ଜଙ୍ଗଲ ଅଧିକାର ଆଇନ; ଏକ ନୂଆ ସମ୍ଭାବନା

ସିଆର୍ ବିଜୟ

ଜଙ୍ଗଲ ଅଧିକାର ଆଇନ ଆସିବା ଦ୍ୱାରା; ଜଙ୍ଗଲରେ ରହିଆସୁଥିବା ଆଦିବାସୀଙ୍କ ଅନୁଭବ ଓ ପାରମ୍ପରିକ ଜ୍ଞାନକୁ ଆଧାର କରି ବର୍ତ୍ତମାନ ଗ୍ରାମସଭାଗୁଡିକ ଆଇନଗତ ଭାବେ ଜଙ୍ଗଲ ସୁରକ୍ଷା ପାଇଁ ଅଧିକାର ପାଇଛନ୍ତି; ଏହି ପଦକ୍ଷେପ ଜଙ୍ଗଲ ଅଧିକାର ଆଇନକୁ ନେଇ ଏକ ନୂଆ ଯୁଗର ଆରମ୍ଭ କରିବ ।

ଲେଖକ: ସିଆର୍ ବିଜୟ

ଅନୁବାଦ: ପ୍ରତିଭା ଘୋଷ

 

ପ୍ରବୀଣ ଭାର୍ଗବଙ୍କ ଦ୍ୱାରା ୨୦୨୫, ଫେବୃୟାରୀ ୧୬ ତାରିଖରେ Forest Rights Act: Triggering the apocalypse of forest loss and fragmentation’. (ଫରେଷ୍ଟ ରାଇଟ୍ସ ଆକ୍ଟ: ଟ୍ରିଗରିଂ ଦ ଆପୋକାଲିପ୍ସ ଅଫ୍ ଫରେଷ୍ଟ ଲସ୍ ଆଣ୍ଡ ଫ୍ରେଗ୍‌ମେଣ୍ଟେସନ୍‌) ଶୀର୍ଷକ ଇଣ୍ଡିଆନ୍ ଏକ୍ସପ୍ରେସ୍‌ରେ ଏକ ସନ୍ଦର୍ଭ ପ୍ରକାଶିତ ହୋଇଥିଲା । ଯେଉଁଥିରେ ସେ ଦାବି କରନ୍ତି ଯେ ୨୦୦୬ ମସିହାରେ ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଅଧିକାର ସ୍ୱୀକୃତ ଆଇନ ଜଙ୍ଗଲ ଅଧିକାର ଆଇନ୍ ଭାରତର ଜଙ୍ଗଲଗୁଡିକୁ ନଷ୍ଟ କରୁଛି । ମାତ୍ର ଏହି ଆଇନ ବାସ୍ତବରେ ସମସ୍ତ ଶ୍ରେଣୀର ଲୋକ; ଯଥା ଜଙ୍ଗଲନିବାସୀ, ପରିବେଶ ବିଶେଷଜ୍ଞ, ଆଇନ ଓ ପ୍ରଶାସନିକ ବୁଦ୍ଧିଜୀବୀମାନଙ୍କ ମତ ଅନୁସାରେ ଏକ ଐତିହାସିକ ଆଇନ ଭାବେ ଗ୍ରହଣୀୟ ହୋଇଛି।

 

ସେହି ଆଲେଖ୍ୟାର ଲେଖକ ପ୍ରବୀଣ ଭାର୍ଗବ ହେଉଛନ୍ତି; ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ମାମଲା ଡବ୍ଲ୍ୟୁପି (ସି) ନଂ ୧୦୯/୨୦୦୮ର ମୁଖ୍ୟ ଅଭିଯୋଗକାରୀ ତଥା ୱାଇଲ୍ଡଲାଇଫ୍ ଟ୍ରଷ୍ଟି ନାମକ ସଙ୍ଗଠନର ମୁଖ୍ୟ । ସେମାନେ ଦାବି କରିଥିଲେ ଯେ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତା ନାହିଁ ଓ ଏହା ସଂସଦର କ୍ଷମତା ପରିସରଭୁକ୍ତ ନୁହେଁ । ଯାହାକୁ ଭିତ୍ତିକରି ସର୍ବୋଚ୍ଚ ନ୍ୟାୟାଳୟ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ସେମାନଙ୍କର ପୈତୃକ ଜଙ୍ଗଲ ଜମି ଅଧିକାରର ସ୍ୱୀକୃତି ନଦେଇ ଖାଲି କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ସେତେବେଳେ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତାକୁ ନେଇ କୌଣସି ରାୟ ପ୍ରକାଶ ପାଇନଥିଲା। କେନ୍ଦ୍ର ସରକାର ଏ ଉପରେ କୌଣସି ନିଷ୍ପତ୍ତି ନେଇ ନ ପାରି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ଏ ଉପରେ ହେବାକୁ ଥିବା ରାୟକୁ ସ୍ଥଗିତ ରଖିବାକୁ ଅନୁରୋଧ କଲେ । ରାଜ୍ୟ ସରକାରମାନେ ବି ନାକଚ ଦାବିଗୁଡିକୁ ପୁଣି ଥରେ ଯାଞ୍ଚ କରିବାକୁ ଚାହିଁଲେ; କାରଣ ଅଧିକାଂଶ ନାକଚ ଦାବିରେ ଆଇନଗତ ପ୍ରକ୍ରିୟା ଅନୁସରଣ କରାନଯାଇ ପ୍ରତ୍ୟାଖ୍ୟାନ କରାଯାଇଥିବାର ସନ୍ଦହ ଉପୁଜିଥିଲା । ଏହି କଷ୍ଟସାଧ୍ୟ କାମ ଏକ ମାସ ନୁହେଁ ; ବରଂ ବର୍ଷ ବର୍ଷର ସମୟ ନେଇଥିଲା। ଏବେ ପର୍ଯ୍ୟନ୍ତ ଏହି ମାମଲା ସମାଧାନ ନ ହୋଇ ପଡି ରହିଛି । ୱାଇଲ୍ଡଲାଇଫ୍ ଫାଷ୍ଟ ପକ୍ଷରୁ ଗତ ବର୍ଷ ଆଉ ଏକ ମାମଲା ରୁଜୁ କରାଯାଇଥିଲା । ଯାହାକି ୨୦୨୫ ଏପ୍ରିଲ ୨ରେ ଶୁଣାଯିବାକୁ ସ୍ଥିର କରାଯାଇଥିଲା ।

ପ୍ରକୃତରେ ଜଙ୍ଗଲ ଅଧିକାର ଆଇନ କ’ଣ?

ବାସ୍ତବିକ ଜଙ୍ଗଲ ଅଧିକାର ଆଇନ କାହାକୁ କୌଣସି ଅଧିକାର ପ୍ରଦାନ କରେ ନାହିଁ । ଏହା କେବଳ ୧୩ ଡିସେମ୍ବର ୨୦୦୫ ପୂର୍ବରୁ ଅଧିକୃତ ଜଙ୍ଗଲ ଜମିକୁ ଚିହ୍ନଟ କରିଥାଏ ଓ ଏହା ଉପରେ ଅକ୍ତିଆର କରିଥିବା ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କୁ ସ୍ୱୀକୃତି ଦେଇଥାଏ । ଅନେକ ସରକାରୀ ଅଧ୍ୟୟନରୁ ଜଣାଯାଇଛି ଯେ; ବ୍ରିଟିଶମାନଙ୍କ ଶାସନ ସମୟରୁ ଆରମ୍ଭ କରି ଏ ପର୍ଯ୍ୟନ୍ତ ଅନେକ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀମାନଙ୍କର ଅଧିକାର ଲଗାତାର ଭାବେ ପ୍ରତ୍ୟାଖିତ ହୋଇଛି । ଯଦିଓ ଜଙ୍ଗଲ ଅଧିକାର ଆଇନ ଏହାର ପ୍ରମୁଖ ଦାବିଦାରଙ୍କୁ ଆବଶ୍ୟକ ଅଧିକାର ଅନୁମୋଦନ କରିବାକୁ କହିଛି; ମାତ୍ର ଏହା ସବୁ ସମୟରେ ଅଣଦେଖା କରାଯାଇଛି । ୨୦୦୪ ମସିହାରେ ଗୋଦାଭର୍ମନ୍ ମାମଲାରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ସୁପ୍ରିମକୋର୍ଟଙ୍କ ଆଗରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱୀକାରୋକ୍ତି କରିଥିଲେ; ସେସମୟରେ ସତ୍ତ୍ୱଧିକାର ପତ୍ର (ରେକର୍ଡ ଅଫ୍ ରାଇଟ୍ସ)ର ବ୍ୟବସ୍ଥା ନଥିଲା । ତେଣୁ ଦେଶରେ ଯେତେବେଳେ ଜଙ୍ଗଲ ଏକତ୍ରୀକରଣର ପ୍ରକ୍ରିୟା ଆରମ୍ଭ ହେଲା ସେତେବେଳେ ଆଦିବାସୀମାନଙ୍କର ଅଧିକାରକୁ ନେଇ ରହିଥିବା ଦ୍ୱନ୍ଦ୍ୱର ସମାଧାନ କରାଯାଇ ପାରିଲା ନାହିଁ । ଏପରି ସ୍ଥିତି ଯୋଗୁଁ ଗ୍ରାମାଞ୍ଚଳର ଲୋକମାନେ, ବିଶେଷ କରି ଆଦିବାସୀ ସମ୍ପ୍ରଦାୟ; ଯେଉଁମାନେ କି ପୁରାତନ ସମୟରୁ ଜଙ୍ଗଲରେ ବସବାସ କରୁଥିଲେ ସେମାନେ ତାଙ୍କର ପାରମ୍ପରିକ ଅଧିକାରର ଓ ଜୀବିକାରୁ ବଞ୍ଚିତ ହେଲେ । ଆଉ ଆଇନ ଦୃଷ୍ଟିରେ ଅନଧିକାର ଦଖଲଦାର ବା ଜବରଦଖଲକାରୀ ଭାବେ ଚିହ୍ନଟ ହେଲେ । ମନ୍ତ୍ରଣାଳୟ ସ୍ୱୀକାର କରିଛି ଯେ ‘ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ପ୍ରତି କରାଯାଇଥିବା ଐତିହାସିକ ଅନ୍ୟାୟ ଶେଷରେ ସଂଶୋଧିତ ହେବା ଦରକାର । ସେଥିପାଇଁ ଜଙ୍ଗଲ ଅଧିକାର ଆଇନର ପ୍ରସ୍ତାବନାରେ ଜଙ୍ଗଲରେ ବସବାସ କରୁଥିବା ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ପ୍ରତି କରାଯାଇଥିବା ଐତିହାସିକ ଅନ୍ୟାୟ ଉପରେ ବିଶେଷ ଗୁରୁତ୍ୱାରୋପ କରାଯାଇ କୁହାଯାଇଛି ଯେ ଜଙ୍ଗଲର ପରିସଂସ୍ଥାନ ଓ ସ୍ଥାୟୀତ୍ୱ ପାଇଁ ଏମାନେ ଅବିଚ୍ଛେଦ୍ୟ । ଜଙ୍ଗଲ ଅଧିକାର ଆଇନ ବନବାସୀଙ୍କ ଭିତରେ ଜଙ୍ଗଲ ଜମିର ଆବଣ୍ଟନ କରେ ନାହିଁ କି ଏହା କୌଣସି ଜଙ୍ଗଲକୁ ଛୋଟ ଛାଟ କରି ଏହାକୁ ଧ୍ୱଂସ କରିବାକୁ ଅନୁମତି ଦିଏ ନାହିଁ । ୨୦୦୫ ମସିହାରେ ଗଠିତ ଟାଇଗର ଟାସ୍କଫୋର୍ସ ଏହି ମାମଲା ଉପରେ ଅନ୍ତିମ ମତ ରଖି କହିଥିଲେ; ‘ସୁରକ୍ଷା ଓ ସଂରକ୍ଷଣ ନାମରେ ଯାହା କରାଯାଇଛି ଓ ଯାହା କରାଯାଉଛି ତାହା ହେଉଛି ସମ୍ପୂର୍ଣ୍ଣ ବେଆଇନ ଏବଂ ଅଣସାମ୍ବିଧାନିକ ଭୂମି ଅଧିଗ୍ରହଣ କାର୍ଯ୍ୟକ୍ରମ ।

ଜଙ୍ଗଲ ଅଧିକାର ଆଇନର ସ୍ଥିତି:

୨୦୦୮ରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ସମ୍ପର୍କିତ ନିୟମାବଳୀ ପ୍ରକାଶ ପାଇବା ପରେ ୨୦୦୯ରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଏଫ୍‌ଏଓକୁ ଦେଇଥିବା ଏକ ରିପୋର୍ଟରେ ଦଶାଇଛନ୍ତି ଯେ ଜଙ୍ଗଲ ଅଧିକାର ଆଇନ ମାଧ୍ୟମରେ ୪୦ ମିଲିୟନ ହେକ୍ଟର ଜଙ୍ଗଲ ଉପରେ ସ୍ଥାନୀୟ ଗ୍ରାମସଭାମାନଙ୍କର ଅଧିକାର ଓ ଦାୟୀତ୍ୱ ରହିଛି । ତେଣୁ ଏହି ଆଇନ ସହ ଅନ୍ୟାନ୍ୟ ଜଙ୍ଗଲ ସମ୍ବନ୍ଧିତ ଆଇନଗୁଡିକୁ ମିଶାଇ ପୁର୍ନଃବ୍ୟବସ୍ଥା କରାଯିବା ଦରକାର ।

ଜାନୁୟାରୀ ୨୦୨୫ ପର୍ଯ୍ୟନ୍ତ ମୋଟ ୭୧୫ ଲକ୍ଷ ହେକ୍ଟର ଜଙ୍ଗଲ ଜମିରୁ ୨୦.୬ ଲକ୍ଷ ହେକ୍ଟର (ଅର୍ଥାତ ୨.୯%) ଜମିକୁ ୨୦୦୫ ପୂର୍ବରୁ ଚାଷ କରୁଥିବା ଓ ବାସ କରୁଥିବା ଲୋକଙ୍କ ନାମରେ ଅନୁମୋଦନ ମିଳିଛି । ୫୭.୧ ଲକ୍ଷ ହେକ୍ଟର ଜଙ୍ଗଲ ଜମିକୁ ଗୋଷ୍ଠୀ ଜଙ୍ଗଲ ଅଧିକାର ଭାବେ ମାନ୍ୟତା ମିଳିଛି। ଅନେକ ସମୟରେ ଗୋଟିଏ ଅଞ୍ଚଳ ଉପରେ ଏକାଧିକ ଦାବି ଥିବାରୁ ଏହି ସଂଖ୍ୟା ଅଧିକ ଲାଗୁଛି । ଗତ ୧୬ ବର୍ଷ ଭିତରେ ଦେଖିଲେ ୪୦ ନିୟୁତ ହେକ୍ଟର ଜଙ୍ଗଲ ଜମିରୁ କେବଳ ୧୫ରୁ ୨୦% ଅଞ୍ଚଳକୁ ପ୍ରାକୃତିକ ଭାବେ ମାନ୍ୟତା ଦିଆଯାଇଛି । ଜଙ୍ଗଲ ଅଧିକାର ଆଇନ, ୧୩ ପ୍ରକାର ମୌଳିକ ସୁବିଧା ପ୍ରଦାନ କରିଥାଏ। ଯେପରିକି ସ୍କୁଲ, ରାସନ ଦୋକାନ, ଅଙ୍ଗନୱାଡି, ପାନୀୟ ଜଳ ଇତ୍ୟାଦି । ଗ୍ରାମସଭା ଅନୁମତି ଦେଲେ ଗୋଟିଏ ହେକ୍ଟର ପରିମିତ ଜଙ୍ଗଲ ଜମିରେ ଏସବୁ ଅନୁଷ୍ଠାନ ନିର୍ମାଣ ପାଇଁ ଗ୍ରାମସଭାର ଅନୁମୋଦନ କ୍ରମେ ୭୫ଟି ଗଛ କାଟିବାର ବ୍ୟବସ୍ଥା ରହିଛି । ୪ ହଜାର ୫୨୬ଟି ଜଙ୍ଗଲ ଗାଁ ଏବଂ କିଛି ଜଙ୍ଗଲ ସୀମାନ୍ତବର୍ତ୍ତୀ ଗ୍ରାମ ଏହି ବ୍ୟବସ୍ଥାର ସଦୁପଯୋଗ କରି ପାରିବେ ।

ଅଧିକାର ସ୍ୱୀକୃତି ପ୍ରାପ୍ତ କରିବା ବା ଅଧିକାର ଅନୁମୋଦନ ବ୍ୟବସ୍ଥାକୁ ଜଙ୍ଗଲ ଧ୍ୱଂସ ଭାବେ ବିବେଚିତ କରିବା ଠିକ୍ ନୁହେଁ। କାରଣ ଜଙ୍ଗଲ ଅଧିକାର ଆଇନ ଜମିର ବ୍ୟବହାରିକ ପରିବର୍ତ୍ତନକୁ ଅନୁମତି ପ୍ରଦାନ କରେ ନାହିଁ । ଏହି ଆଇନ ଭଙ୍ଗ କଲେ ଏହାର ଅଧିକାରୀ କିମ୍ବା ସଦସ୍ୟଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି ।

ଅଧିକାର ସ୍ୱୀକୃତି:

ସାଧାରଣତଃ ଅଧିକାରୀମାନେ ଅନେକ ସମୟରେ ଗୋପନୀୟ ଭାବେ ନିଷ୍ପତ୍ତି ନିଅନ୍ତି । କିନ୍ତୁ ଜଙ୍ଗଲ ଅଧିକାର ଆଇନ ଏକ ସ୍ପଷ୍ଟ, ସ୍ୱଚ୍ଛ ଓ ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ୱାରା ଅଧିକାରର ଅନୁମୋଦନକୁ ବାଟ କଢ଼ାଇଥାଏ । ଏହି ପ୍ରକ୍ରିୟାରେ ତିନି ସ୍ତରୀୟ ଯାଞ୍ଚ ବ୍ୟବସ୍ଥା ରହିଛି । ସେଗୁଡିକ ହେଲା; ଗ୍ରାମସଭା ଦ୍ୱାରା ସାର୍ବଜନୀନ ଯାଞ୍ଚ ବ୍ୟବସ୍ଥା, ଦ୍ୱିତୀୟ ସ୍ତରରେ ତିନି ଜଣ ପଞ୍ଚାୟତ ପ୍ରତିନିଧିଙ୍କ ଉପସ୍ଥିତିରେ ରାଜସ୍ୱ, ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀ ଓ ବନ ବିଭାଗ ଅଧିକାରୀଙ୍କ ଦ୍ୱାରା ଉପଖଣ୍ଡସ୍ତରୀୟ ଯାଞ୍ଚ ବ୍ୟବସ୍ଥା, ତୃତୀୟରେ ସମାନ ଭାବେ ଏକ ଜିଲ୍ଲାସ୍ତରୀୟ କମିଟି ଦ୍ୱାରା ଯାଞ୍ଚ ବ୍ୟବସ୍ଥା କରାଯାଇଥାଏ । ସାର୍ବଜନନୀନ ଅନୁମୋଦନ ପାଇଁ ଅନ୍ତତଃପକ୍ଷେ ଦୁଇଟି ପ୍ରମାଣ ସାଧାରଣ ଲୋକଙ୍କ ଦ୍ୱାରା ଯାଞ୍ଚ ହୋଇ ଆସିଥିବା ଦରକାର । ଦାବିଦାର, ଗ୍ରାମସଭା କିମ୍ବା କୌଣସି ସରକାରୀ ଏଜେନ୍ସି ଷ୍ଟାଚ୍ୟୁଟୋରୀ ସଂସ୍ଥା ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ବିରୋଧରେ ଅପିଲ୍ କରିପାରିବେ । ଏହି ତିନି ସ୍ତରୀୟ ସ୍ପଷ୍ଟ ଓ ଗଣାତାନ୍ତ୍ରିକ ଯାଞ୍ଚ ବ୍ୟବସ୍ଥା ଏମିତି ଭାବେ ପ୍ରସ୍ତୁତ କରାଯାଇଛି ଯେଉଁଥିରେ ଅନ୍ୟାୟ ପାଇଁ ବହୁତ କମ ସମ୍ଭାବନା ରହିଛି ।

ଉପଗ୍ରହ ଚିତ୍ର ବାବଦରେ:

ଜଙ୍ଗଲ ଅଧିକାର ଅଧୀନିୟମ ଅନୁସାରେ, ଉପଗ୍ରହ ଚିତ୍ରକୁ କୌଣସି ଦାବି ନାକଚ ପାଇଁ ପ୍ରମାଣ ଭାବେ ବ୍ୟବହାର କରାଯାଇ ପାରିବ ନାହିଁ । ଏହା କେବଳ ଦାବି ସ୍ୱୀକୃତି ପାଇଁ ଅତିରିକ୍ତ ପ୍ରମାଣ ଭାବେ ବ୍ୟବହାର କରାଯାଇପାରେ । ଗୁଜୁରାଟ ଉଚ୍ଚ ନ୍ୟାୟାଳୟ ୨୦୧୩ ମସିହାରେ ଏହି କଥାକୁ ପୁଣିଥରେ ସୁନିଶ୍ଚିତ କରିଥିଲେ ।

ଜଙ୍ଗଲ ଜମିରେ କେହି ରହୁଛନ୍ତି କି ନାହିଁ ତାହା କୌଣସି ଉପଗ୍ରହ ଚିତ୍ର ଜଣାଇପାରେ ନାହିଁ । ଇଣ୍ଡିଆ ଫରେଷ୍ଟ ରିପୋର୍ଟ ୨୦୨୩ ଉପଗ୍ରହ ତଥ୍ୟକୁ ଆଧାର କରି ଫଳବଗିଚାରୁ କେତେ ପ୍ରାକୃତିକ ଭାବେ ବଢ଼ିଛି ଓ କେତେ ଗଛକୁ କୃତ୍ରିମ ଭାବେ ରୋପଣ କରାଯାଇଛି ତାହାର ପୃଥକୀକରଣ କରି ପାରିନଥିଲା । ଏକ ଅନୁର୍ବର ଜମି ଦେଖି ଯେପରି ଚାଷ ହୋଇଛି ବୋଲି କୁହାଯାଇ ପାରିବ ନାହିଁ; ଠିକ୍ ସେହିପରି ଗଛ ଭର୍ତ୍ତି ଅଞ୍ଚଳ ଦେଖି କୃଷି ହୋଇନାହିଁ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ । ତୃଣମୂଳସ୍ତରରେ ଅନୁସନ୍ଧାନ କରାଯାଇ ହିଁ କେବଳ ଏହାର ସତ୍ୟତା ଜାଣିହେବ ।

ଜଙ୍ଗଲରେ କ’ଣ ଅସୁବିଧା ରହିଛି?

ବ୍ରିଟିଶ ଶାସନ ସମୟରୁ ଜଙ୍ଗଲ ଜମିର ବ୍ୟବହାରରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ପ୍ରଥମେ ପ୍ରଥମେ ଶିକାର ଓ ଜଙ୍ଗଲ ସଫା ନାମରେ ଜଙ୍ଗଲ ଜମିର ବ୍ୟବହାରିକ ପରିବର୍ତ୍ତନ ଘଟିଛି । ପରେ ଜଙ୍ଗଲର ପୁନଃଜନନକୁ ସୁରକ୍ଷା ଦେବା ପାଇଁ ବ୍ୟବସାୟିକ ଗଛର ଚାରା ରୋପଣ କରଯାଇଛି । ତୃତୀୟତଃ ଜଳସ୍ତରକୁ ସନ୍ତୁଳିତ ରଖିବା ପାଇଁ ଅନୁପଯୁକ୍ତ ଗଛ ସବୁକୁ ଜଙ୍ଗଲରେ ଲଗାଯାଇଛି । ଏହା ସହ ବନ ସଂରକ୍ଷଣ ଆଇନ ୧୯୮୦ ଅନୁଯାୟୀ ଜଙ୍ଗଲ ଜମିକୁ ଜଙ୍ଗଲ ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ବ୍ୟବହାର ପାଇଁ ବିନିଯୋଗ କରାଯାଉଛି । ଜଙ୍ଗଲ ଅଧିକାର ଆଇନ ଜଣେ ଅନୁଭବୀ ଓ ଜଙ୍ଗଲ ଅଞ୍ଚଳରେ କାମ କରୁଥିବା ଲୋକଙ୍କ ଦ୍ୱାରା ଗଠିତ ଗ୍ରାମସଭାକୁ ଜଙ୍ଗଲ ସୁରକ୍ଷା, ସଂରକ୍ଷଣ ନିୟନ୍ତ୍ରଣ ଓ ଏହାର ପରିଚାଳନା ପାଇଁ ଆଇନସମ୍ମତ ଅଧିକାର ପ୍ରଦାନ କରିଥାଏ । ଏହି ଅଧିକାର ଗୋଷ୍ଠୀ ଜଙ୍ଗଲ ଉପରେ ଅଧିକାର ପ୍ରଦାନ କରିଥାଏ । ଯାହାକି ଗୋଟିଏ ଗାଁର ପାରମ୍ପରିକ ସୀମା ଭିତରେ ଥିବା ଏକ ସାଧାରଣ ଭୂମି । ଏହି ପରିବର୍ତ୍ତନ ଜଙ୍ଗଲ ପ୍ରଶାସନରେ ଗ୍ରାମବାସୀଙ୍କର ଭୂମିକାକୁ ଏକ ନୂଆଁ ଅଧ୍ୟାୟ ରୂପେ ଆଗକୁ ନେଇଯାଏ ।

ଜଙ୍ଗଲ ଅଧିକାର ଆଇନର ପ୍ରବଧାନ ଦ୍ୱାରା ସିଡବ୍ଲ୍ୟୁଏଚ୍ (କ୍ରିଟିକାଲ ୱାଇଲ୍ଡଲାଇଫ୍ ହେବିଟାଟ୍‌) ଘୋଷଣା କରି ଫରେଷ୍ଟ ଡାଇଭରସନ୍‌କୁ ବନ୍ଦ କରାଯାଇ ପାରିବ, ଯାହା ଅନ୍ୟ କୌଣସି ଆଇନର ପରିଧିରେ ହୋଇପାରିବ ନାହିଁ । କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ କୋର୍ଟ ଦ୍ୱାରା ପକାଯାଇଥିବା ଚାପର ବଶବର୍ତ୍ତୀ ହୋଇ ୨୦୧୮ରେ ଏକ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି; ମାତ୍ର ଏହା ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ । ଏଭଳି ସ୍ଥିତିରେ ଯଦି ଚିନ୍ତା କରିବା ତେବେ ଜଙ୍ଗଲ ଅଧିକାର ଆଇନରେ ଗ୍ରାମସଭାକୁ ଏହି ସିଡବ୍ଲ୍ୟୁଏଚ୍ ଘୋଷଣା ପ୍ରକ୍ରିୟା ଆରମ୍ଭ କରିବା ଅଧିକାର ଦିଆଯିବା ଉଚିତ ଥିଲା ।

ଅନ୍ତିମ ଭାଗ:

ଜଙ୍ଗଲ ଅଧିକାର ଆଇନର ଦୁର୍ବଳ କାର୍ଯ୍ୟାନ୍ୱୟନ; ବିଶେଷକରି ବନବିଭାଗର ପ୍ରଶାସନିକ ପ୍ରତିରୋଧ ମଧ୍ୟରେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଗତ ସେପ୍େଟମ୍ବରରେ ପ୍ରଧାନମନ୍ତ୍ରୀ ଜନଜାତି ଉନ୍ନତି ଗ୍ରାମ ଅଭିଯାନ (ପିଏମ୍‌-ଜାଗୁଆ)ର ଅଂଶ ଭାବେ ଦେଶବ୍ୟାପୀ ଜଙ୍ଗଲ ଅଧିକାର ଆଇନ ଅଧିନରେ ସମସ୍ତ କାମ କରିବାକୁ ବ୍ୟାପକ ପ୍ରଚେଷ୍ଟା ଆରମ୍ଭ କରିଛି ।

ସିଆର୍ ବିଜୟ
+ posts

ଭଲ ଲାଗି ପାରେ

ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ

ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ; ଏହା ବନବାସୀଙ୍କ ଦୀର୍ଘଦିନର ସଂଘର୍ଷର ଫଳ

ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା। ପ୍ରସ୍ତୁତି:...

read more

ଜଙ୍ଗଲ ଅଧିକାର ଆଇନ ସର୍ବୋପରି ଏକ ଯୁଗାନ୍ତକାରୀ ଆଇନ

ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ...

read more
‘ଉଚ୍ଛେଦ ନୁହେଁ; ଅଧିକାର ସାବ୍ୟସ୍ତ ପାଇଁ ଆସିଛି ଜଙ୍ଗଲ ଅଧିକାର ଆଇନ’: ତୁଷାର ଦାଶ

‘ଉଚ୍ଛେଦ ନୁହେଁ; ଅଧିକାର ସାବ୍ୟସ୍ତ ପାଇଁ ଆସିଛି ଜଙ୍ଗଲ ଅଧିକାର ଆଇନ’: ତୁଷାର ଦାଶ

ଦୀର୍ଘ ବର୍ଷ ଧରି ଆଦିବାସୀଙ୍କ ଉପରେ ହୋଇ ଆସୁଥିବା ଐତିହାସିକ ଅନ୍ୟାୟ ବିରୁଦ୍ଧରେ ଉଠିଥିବା ସ୍ୱରର ଫଳ ସ୍ୱରୂପ ଜନ୍ମ ନେଇଥିଲା ଜଙ୍ଗଲ ଅଧିକାର...

read more