ଜଙ୍ଗଲ ଆଦିବାସୀଙ୍କର ପରିଚୟ । ଜଙ୍ଗଲର ସୁରକ୍ଷାଦାତା ସାଜିଥିବା ଏହି ଆଦିବାସୀମାନେ ସମୟକ୍ରମେ ଉପନିବେଶବାଦ୍ର ଅଧୀନ ହୋଇ ଜବରଦଖଲକାରୀର ଆଖ୍ୟା ପାଇଲେ । ଆଉ ଶେଷରେ ପରିସ୍ଥିତି ଏମିତି ହେଲା କି ନିଜର ଠିକଣା ଜାଗାରୁ ବି ତାକୁ ବିସ୍ଥାପନର ଶିକାର ହେବାକୁ ପଡିଲା । ଜଙ୍ଗଲକୁ ବାସ୍ତବରେ ଅନ୍ୟ କେହି ଜବରଦଖଲ କରୁଥିବା ବେଳେ ଏହି ନିରିହ ଆଦିବାସୀମାନଙ୍କ ଉପରେ ଜବରଦଖଲକାରୀର ମୋହର ଲାଗିଗଲା।
ଆଦିବାସୀଙ୍କୁ ସେମାନଙ୍କର ପାରମ୍ପରିକ ଜମି ଉପରେ ଆଇନଗତ ସ୍ୱୀକୃତି ଫେରାଇଦେବାକୁ ୨୦୦୬ ମସିହାରେ ଆସିଲା ଜଙ୍ଗଲ ଅଧିକାର ଆଇନ । ଏହି ଐତିହାସିକ ଆଇନ ଆସିବାର ୧୮ ବର୍ଷ ପୂରି ଯାଇଥିଲେ ବି ଆଦିବାସୀମାନେ ନିଜର ଅଧିକାରକୁ ନେଇ ଆଜି ବି କାଠଗଡ଼ାରେ ।
୨୦୧୯ ମସିହା ଫେବୃୟାରୀ ୧୩ ତାରିଖ । ସୁପ୍ରିମ କୋର୍ଟ ରାୟ ଦେଲେ ଦେଶର ୧୭ ଲକ୍ଷ ଆଦିବାସୀ ନିଜର ଜଙ୍ଗଲ ଜମିରୁ ଉଚ୍ଛେଦ ହେବେ । ଜଙ୍ଗଲ ଅଧିକାର ଆଇନ ଅଧୀନରେ ଯେଉଁ ଆଦିବାସୀମାନଙ୍କ ବ୍ୟକ୍ତିଗତ ଜଙ୍ଗଲ ଅଧିକାର ଦାବି(ଆଇଏଫ୍ଆର)କୁ ପୂର୍ବରୁ ଖାରଜ କରି ଦିଆଯାଇଛି ସେହି ବନବାସୀମାନେ ଏହି ତାଲିକାରେ ସବୁଠୁ ଆଗରେ ରହିବେ ।
ବନ୍ୟପ୍ରାଣୀ ସଂରକ୍ଷଣ ଓ ସୁରକ୍ଷା ପାଇଁ କାମ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ପୂର୍ବତନ ବନବିଭାଗର ଅଧିକାରୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ; ‘ଅବୈଧ ଭାବେ ଜବରଦଖଲ କରି ରହିଥିବା ଆଦିବାସୀମାନଙ୍କୁ ସବୁ ରାଜ୍ୟର ସରକାରମାନେ ତୁରନ୍ତ ଉଚ୍ଛେଦ କରନ୍ତୁ । ୨୦୦୬ରୁ ୨୦୧୯ ପର୍ଯ୍ୟନ୍ତ ୧୩ ବର୍ଷର ଏକ ଲମ୍ବା ସମୟ । ଏ ଭିତରେ ଆଦିବାସୀମାନେ ଜଙ୍ଗଲ ଅଧିକାର ଆଇନ ବଳରେ ବସତି ସ୍ଥାପନ କରିବାର ଆଇନଗତ ପ୍ରକ୍ରିୟାରେ ସାମିଲ ହୋଇଯିବା କଥା । ମାତ୍ର ଏବେବି ଯଦି ସେମାନଙ୍କ ବସତି ଅଧିକାରକୁ ଗ୍ରହଣ କରାଯାଇନାହିଁ ତେବେ ସେମାନଙ୍କୁ ଜଙ୍ଗଲ ଭିତରୁ ବିତାଡିତ କରି ଦେବା ଉଚିତ’ ।
ସୁପ୍ରିମ କୋର୍ଟଙ୍କ ଏଭଳି ରାୟ ସେ ସମୟରେ ସାରା ଦେଶରେ ଚହଳ ପକାଇଲା । ଜଙ୍ଗଲ ଅଧିକାର ଆଇନ ପାଇଁ ଲଢ଼େଇ ଜାରି ରଖିଥିବା ବିଭିନ୍ନ ସଙ୍ଗଠନ ଦ୍ୱାରା ଏହାକୁ ବିରୋଧ କରାଗଲା । ପ୍ରତିବାଦର ସ୍ୱର ଶାଣିତ ହେଲା । କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପ୍ରକ୍ରିୟାଗତ ତ୍ରୁଟି ଯୋଗୁଁ ଦାବିଗୁଡିକୁ ଭୂଲ୍ ଭାବେ ବାତିଲ କରି ଦିଆଯାଇଥିବା ଦର୍ଶାଇ ଏଥିରେ ହସ୍ତକ୍ଷେପ ଲୋଡିଲେ । ପରିସ୍ଥିତି ଏପରି ହେଲା ଯେ, ଏହାର ୧୫ ଦିନ ପରେ ଅର୍ଥାତ ଫେବୃୟାରୀ ୨୮ ତାରିଖରେ ଆଦିବାସୀ ମନ୍ତ୍ରଣାଳୟ ଏଥିରେ ହସ୍ତକ୍ଷେପ କଲେ । ଯାହା ଫଳରେ କୋର୍ଟ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ଏହି ଉଚ୍ଛେଦ ଆଦେଶକୁ ସ୍ଥଗିତ ରଖିଲେ ଓ ବିଭିନ୍ନ ରାଜ୍ୟକୁ ପ୍ରତ୍ୟାଖାନ ଦାବିଗୁଡିକର ସମୀକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ!
ଏଥର ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟକୁ ଚିଠି କରି ସରକାରଙ୍କୁ ନାକଚ ହୋଇଥିବା ଦାବିଗୁଡିକୁ ପୁଣିଥରେ ଯାଞ୍ଚ କରିବାକୁ କହିଲେ। ଯେଉଁଥିରେ କୁହାଯାଇଥିଲା;
୍ ଦାବି ବେଳେ କେଉଁ ପ୍ରକ୍ରିୟାକୁ ଆଖିଆଗରେ ରଖି ଏହାକୁ କରାଯାଇଛି?
୍ ଦାବିଗୁଡିକୁ କେଉଁ ଆଧାରରେ ନାକଚ କରାଯାଇଛି?
୍ ଦାବି ପ୍ରତ୍ୟାଖ୍ୟାନ କରିବା ସମୟରେ ଯୁକ୍ତିଯୁକ୍ତ ତଥ୍ୟ ପ୍ରଦାନ କରାଯାଇଥିଲା କି?
୍ ଆଦିବାସୀଙ୍କୁ ଆବେଦନ ଏବଂ ପ୍ରମାଣ ଯୋଗାଡ କରିବାର ସୁଯୋଗ ଦିଆଯାଇଥିଲା କି ନାହିଁ?
୍ ସେସବୁ କାରଣ ସମ୍ବଳିତ ବିସ୍ତୃତ ସତ୍ୟପାଠ ଗ୍ରାମସଭାକୁ ଦାଖଲ କରାଯାଇଥିଲା କି?
ମାତ୍ର ଗୁରୁତ୍ୱପୂର୍ଣ୍ଣ ବିଷୟ କି ସମୀକ୍ଷା ପାଇଁ ପାଳନ କରାଯିବାକୁ ଥିବା ପ୍ରକ୍ରିୟା ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ କୌଣସି ସ୍ପଷ୍ଟ ନିର୍ଦ୍ଦେଶ କିମ୍ବା ମାର୍ଗଦର୍ଶିକା ପ୍ରଦାନ କରାଯାଇନଥିଲା ।
ସୁପ୍ରିମ କୋର୍ଟଙ୍କ ହସ୍ତକ୍ଷେପ ସତ୍ତ୍ୱେ ରାଜ୍ୟଗୁଡିକ ନିଜ ନିଜ ହିସାବରେ ଏକ ସ୍ୱତନ୍ତ୍ର ଆଇନଗତ ପ୍ରକ୍ରିୟା ଅନୁପାଳନ କରି ଜଙ୍ଗଲ ଅଧିକାର ଆଇନ ଆଧାରରେ ଲୋକଙ୍କୁ ସେମାନଙ୍କର ଅଧିକାର ଦେବାକୁ ପ୍ରୟାସ କରିଥିଲେ । ଯାହାକି ବାସ୍ତବରେ ଆଇନଗତ ପ୍ରକ୍ରିୟାକୁ ଉଲ୍ଲଂଘନ କରି କରାଯାଇଥିଲା । ଆଉ କିଛି ରାଜ୍ୟ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରି ଲୋକଙ୍କୁ ସେମାନଙ୍କର ଅଧିକାର ଦେବାକୁ ପ୍ରୟାସ କରିଥିଲେ । ଯାହାକି ସିଧାସଳଖ ଭାବେ ଗ୍ରାମସଭାର ନିଷ୍ପତ୍ତି ନେବାର କ୍ଷମତାକୁ ଆଇନଗତ ଭାବେ ନିଷ୍ପ୍ରିୟ କରି ଦେଇଥିଲା ।
ଦାବି ନାକଚ ବେଳେ ମିଳିଥିବା ତଥ୍ୟ:
ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ବେଳେ ଦେଖାଗଲା ଯେ ଗ୍ରାମସଭାର ଅଜାଣତରେ ଅନେକ ଦାବିଦାରଙ୍କ ଦାବିଗୁଡିକୁ ନାକଚ କରି ଦିଆଯାଇଛି । ଅନେକ ସ୍ଥାନରେ ଦାବିଦାରମାନଙ୍କୁ ଉପଯୁକ୍ତ ପ୍ରମାଣ ଦେଖାଇବାର ସୁଯୋଗ ବି ପ୍ରଦାନ କରାଯାଇନି । ଯାହାକି ସିଧାସଳଖ ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ ।
ଜଙ୍ଗଲ ଅଧିକାର ଆଇନର ଧାରା ୧୩ ଅନୁସାରେ; ଗାଁର ବୟସ୍କ ଲୋକମାନଙ୍କର ବୟାନ ବା ମତାମତ ଏବଂ ଗ୍ରାମସଭା ଦ୍ୱାରା କରାଯାଇଥିବା କ୍ଷେତ୍ରାଞ୍ଚଳ ଯାଞ୍ଚର ରିପୋର୍ଟକୁ ପ୍ରମାଣ ଭାବେ ଗ୍ରହଣ କରି ଦାବିଦାରଙ୍କ ଅଧିକାରକୁ ସ୍ୱୀକୃତି ପ୍ରଦାନ କରାଯାଇଥାଏ। ଯାହାକୁ କି କ୍ରମାଗତ ଭାବେ ଅଣଦେଖା କରାଯାଇଛି । ଗୁଜୁରାଟରେ ଜଙ୍ଗଲ ଅଧିକାର ଆଇନ ବଳରେ ଅଧିକାର ପତ୍ର ପ୍ରଦାନ କରିବା ପାଇଁ ସାଟେଲାଇଟ୍ ଚିତ୍ରକୁ ଅଧିକ ପ୍ରାଧାନ୍ୟ ଦିଆଯାଇଥିଲା । ଏହାସହ ଅନେକ ସ୍ଥାନରେ ମାନବ ସମ୍ବଳ ଦ୍ୱାରା ଜଙ୍ଗଲ ଜମିକୁ ଯାଞ୍ଚ କରିବାରେ ବି ଗଭୀର ତ୍ରୁଟି ହୋଇଥିବାର ପ୍ରମାଣ ମିଳିଛି । ଭୂ-ସନ୍ଦର୍ଭ ଗୁଡିକରେ ତ୍ରୁଟି ଓ ଭୁଲ ମ୍ୟାପିଂ ଫଳରେ ଅନେକ ସ୍ଥାନରେ ଦାବିଗୁଡିକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା।
ଜଙ୍ଗଲ ଅଧିକାର ଆଇନ ଆଦିବାସୀଙ୍କୁ ଉଚ୍ଛେଦରୁ ସୁରକ୍ଷା ଦେଉଥିବା ବେଳେ ବାସ୍ତବରେ ଅଧିନିୟମରେ ଆଦିବାସୀଙ୍କୁ ଉଚ୍ଛେଦରୁ ସୁରକ୍ଷା ଦେବାର ନିୟମ ରହିଥିବା ବେଳେ ଆଦିବାସୀ ବାରମ୍ବାର ଉଚ୍ଛେଦର ସାମ୍ନା କରି ଆସୁଛନ୍ତି । ପରିସ୍ଥିତି ଏପରି ସୃଷ୍ଟି ହୋଇଥିଲା ଯେ ଅନେକ ରାଜ୍ୟରେ ୨୦୦୫ ମସିହା ପୂର୍ବରୁ ଜଙ୍ଗଲ ଜମିରେ ଚାଷ କରୁଥିବା ଆଦିବାସୀଙ୍କୁ ବନବିଭାଗ ସେମାନଙ୍କର ଦାବି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ବଳପୂର୍ବକ ଜଙ୍ଗଲ ଭିତରୁ ବାହାର କରି ଦେଇଥିଲା । ସେହି ଆଦିବାସୀମାନେ ଏବେ ସେମାନଙ୍କର ନ୍ୟାର୍ଯ୍ୟ ଦାବିକୁ ସାବ୍ୟସ୍ତ କରିବା ଦିଗରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ସ୍ଥାନରେ ଭୁଲ ଭାବେ ଦାବି ପ୍ରକ୍ରିୟାକୁ ନାକଚ କରାଯାଇ ସେମାନଙ୍କୁ ବିସ୍ଥାପନ କରାଯାଇଛି। ମଧ୍ୟପ୍ରଦେଶର ରେୱା ଏବଂ ବୁରହନ୍ପୁର ଜିଲ୍ଲାରେ ଏମିତି ଅନେକ ଘଟଣା ଘଟିଛି ଯେଉଁଠି ବନବିଭାଗ ବଳ ପ୍ରୟୋଗ କରି ସାଧାରଣ ଲୋକଙ୍କ ଫସଲ ନଷ୍ଟ କରିଛି ଏବଂ ସେମାନଙ୍କ ଉପରେ ଜରିମାନା ଲଗାଇଛି ।
ମଧ୍ୟପ୍ରଦେଶରେ କାମ କରୁଥିବା ‘ବନମିତ୍ର’ ଭଳି ଡିଜିଟାଲ୍ ପ୍ଲାଟ୍ଫର୍ମ; ଖାରଜ ହୋଇଥିବା ଦାବି ଗୁଡିକର ସମୀକ୍ଷା କରିବା ପ୍ରକ୍ରିୟାକୁ ସହଜ କରିବା ପରିବର୍ତ୍ତେ ଅଧିକ ଅସୁବିଧା ସୃଷ୍ଟି କରିଛି। ଆଦିବାସୀମାନଙ୍କ ପାଖରେ ସ୍ମାର୍ଟ ଫୋନ୍ର ଅଭାବ, ଇଣ୍ଟରନେଟ୍ କିମ୍ବା ଡିଜିଟାଲ ସାକ୍ଷରତାର ଅଭାବ ଯୋଗୁଁ ଆଦିବାସୀମାନେ ଦାବି ଦାଖଲ ଓ ଆବେଦନ କରିବା ପ୍ରକ୍ରିୟାକୁ ଅନ୍ଲାଇନ୍ ଯୋଗେ ଠିକ୍ ଭାବେ କରି ପାରିନଥିଲେ। ଯାହାକି ସେମାନଙ୍କୁ ଆଇନଗତ ପ୍ରକ୍ରିୟାରେ ଅଧିକାର ପାଇବା ଦିଗରେ ବାଧା ସୃଷ୍ଟି କରିଥିଲା । କେବଳ ସେତିକି ନୁହେଁ ଏହି ପୋର୍ଟାଲ ମାଧ୍ୟମରେ ସ୍ୱଚ୍ଛତା ଓ ସୁବ୍ୟବସ୍ଥିତ ଢ଼ଙ୍ଗରେ ସବୁ କାମ କରାଯାଇ ପାରିବ ବୋଲି ଆଶା କରାଯାଉଥିବା ବେଳେ ଏଥିରେ ପ୍ରକ୍ରିୟାଗତ କାର୍ଯ୍ୟକୁ ଉଲ୍ଲଂଘନ କରାଯିବା, ଦାବିଗୁଡିକର ଗଣ ପ୍ରତ୍ୟାଖ୍ୟାନ ଓ ଗ୍ରାମସଭାକୁ ଅଣଦେଖା କରାଯାଇଥିବା ସ୍ପଷ୍ଟ ଦେଖିବାକୁ ମିଳିଛି ।
ସାରା ଦେଶରେ ଏ ପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ସୁରକ୍ଷିତ ଅଞ୍ଚଳ ଗଠନ କରିବା ପାଇଁ ବିସ୍ଥାପିତ ହୋଇଛନ୍ତି । ନ୍ୟାଶନାଲ ଟାଇଗର କନ୍ଜରଭେସନ୍ ଅଥୋରିଟି (ଏନ୍ଟିସିଏ) ନିକଟରେ ଏବେ ସୁଦ୍ଧା ୬୪ ହଜାର ୮୦୧ ଜଣଙ୍କୁ ବ୍ୟାଘ୍ର ଅଭୟାରଣ୍ୟର କୋର ଅଞ୍ଚଳରୁ ତ୍ୱରିତ ଭାବେ ବିସ୍ଥାପିତ କରିବା ପାଇଁ ସମ୍ଭାବନା ସୃଷ୍ଟି କରିଛି । ଗତ ୧୫ ବର୍ଷ ଭିତରେ ବିକାଶ ଆଳରେ ୩ ଲକ୍ଷ ହେକ୍ଟରରୁ ଅଧିକ ଜଙ୍ଗଲ ଜମି ସ୍ଥାନାନ୍ତରିତ ହୋଇଛି । କେବଳ ଖଣି ପାଇଁ ପାଖାପାଖି ୬୦ ହଜାର ହେକ୍ଟର ଜମି ଆବଣ୍ଟିତ ହୋଇଛି । ସବୁଠାରୁ ଆଶ୍ଚର୍ଯ୍ୟର କଥା ଜଙ୍ଗଲ ଅଧିକାର ଆଇନର ସ୍ୱୀକୃତି ଓ ଗ୍ରାମସଭାର ବିନା ସମ୍ମତିରେ; ଜଙ୍ଗଲ କିସମରେ କରାଯାଉଥିବା ଏହି ପରିବର୍ତ୍ତନ ସିଧାସଳଖ ଭାବେ ଜଙ୍ଗଲ ଅଧିକାର ଅଧୀନିମୟକୁ ଉଲ୍ଲଂଘନ କରୁଛି ।
ଓଡିଶା ଉପରେ ଏହାର ପ୍ରଭାବ:
୨୦୦୬ ମସିହାରେ ପ୍ରଥମ କରି ଜଙ୍ଗଲ ଅଧିକାର ଆଇନ ଆସିବା ଓ ଏହାକୁ ୨୦୦୮ ମସିହାରେ କାର୍ଯ୍ୟକାରୀ କରିବା ଦିଗରେ ଓଡିଶା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛି । ଆଇନ କାର୍ଯ୍ୟକାରୀ ହେବାର ପ୍ରଥମ ତିନି ମାସ ଭିତରେ ଗ୍ରାମସଭା ଦ୍ୱାରା ବିସ୍ତୃତ ଭାବେ ଆଲୋଚନା କରାଯାଇ ଏହାକୁ କାର୍ଯ୍ୟକାରୀ କରିବା ଦିଗରେ କାମ ଆରମ୍ଭ ହେଲା ।
୨୦୦୮ ମସିହାରେ କିଛି ସ୍ୱେଚ୍ଛାସେବୀ ସଙ୍ଗଠନ ଓ ପରିବେଶବିତ୍ମାନେ ହାଇକୋର୍ଟରେ ଏକ ମାମଲା ଦାୟର କଲେ। ଯେଉଁଥିରେ କୁହାଗଲା ଜଙ୍ଗଲ ଅଧିକାର ଆଇନ ଏକ ସାମ୍ବିଧାନିକ ଆଇନ ନୁହେଁ ଓ ଏହାକୁ ରଦ୍ଧ କରାଯାଉ । କେବଳ ଓଡିଶା ନୁହେଁ ଓଡିଶା ବାହାରେ ବି ବିଭିନ୍ନ ରାଜ୍ୟମାନେ ଏହି ମାମଲାକୁ ନିଜ ନିଜର ଅଞ୍ଚଳରେ ଉଠାଇଲେ । ପ୍ରଥମ ଶୁଣାଣିରେ ଏହାକୁ ମାନ୍ୟବର ହାଇକୋର୍ଟ ସ୍ଥଗିତ ରଖିଲେ । ସେତେବେଳେ ହାଇକୋର୍ଟ ନିର୍ଦ୍ଦେଶ ଦେଲେ; ମାମଲା ନ ଉଠିଲା ପର୍ଯ୍ୟନ୍ତ ରାଜ୍ୟ ସରକାର କୌଣସି ପଟ୍ଟା ବଣ୍ଟନ କରିପାରିବେ ନାହିଁ । ୨୦୦୯ ଅଗଷ୍ଟ ମାସରେ ରାଜ୍ୟ ସରକାରଙ୍କ ଦ୍ୱାରା ବାରମ୍ବାର ଆଇନଗତ ପ୍ରକ୍ରିୟା ଆଧାରରେ ଚାପ ପ୍ରୟୋଗ କରାଗଲା ପରେ ଏହି ମାମଲା ଉଠିଲା । ମାତ୍ର ଏଥିରେ ହାଇକୋର୍ଟ ସର୍ତ୍ତ ରଖିଲେ ଯେ; ରାଜ୍ୟ ସରକାର ଯଦିଓ ପଟ୍ଟା ବଣ୍ଟନ କରିପାରିବେ ମାତ୍ର ଚୂଡାନ୍ତ ରାୟ ଆଧାରରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ନେଇପାରିବେ । ଓଡିଶା ଭଳି ଅନ୍ୟ ରାଜ୍ୟମାନେ ବି ନିଜ ନିଜ ଅଞ୍ଚଳରେ ଥିବା ହାଇକୋର୍ଟକୁ ହି ମାମଲା ଆସିଲା । ସମାନ ଭାବେ ସୁପ୍ରିମକୋର୍ଟରେ ବି ଏହି ମାମଲା ପଡିଲା । ୨୦୦୯ ପରେ ସୁପ୍ରିମକୋର୍ଟ ରାୟ ଦେଲେ ଯେ ବିଭିନ୍ନ ରାଜ୍ୟରେ ଏ ସମ୍ପର୍କିତ ସମାନ ମାମଲା ଆସୁଥିବାରୁ ଏଣିକି ଏହାକୁ ସୁପ୍ରିମକୋର୍ଟରେ ଏକତ୍ର କରି ବିଚାର କରାଯିବ । ସୁପ୍ରିମକୋର୍ଟରେ ୧୦୯/୨୦୦୮ ଓ ୫୦/୨୦୦୮ କେସ୍ ନମ୍ବରରେ ଏହି ମାମଲା ଚାଲିଲା । ପରେ ସୁପ୍ରିମକୋର୍ଟ ବିଭିନ୍ନ ରାଜ୍ୟମାନଙ୍କୁ ଏ ସମ୍ପର୍କିତ ତଥ୍ୟ ମାଗିଲେ ।
୨୦୧୮ ବେଳକୁ ଉଚ୍ଚତମ ନ୍ୟାୟାଳୟ ଏହି ମାମଲାର ଶୁଣାଣି କରିବା ପାଇଁ ବିଭିନ୍ନ ରାଜ୍ୟମାନଙ୍କୁ ପୁଣିଥରେ ଏ ସମ୍ପର୍କିତ କିଛି ତଥ୍ୟ ମାଗିଲେ । ମାତ୍ର ସେତେବେଳେ ଓଡିଶା ସମେତ ଆଉ କିଛି ରାଜ୍ୟ ତଥ୍ୟ ଦାଖଲ ନ କରି ୫୦ ହଜାର ଟଙ୍କାର ଆର୍ôଥକ ଦଣ୍ଡର ସାମ୍ନା କଲେ । ଉଚ୍ଚତମ ନ୍ୟାୟାଳୟର ନିର୍ଦ୍ଦେଶ ଥିଲା ୧୩ ଫେବୃୟାରୀ ୨୦୧୯ରେ ସୁପ୍ରିମ କୋର୍ଟ କହିଲେ ଯେତିକି ଲୋକଙ୍କ ଦାବିକୁ ନାକଚ କରି ଦିଆଯାଇଛି ସେମାନଙ୍କୁ ସମସ୍ତଙ୍କୁ ଉଚ୍ଛେଦ କର । ଏଥିପାଇଁ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇ କହିଥିଲେ ଯେଉଁମାନଙ୍କର ଦାବିଗୁଡିକୁ ନାକଚ କରି ଦିଆଯାଇଛି ସେମାନଙ୍କୁ ଜଙ୍ଗଲ ଜମି ଉପରୁ ୨୪ ଜୁଲାଇ ୨୦୧୯ ଭିତରେ ଉଚ୍ଛେଦ କରାଯାଉ ।
ଯାହାର ପ୍ରତିଉତ୍ତରରେ ୨୦୧୮ ପର୍ଯ୍ୟନ୍ତ ଯେତିକି ଲୋକେ ଜଙ୍ଗଲ ଅଧିକାର ଆଇନରେ ଜମି ପାଇଁ ଦାବି କଲେ ସେମାନଙ୍କ ଭିତରୁ ଅଧିକାଂଶ ଲୋକଙ୍କ ଦାବିକୁ ନାକଚ କରି ଦିଆଗଲା । ଗ୍ରାମସଭାର ଅଗୋଚରରେ ଏସବୁ କାମ କରାଗଲା । ଗ୍ରାମସଭାକୁ ସିଧାସଳଖ ଅଣଦେଖା କରି ରାଜ୍ୟ ସରକାର ଏହି ନାକଚ ଦାବିଗୁଡିକର ଏକ ତାଲିକା ସିଧାସଳଖ ଦିଲ୍ଲୀ ପଠାଇ ଦେଲେ । ୨୦୧୯ରେ ସୁପ୍ରିମକୋର୍ଟ ଜଙ୍ଗଲ ଅଧିକାର ଆଇନ ବିରୋଧରେ ଏକ ତରଫା ଶୁଣାଣି କରି ଦେଶର ପାଖାପାଖି ୧୭ ଲକ୍ଷ ଦାବିଦାର ପରିବାରକୁ ଜଙ୍ଗଲ ଓ ସେମାନଙ୍କର ଜୀବନ ଜୀବିକକୁ ଉଚ୍ଛେଦ କରିବାର ରାୟ ଦେଲେ ।
୨୦୨୫ ଏପ୍ରିଲ ୨ ତାରିଖରେ ସୁପ୍ରମକୋର୍ଟ ୱାଇଲ୍ଡଲାଇଫ୍ ଫାଷ୍ଟ ଏବଂ ଅନ୍ୟାନ୍ୟ ବନାମ ଭାରତ ସରକାର ଏବଂ ଅନ୍ୟାନ୍ୟ ମାମଲାର ପୁଣିଥରେ ଶୁଣାଣି କରାଯିବାକୁ ସ୍ଥିର କରାଯାଇଥିଲା । ଯାହାକୁକି ଶେଷ ମୁହୂର୍ତ୍ତରେ ପୁଣିଥରେ ସ୍ଥଗିତ ରଖାଯାଇଛି । ଯଦିଓ ଏହା ସାମୟିକ ଭାବେ ସ୍ଥଗିତ ରହିଛି ତଥାପି ଏହା ଜଙ୍ଗଲ ଅଧିକାର ଆଇନ ୨୦୦୬ର ସାମ୍ବିଧାନିକତା ପ୍ରତି ଏକ ଆହ୍ୱାନ ସୃଷ୍ଟି କରିଛି।
ଆଉ ଏବେ ଦୀର୍ଘଦିନ ଧରି ସ୍ଥଗିତ ରହିଥିବା ସୁପ୍ରିମକୋର୍ଟଙ୍କ ରାୟ ଓଡିଶାର ଆଦିବାସୀଙ୍କ ମନୋବଳକୁ ବି ଧୀରେ ଧୀରେ କ୍ଷୀଣ କରିବା ଆରମ୍ଭ କରି ଦେଇଛି । ଏବେ ରାଜ୍ୟର ପାଖାପାଖି ୧ ଲକ୍ଷ ୪୪ ହଜାର ୧୭୫ ଆଦିବାସୀ ପରିବାର ସମ୍ଭାବ୍ୟ ଉଚ୍ଛେଦର ଆଶଙ୍କା ଭିତରେ ଦିନ କାଟୁଛନ୍ତି ।
ଜଙ୍ଗଲ ଅଧିକାର ଅଧିନିୟମର ଧାରା ୪ର ଉପଧାରା ୫ ଅନୁସାରେ; ଜଙ୍ଗଲ ଅଧିକାର ସ୍ୱୀକୃତି ଓ ଯାଞ୍ଚ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ଅଧିବାସୀରେ ଦଖଲ କରିଥିବା ଜଙ୍ଗଲ ଜମିରୁ ସେମାନଙ୍କୁ ଉଚ୍ଛେଦ କିମ୍ବା ବିତାଡିତ କରାଯାଇ ପାରିବ ନାହିଁ । ମାତ୍ର ରାଜ୍ୟ ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଚଳିତ ବର୍ଷ (୨୦୨୫) ଫେବୃୟାରୀ ସୁଦ୍ଧା ଓଡିଶାରେ ୧ଲକ୍ଷ ୪୪ ହଜାର ୧୭୫ ବନବାସୀ ପରିବାରର ସଦସ୍ୟଙ୍କ ଦାବିକୁ ଜିଲ୍ଲାସ୍ତରୀୟ କମିଟିରେ ନାକଚ କରି ଦେଇଥିବା ଦର୍ଶାଇଛନ୍ତି । ଯାହାକି ସମ୍ଭାବ୍ୟ ଉଚ୍ଛେଦ ଭଳି ଆଶଙ୍କାକୁ ଅଧିକ ଘନୀଭୂତ କରିଛି ।
ଏବେ ସବୁଠାରୁ ବଡ ପ୍ରଶ୍ନ ନିକଟରେ ରାଜ୍ୟ ସରକାର; ଯେଉଁ ଦାବିଦାରମାନଙ୍କର ଦାବିକୁ ନାକଚ କରିଛନ୍ତି ସେମାନଙ୍କ ଭିତରୁ ୭୦ ହଜାର ଅନ୍ୟାନ୍ୟ ପାରମ୍ପରିକ ବନବାସୀ ବର୍ଗର । ଯେଉଁମାନଙ୍କୁ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ବା ଓଟିଏଫ୍ଡି (ଅଦର ଟ୍ରାଡିସନାଲ୍ ଫରେଷ୍ଟ ଡ୍ୟୁଲେର୍) କହି ସରକାର ଜଙ୍ଗଲ ଜମି ଉପରେ ତିନି ପିଢ଼ିର ଦଖଲ କଥାକୁ ବାଧ୍ୟତାମୂଳକ ବୋଲି ଦାବି କରିଥିଲେ; ତାହା ୨୦୨୪ରେ ପରିବର୍ତ୍ତନ ହୋଇଯାଇଛି । କାରଣ୨୦୨୪ ଜାନୁୟାରୀ ମାସରେ ରାଷ୍ଟ୍ରପ୍ରତି ଦୌପଦୀ ମୁର୍ମୁ ୨ଟି ବର୍ଗଙ୍କୁ ନୂଆକରି ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିଛନ୍ତି । ପୁଣି ୨୩ଟି ବର୍ଗଙ୍କୁ ଅନୁସୂଚିତ ଜନଜାତି ବର୍ଗଙ୍କ ନାମର ସମାନ ନାମ (ବିଭିନ୍ନ ସ୍ଥାନରେ ଡକାଯାଉଥିବା ନାମ)ଆଧାରରେ ତାଲିକାଭୁକ୍ତ କରିଛନ୍ତି । ତେଣୁ ପୂର୍ବରୁ ଅନ୍ୟାନ୍ୟ ପାରମ୍ପରିକ ଆଦିବାସୀଙ୍କ ତାଲିକାରେ ଥିବା ଅଧିକାଂଶ ଦାବିଦାର ଏଣିକି ଅନୁସୂଚିତ ଜନଜାତି ବର୍ଗଙ୍କ ଭିତରେ ଆସିବେ ।
ପୁଣି ଯେଉଁମାନଙ୍କର ଦାବିକୁ ଅଣଆଦିବାସୀଭାବେ ତିନି ପିଢ଼ିର ପ୍ରମାଣ ଦେଇ ପାରିନଥିବାରୁ ନାକଚ କରି ଦିଆଯାଇଥିଲା ସେମାନେ ଏଣିକି ଅନୁସୂଚିତ ଜନଜାତି ଭାବେ ତିନି ପିଢ଼ି ଧରି ଜଙ୍ଗଲ ଜମି ଉପରେ ଅକ୍ତିଆର ନ କରି ବି ଜଙ୍ଗଲ ଅଧିକାର ଆଇନରେ ଅଧିକାର ପାଇ ପାରିବେ । କେବଳ ୧୩ -୧୨-୨୦୦୫ ପୂର୍ବରୁ ପ୍ରାଥମିକ ଭାବେ ଜଙ୍ଗଲରେ କିମ୍ବା ଜଙ୍ଗଲ ଜମିରେ ବାସ କରୁଥିଲେ ଓ ଜୀବିକା ଉପାର୍ଜନ ପାଇଁ ଯଥାର୍ଥ ଭାବେ ଜଙ୍ଗଲ କିମ୍ବା ଜଙ୍ଗଲ ଜମି ଉପରେ ନିର୍ଭରଶୀଳ ହୋଇଥିଲେ ତାଙ୍କୁ ଜଙ୍ଗଲ ଅଧିକାର ଆଇନ ଆଧାରରେ ଜଙ୍ଗଲ ଜମି ଉପରେ ତାଙ୍କର ତାଙ୍କର ନାର୍ଯ୍ୟ ଅଧିକାର ମିଳିପାରିବ ।
ଅର୍ଥାତ ନାକଚ ହୋଇଥିବା ଦାବିଦାରମାନଙ୍କ ଭିତରୁ କେତେକ ଏହି ନୂଆ ତାଲିକାଭୁକ୍ତ ବର୍ଗଙ୍କ ଭିତରେ ଆସୁଥିବା ବେଳେ ଏବେ ଜଙ୍ଗଲ ଅଧିକାର ଅଧୀନିୟମର ଧାରା ୨ର ଉପଧାରା (ଣ) ଅନୁସାରେ ଦିଆଯାଇଥିବା ନିୟମ ଲାଗୁ ହେବ ନହିଁ। କାରଣ ତଥ୍ୟ ରେ ଲେଖା ଅଛି ‘ ଅନ୍ୟାନ୍ୟ ପାରମ୍ପରିକ ବନବାସୀ: ଅର୍ଥାତ କୌଣସି ସଦସ୍ୟ କିମ୍ବା ସମ୍ପ୍ରଦାୟ ଯେଉଁମାନେ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ତିନି ପିଢ଼ି (୭୫)ଧରି ପ୍ରାଥମିକ ଭାବେ ଜଙ୍ଗଲରେ ରହି ଆସିଛନ୍ତି ଏବଂ ଯେଉଁମାନେ ମୁଖ୍ୟତଃ ଜଙ୍ଗଲ ଓ ଜଙ୍ଗଲ ଜମି ଉପରେ ପ୍ରକୃତ ଭାବେ ଜୀବନ ଜୀବିକା ପାଇଁ ନିର୍ଭରଶୀଳ ସେମାନେ ଜଙ୍ଗଲ ଜମିର ଦାବି କରିପାରିବେ। ତା ବଦଳରେ ଜଙ୍ଗଲ ଅଧିକାର ଆଇନର ଧାରା ୨(ଗ) ଅନୁସାରେ ଦିଆଯାଇଥିବା ନିୟମ ଯଥା ‘ବନବାସୀ ଅନୁସୂଚିତ ଜନଜାତି: ଅର୍ଥାତ ଅନୁସୂଚିତ ଜନଜାତିଙ୍କର ସମ୍ପ୍ରଦାୟ ଯେଉଁମାନେ ମୁଖ୍ୟତଃ ଜଙ୍ଗଲରେ ବସବାସ କରନ୍ତି ଏବଂ ପ୍ରକୃତ ଭାବରେ ଜୀବନଜୀବିକାର ସାଧନ ନିମନ୍ତେ ଜଙ୍ଗଲ କିମ୍ବା ଜଙ୍ଗଲ-ଜମି ଉପରେ ନିର୍ଭର କରନ୍ତି, ଅନୁସୂଚିତ ଜନଜାତିର ଅନ୍ତର୍ଭୁକ୍ତ ପଶୁପାଳକ ସମ୍ପ୍ରଦାୟ ମଧ୍ୟ ଏହାର ଅନ୍ତର୍ଗତ; ଲାଗୁହେବ।
ଅଣ ଆଦିବାସୀ ଭାବେ ତିନି ପିଢ଼ିର ପ୍ରମାଣ ଦେଇ ପାରିନଥିବାରୁ ଓଡିଶାରେ ୬୦ ହଜାର ୧୦୩ ଜଣଙ୍କ ନାମକୁ ନାକଚ କରି ଦିଆଯାଇଛି । ସେଥିମଧ୍ୟରୁ ସର୍ବାଧିକ ୧୧ ହଜାର ୧୩୧ ଜଣଙ୍କ ନାମ ସମ୍ବଲପୁରରୁ ରହିଥିବା ବେଳେ ୭ ହଜାର ୨୨୦ ଜଣଙ୍କ ନାମ ସୁନ୍ଦରଗଡ ଜିଲ୍ଲାରୁ, ୬ହଜାର ୫୦୨ ଜଣଙ୍କ ନାମ କେନ୍ଦୁଝର ଜିଲ୍ଲାରୁ ୪ ହଜାର ୨୧ ଜଣଙ୍କ ନାମ ମୟୂରଭଞ୍ଜ ଜିଲ୍ଲାରୁ,୩ ହଜାର ୭୦୪ ଜଣଙ୍କ ନାମ ଝରସୁଗୁଡା ଅଞ୍ଚଳରୁ, ୩ ହଜାର ୨୯୪ ଜଣଙ୍କ ନାମ ବଲାଙ୍ଗୀର ଅଞ୍ଚଳରୁ ନାକଚ କରାଯାଇଛି । ପୂର୍ବରୁ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ତାଲିକାରେ ଥିବା ଥିବା ଏହି ଦାବିଦାରମାନଙ୍କ ଭିତରୁ ଅଧିକାଂଶ ଦାବିଦାର ଏଣିକି ଅନୁସୂଚିତ ଜନଜାତି ବର୍ଗଙ୍କ ଭିତରେ ଆସିବେ।
ପ୍ରତିଭା ଘୋଷ
୧୦ ବର୍ଷର ସାମ୍ବାଦିକତା ବୃତ୍ତିରୁ ବିରତି ନେବା ପରେ ଗତ ଦୁଇ ବର୍ଷ ହେବ ଡେଭେଲପ୍ମେଣ୍ଟ ସେକ୍ଟରରେ କାମ କରୁଛନ୍ତି । ଜଙ୍ଗଲ ଓ ପରିବେଶ,ଜଳବାୟୂ ପରିବର୍ତ୍ତନ, ମହିଳା ଅଧିକାର, ଜୀବନ ଜୀବିକାର କାହାଣୀକୁ ଅତି ସରଳ ଭାଷାରେ ସାଧାରଣ ଲୋକଙ୍କ ପାଖକୁ ପହଞ୍ଚାଇବାର କଳା ତାଙ୍କ ପାଖରେ ରହିଛି । ସାମ୍ବାଦିକତାରେ ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକ ସାରିଥିବା ପ୍ରତିଭା ଏବେ ବସୁନ୍ଧରାର ରିସର୍ଚ୍ଚ ଓ ଡକ୍ୟୁମେଣ୍ଟେସନ୍ ବିଭାଗରେ କାର୍ଯ୍ୟରତ ।