍ୟୁର ଏବଂ ଟେନ୍ୟୁରିଆଲ୍ ସୁରକ୍ଷା ଟିମର ଦଳପତି ତଥା ବସୁନ୍ଧରା ଅନୁଷ୍ଠାନର କୋଷାଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ଅରବିନ୍ଦ ରାଉତ ତାଲିମ କାର୍ଯ୍ୟକ୍ରମ ପ୍ରସ୍ତୁତି କରିବା, ଗବେଷଣା କରିବା ଏବଂ ସରକାରୀ ସଂସ୍ଥା, ସ୍ଵେଚ୍ଛାସେବୀ ସଂଗଠନ ଏବଂ ସ୍ଥାନୀୟ ଗୋଷ୍ଠୀମାନଙ୍କ ମଧ୍ୟରେ ସହଯୋଗ ବୃଦ୍ଧି କରିବାରେ ଉତ୍କର୍ଷତା ହାସଲ କରିଛନ୍ତି। ତାଙ୍କ ବିଶେଷଜ୍ଞତାରେ ଭୂମି ଅଧିକାର ପାଇଁ ଲୋକମାନଙ୍କୁ ତଥା ସରକାରୀ ବିଭାଗକୁ ବୌଦ୍ଧିକ ଜ୍ଞାନ ଯୋଗାଇବା ସମେତ ଜଙ୍ଗଲ ସୁରକ୍ଷାଗୋଷ୍ଠୀଗୁଡ଼ିକୁ ସୁଦୃଢ଼ କରିବା ଅନ୍ତର୍ଭୁକ୍ତ। ଅରବିନ୍ଦ ରାଉତ ପ୍ରମୁଖ ଦୈନିକ ପତ୍ରିକାରେ ନିୟମିତ ସ୍ତମ୍ଭକାର, ଜଙ୍ଗଲ-ନିବାସୀ ସମ୍ପ୍ରଦାୟର ଅଧିକାର ଉପରେ ଲେଖନ, ଏବଂ ‘ବିଦ୍ୟା ହିଁ ବିମୁକ୍ତି’ ପୁସ୍ତକ ରଚନା କରିଛନ୍ତି, ଯାହା ମାନବ ଜୀବନର ବିଭିନ୍ନ ଦିଗକୁ ଆଲୋକିତ କରେ। ସେ ଜଣେ ସ୍ପଷ୍ଟବାଦୀ ଏବଂ ପ୍ରତିଷ୍ଠିତ ଲେଖକ- ସେ ବିଶ୍ଳେଷଣାତ୍ମକ ଚିନ୍ତାଧାରା, ଦଳଗତ ନେତୃତ୍ୱ ଏବଂ ସାମାଜିକ ନ୍ୟାୟ ପ୍ରତି ଏକ ଗଭୀର ପ୍ରତିବଦ୍ଧତାକୁ ସ୍ଥାୟୀ ବିକାଶ ଏବଂ ସମୃଦ୍ଧିକୁ ଆଗେଇ ନେବା ସତତ ଚେଷ୍ଟା କରନ୍ତି।