ଭାରତର ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟର ଲୋକମାନେ ବର୍ଷ ବର୍ଷ ଧରି ଯେଉଁ ଅନ୍ୟାୟର ସାମ୍ନା କରିଆସୁଥିଲେ, ସେଥିରେ ଏକ ଉଲ୍ଲେଖନୀୟ ପରିର୍ତ୍ତନ ଆଣିବା ଲାଗି ଜଙ୍ଗଲ ଅଧିକାର ଆଇନ ୨୦୦୬ ହେଉଛି ଏକ ଐତିହାସିକ ପଦକ୍ଷେପ। ଏହି ଯୁଗାନ୍ତକାରୀ ଆଇନର ବ୍ୟବସ୍ଥା ବନବାସୀ ଗୋଷ୍ଠୀ ଏବଂ ସେମାନେ ବସବାସ କରୁଥିବା ଜଙ୍ଗଲ ଓ ପରିବେଶ ମଧ୍ୟରେ ଥିବା ସେମାନଙ୍କର ଅତୁଟ ପାରମ୍ପରିକ ସମ୍ପର୍କକୁ ପ୍ରମାଣିତ କରୁଛି। ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଥିବା ମାମଲା, ୨୦୧୯ ଫେବୃୟାରୀରେ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶନାମା ଏବଂ ଏହାର କାର୍ଯ୍ୟକାରିତା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଓ ଦିଗକୁ ଉତ୍ଥାପନ କରେ। ଏହି ଆଲେଖ୍ୟଟିରେ ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଥିବା ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ମାମଲାର କାର୍ଯ୍ୟକାରିତା ଏବଂ ଏ ଦିଗରେ ଥିବା ଆହ୍ୱାନଗୁଡ଼ିକୁ ସାମ୍ନାକୁ ଆଣିବାକୁ ଚେଷ୍ଟା କରାଯାଇଛି।
୨୦୧୯ ଫେବୃୟାରୀ ୧୩ ତାରିଖରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ, ଯେଉଁଥିରେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଖାରଜ ହୋଇଥିବା ଆବେଦନକାରୀଙ୍କୁ ଜଙ୍ଗଲରୁ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ରହିଥିଲା। ଏହି ଉଚ୍ଛେଦ ନିର୍ଦ୍ଦେଶନାମା ପାଖାପାଖି ୧୭ ରୁ ୧୮ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିବାର ସମ୍ଭାବନା ଥିବା ବେଳେ ଏହାକୁ ନେଇ ବ୍ୟାପକ ବିରୋଧ ହେବାର ମଧ୍ୟ ଆଶଙ୍କା ରହିଥିଲା। ଭାରତର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଫେବୃୟାରୀ ୨୮ ତାରିଖରେ ସର୍ବୋଚ୍ଚ ନ୍ୟାୟାଳୟ ନିଜ ନିର୍ଦ୍ଦେଶନାମାରେ ଏକ ସଂଶୋଧନ କଲେ। ଉଚ୍ଛେଦ ନିର୍ଦ୍ଦେଶକୁ ସ୍ଥଗିତ ରଖିବା ସହିତ ଖାରଜ ହୋଇଥିବା ଜଙ୍ଗଲ ଅଧିକାର ଆବେଦନଗୁଡ଼ିକର ପୁନର୍ବିଚାର କରିବା ଲାଗି ପ୍ରତ୍ୟେକ ରାଜ୍ୟକୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ନ୍ୟାୟାଳୟ। ଜଙ୍ଗଲ ଅଧିକାର ଆବେଦନର ପୁନର୍ବିଚାର ଏବଂ ଅଧିକାରୀମାନେ ତ୍ରୁଟିଯୁକ୍ତ ଭାବେ ଖାରଜ କରିଥିବା ଆବେଦନର ସମୀକ୍ଷା ଓ ସଂଶୋଧନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶନାମାକୁ ଇତିମଧ୍ୟରେ ୬ ବର୍ଷ ବିତିଗଲାଣି; କିନ୍ତୁ ଏଯାବତ୍ ଅନେକ ରାଜ୍ୟରେ ଏହାକୁ ନେଇ ସଠିକ୍ ଭାବେ ପୁନର୍ବିଚାର ପ୍ରକ୍ରିୟା ଆରମ୍ଭ ହୋଇପାରିନାହିଁ।
ଓଡ଼ିଶାରେ ଜଙ୍ଗଲ ଅଧିକାର ସମ୍ପର୍କିତ ୬ ଲକ୍ଷ ୨୯ ହଜାର ଆବେଦନ ଦାଖଲ କରାଯାଇଥିଲା। ସେଥିମଧ୍ୟରୁ ୧,୪୦,୫୪୦ଟି ଆବେଦନ (ମୋଟ ଆବେଦନର ୨୩ ପ୍ରତିଶତ) ଜିଲ୍ଲାସ୍ତରୀୟ କମିଟିଗୁଡ଼ିକ ଦ୍ୱାରା ଖାରଜ କରାଯାଇଥିଲା। ସେହି ସମୟରୁ ଜଙ୍ଗଲ ଅଧିକାର ଆଇନ ଓ ନିୟମାବଳୀ ଅନୁଯାୟୀ ଆବେଦନଗୁଡ଼ିକର ପୁନର୍ବିଚାର ପ୍ରକ୍ରିୟା ଯେଉଁଭଳି ଭାବେ ଆଗେଇବା କଥା, ତାହା ହୋଇପାରିନାହିଁ। କାରଣ ଖାରଜ ହୋଇଥିବା ଆବେଦନଗୁଡ଼ିକ ସମ୍ପର୍କରେ ବିଶ୍ୱାସଯୋଗ୍ୟ ତଥ୍ୟ ନାହିଁ କି ଆବେଦନ ଖାରଜ ହେବାର କାରଣ ମଧ୍ୟ ଜଣାପଡ଼ିନାହିଁ। ସରକାରୀ ତଥ୍ୟ କହୁଛି, ଆବେଦନ ଖାରଜ ହେବାର କାରଣ ହେଉଛି- ପ୍ରକ୍ରିୟାଗତ ତ୍ରୁଟି, ଅଣ-ଆଦିବାସୀମାନେ ଏଥିପାଇଁ ଆବେଦନ କରିବା, ଆବେଦନ କରାଯାଇଥିବା ଜମି ଜଙ୍ଗଲ ଜମି ହୋଇନଥିବା କିମ୍ବା ଯଥେଷ୍ଟ ପ୍ରମାଣର ଅଭାବ ଇତ୍ୟାଦି। ଅନ୍ୟପକ୍ଷରେ ସ୍ଥାନୀୟ ତଥ୍ୟ ଅନୁସାରେ ଜଣାପଡ଼ିଛି ଯେ ଅନେକ ଯୁକ୍ତିଯୁକ୍ତ ଆବେଦନକୁ ମଧ୍ୟ ଉପଯୁକ୍ତ ସ୍ତରରେ ବିଚାର ନକରି ଖାରଜ କରାଯାଇଛି। ଏହା କେବଳ ଓଡ଼ିଶାର ଚିତ୍ର ନୁହେଁ, ବରଂ ସାରା ଦେଶରେ ଏହି ସମସ୍ୟାର ପ୍ରତିଫଳନ ଦେଖିବାକୁ ମିଳିଛି। ଆବେଦନ ଖାରଜ ହେବା ଦ୍ୱାରା ଏହା କେବଳ ଆଦିବାସୀ ଗୋଷ୍ଠୀଙ୍କ ଅଧିକାରକୁ ଅସ୍ୱୀକାର କରୁନାହିଁ, ବରଂ ଏହା ସେମାନଙ୍କୁ ଜବରଦଖଲକାରୀର ଆଖ୍ୟା ଦେଉଛି। ଏଭଳି ସ୍ଥିତି ସେମାନଙ୍କୁ ନିଜ ମାଟିରୁ ବିସ୍ଥାପିତ କରିବା ସହ ସେମାନଙ୍କର ଜୀବନ ଜୀବିକାକୁ ବିପନ୍ନ କରିବାର ଆଶଙ୍କା ସୃଷ୍ଟି କରିଛି। ଏଭଳି ସ୍ଥିତି ହେଉଛି ଏକ ବିରୁଦ୍ଧାଚରଣ, ଯାହା ବନବାସୀଙ୍କ ପ୍ରତି ଅନେକ ଦଶନ୍ଧି ଧରି ହୋଇଥିବା ଅନ୍ୟାୟର ସୁଧାର ଆଣିବା ପାଇଁ ପ୍ରଣିତ ହୋଇଥିବା ଜଙ୍ଗଲ ଅଧିକାର ଆଇନର ପ୍ରକୃତ ଲକ୍ଷ୍ୟ ଓ ଉଦ୍ଦେଶ୍ୟର ବିପରୀତ।
ନ୍ୟାୟର ଲଢେଇ ପାଇଁ କୌଣସି ଅସ୍ତ୍ରଠୁ ବି ଅଧିକ ଶାଣିତ ହେଉଛି ‘ଜଙ୍ଗଲ ଅଧିକାର ଆଇନ’। ଜଙ୍ଗଲ ଉପରେ ନିର୍ଭରଶୀଳ ଗୋଷ୍ଠୀଙ୍କୁ ସଶକ୍ତ କରିବା ଏବଂ ଜଙ୍ଗଲ ଆଧାରିତ ବିଧି ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ଏହା ହେଉଛି ଏକ ଅକାଟ୍ୟ ବାଣ । ସାରା ଓଡ଼ିଶାରେ ଏହାର ସଫଳତାର ଅନେକ ଦୃଷ୍ଟାନ୍ତ ରହିଛି। ଜଙ୍ଗଲର ପରିଚାଳନା ଓ ସୁରକ୍ଷା ପାଇଁ ଜଙ୍ଗଲ ଅଧିକାର ଆଇନ ଅଧୀନରେ ଏକ ଉଲ୍ଲେଖନୀୟ ପଦକ୍ଷେପ ହେଉଛି ଗ୍ରାମସଭାର ସଶକ୍ତିକରଣ। ଏହି ଗ୍ରାମସଭା ହେଉଛି ଏକ ଗ୍ରାମସ୍ତରୀୟ ଗଣତାନ୍ତ୍ରିକ ସଂସ୍ଥା। ଏହି ସ୍ଥାନୀୟ (ଭିତ୍ତିକ) ଅନୁଷ୍ଠାନକୁ ନିଷ୍ପତ୍ତି ନେବାର କ୍ଷମତା ପ୍ରଦାନ କରି ‘ଜଙ୍ଗଲ ଅଧିକାର ଆଇନ’ ଗ୍ରାମସଭା ମଧ୍ୟରେ ସହଭାଗୀ ଶାସନ ପଦ୍ଧତିକୁ ପ୍ରୋତ୍ସାହିତ କରିପାରିଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାରେ ଅହେତୁକ ବିଳମ୍ବ ଯୋଗୁଁ ଜଙ୍ଗଲ ଉପରେ ନିର୍ଭରଶୀଳ ଲକ୍ଷ ଲକ୍ଷ ଆଦିବାସୀ ଓ ବନବାସୀଙ୍କ ଜୀବନ ଜୀବିକା ଗଭୀର ଭାବେ ବିପନ୍ନ ହୋଇଛି । କେବଳ ସେତିକି ନୁହେଁ, ଜଙ୍ଗଲ ଅଧିକାର ଆଇନ, ବିଶେଷକରି ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର (ସିଏଫ୍ଆ)ର୍ ଅଧୀନରେ ଆସୁଥିବା ଅଧିକାରଗୁଡ଼ିକର ପ୍ରୟୋଗ କରି ଜଙ୍ଗଲର ସୁରକ୍ଷା ଓ ସଂରକ୍ଷଣ ପାଇଁ ତୃଣମୂଳ ସ୍ତରରେ ହେଉଥିବା ଉଦ୍ୟମକୁ ମଧ୍ୟ ଏହା ଦୁର୍ବଳ କରିଦେଉଛି। ସର୍ବୋଚ୍ଚ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନ ବିରୋଧରେ ଆବେଦନ କରିଥିବା କେତେକ ରକ୍ଷଣଶୀଳ ଗୋଷ୍ଠୀ ଯୁକ୍ତି କରନ୍ତି ଯେ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ଜଙ୍ଗଲର ବିନାଶ ଏବଂ ଜଙ୍ଗଲ ସମ୍ପଦର ମାତ୍ରାଧିକ ଦୁରୁପଯୋଗ ପାଇଁ ପ୍ରୋତ୍ସାହିତ କରିବାର ସମ୍ଭାବନା ରହିଛି। କିନ୍ତୁ ଓଡ଼ିଶାର ତୃଣମୂଳ ସ୍ତରର ଅଭିଜ୍ଞତା ଏହାର ବିପରୀତ ଚିତ୍ର ବୟାନ କରୁଛି। ଉପରୋକ୍ତ ରକ୍ଷଣଶୀଳ ଗୋଷ୍ଠୀଗୁଡ଼ିକ ଦ୍ୱାରା ହୋଇଥିବା ଆବେଦନ ବିପକ୍ଷରେ ଯାଉଛି ସାରା ଦେଶରୁ ଆସୁଥିବା ଚିତ୍ର। ଏହି ଚିତ୍ର ଦର୍ଶାଉଛି ଯେ ଜଙ୍ଗଲ ସୁରକ୍ଷାକୁ ସୁନିଶ୍ଚିତ କରିବାରେ ଏକ ଗଣତାନ୍ତ୍ରିକ ଓ ପ୍ରଭାବଶାଳୀ ମାଧ୍ୟମ ହେଉଛି ଗୋଷ୍ଠୀଗତ ଜଙ୍ଗଲସମ୍ବଳ ଅଧିକାର। ଓଡ଼ିଶାର ବିଭିନ୍ନ ସ୍ଥାନରୁ କିଛି ସଫଳତାର କାହାଣୀରୁ ଏହା ଜଣାପଡୁଛି ଯେ ଜଙ୍ଗଲ ଉପରେ ଗୋଷ୍ଠୀଗତ ଅଧିକାରର ସ୍ୱୀକୃତି ପାଇବା ପରେ ଅଧିକାଂଶ ଆଦିବାସୀ ଗୋଷ୍ଠୀ ଜଙ୍ଗଲର ଦୀର୍ଘସ୍ଥାୟୀ ପରିଚାଳନା ଏବଂ ଏହାର ସୁରକ୍ଷା ଓ ସଂରକ୍ଷଣ ପାଇଁ ବିଶେଷ ପଦକ୍ଷେପ ନେଇଛନ୍ତି। ଜନଜାତି ଗୋଷ୍ଠୀଗୁଡ଼ିକୁ ସଶକ୍ତ ଓ ସୁଦୃଢ଼ କରିବା ଲାଗି ଜଙ୍ଗଲ ଅଧିକାର ଆଇନ ଯେ ବେଶ୍ ପ୍ରଭାବୀ, ନିମ୍ନୋକ୍ତ ଉଦାହରଣ ସବୁ ତାହା ପ୍ରତିପାଦିତ କରୁଛି।
ନୟାଗଡ଼ ଜିଲ୍ଲାର ରଣପୁର ବ୍ଲକରେ ରହିଛି ତିନିମୌଜା। ତିନିଟି ଗାଁକୁ ନେଇ ତିନିମୌଜା ଗଠିତ। ଜଙ୍ଗଲ ଅଧିକାର ଆଇନ ପ୍ରଣୟନ ଓ ଲାଗୁ ହେବାର ବହୁ ପୂର୍ବରୁ ୧୯୭୭ ମସିହାରେ ଏହି ତିନିଟି ଗାଁର ଲୋକମାନେ ମିଶି ଏକ ଜଙ୍ଗଲ ସୁରକ୍ଷା ସମିତି ଗଠନ କରିଥିଲେ। ତୃଣମୂଳ ସ୍ତରରେ ସେମାନଙ୍କର ଏହି ଉଦ୍ୟମ ଜଙ୍ଗଲ ସୁରକ୍ଷା ଦିଗରେ ଏକ ପ୍ରାଥମିକ ପଦକ୍ଷେପ ଥିଲା, ଯାହା ଏକ ଯୁଗାନ୍ତକାରୀ ପ୍ରତିବଦ୍ଧତା ବହନ କରୁଥିଲା। ୨୦୨୧ ମସିହାରେ ଜଙ୍ଗଲ ଅଧିକାର ଆଇନ ଆଧୀନରେ ସେମାନଙ୍କୁ ଆଇନଗତ ମାନ୍ୟତା ମିଳିବା ପରେ ସେମାନେ ଏକ ଗୋଷ୍ଠୀଗତ ଜଙ୍ଗଲସମ୍ବଳ ପରିଚାଳନା ସମିତି ଗଠନ କଲେ। ଜଙ୍ଗଲ ଅଧିକାର ଆଇନର ଧାରା ୩(୧) ଓ ଧାରା ୫ ଅନୁଯାୟୀ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଉପରେ ଏହି ସମିତିର ପରିଚାଳନା କର୍ତ୍ତୃତ୍ୱକୁ ଏହା କେବଳ ଏକ ଔପଚାରିକ ମାନ୍ୟତା ଥିଲା- ଯଦିଓ ସେମାନେ ବହୁପୂର୍ବରୁ ଅଣଆନୁଷ୍ଠାନିକ ଭାବେ ଜଙ୍ଗଲ ସମ୍ବଳର ପରିଚାଳନା ଓ ସୁରକ୍ଷା ପାଇଁ କାମ କରିଆସୁଥିଲେ।
ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି ତହସିଲ ଅଧୀନସ୍ଥ ବେତକଟା ଗ୍ରାମର ଗୋଷ୍ଠୀକୁ ମଧ୍ୟ ଆଇନଗତ ମାନ୍ୟତା ମିଳିଥିଲା। ସେଠାରେ ସେମାନଙ୍କୁ ୨,୯୨୦ ଏକରରୁ ଉର୍ଦ୍ଧ ଜଙ୍ଗଲ ଅଞ୍ଚଳରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ମିଳିଥିଲା। ଆନୁଷ୍ଠାନିକ ଭାବେ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା ସମିତି ଗଠନ କରି ତାହାଦ୍ୱାରା ଜଙ୍ଗଲ ସମ୍ବଳର ପରିଚାଳନା କରିବାରେ ଏହା ସେମାନଙ୍କୁ ସଶକ୍ତ କରିପାରିଛି। ଏହି ଗ୍ରାମର ନାମରେ ଥିବା ‘ବେତ’ ଓ ବାଉଁଶ ଗଛ ପାରମ୍ପରିକ ଭାବେ ଆଦିବାସୀଙ୍କ ପୂଜାପର୍ବରେ ବ୍ୟବହାର ହେଉଥିଲା। ଏହା ଜନଜାତି ଗୋଷ୍ଠୀ ଏବଂ ଜଙ୍ଗଲ ସମ୍ବଳ ମଧ୍ୟରେ ଥିବା ଗଭୀର ସମ୍ପର୍କକୁ ହିଁ ଦର୍ଶାଉଛି। ବନବାସୀ ଗୋଷ୍ଠୀଗୁଡ଼ିକର ପାରମ୍ପରିକ ଚଳଣି, ପ୍ରଥା ଓ ସଂସ୍କୃତିକୁ ଆଇନଗତ ମାନ୍ୟତା ପ୍ରଦାନ କରିଛି ଜଙ୍ଗଲ ଅଧିକାର ଆଇନ । ଜଙ୍ଗଲ ସୁରକ୍ଷା ଓ ସଂରକ୍ଷଣର ଏହି ପ୍ରାଚୀନ ପଦ୍ଧତିକୁ ବଜାୟ ରଖିବାରେ ଏହି ସ୍ୱୀକୃତି ହେଉଛି ବେଶ୍ ମହତ୍ୱପୂର୍ଣ୍ଣ, ଯାହା ଭାରତର ପରିବେଶଗତ ଐତିହ୍ୟର ଏକ ଅଭିନ୍ନ ଅଂଶ ହୋଇ ରହିଆସିଛି।
ବାଲେଶ୍ୱର ଜିଲ୍ଲାର ନୀଳଗିରି ତହସିଲ ଅଧୀନସ୍ଥ ଅନ୍ୟ ଏକ ଗାଁ ରିଷିଆର ଲୋକମାନେ ବନ୍ୟଜନ୍ତୁ ଶିକାରକୁ ବିରୋଧ କରିଆସୁଥିବାର ଏକ ଐତିହାସିକ ଦୃଷ୍ଟାନ୍ତ ରହିଛି। ନୀଳଗିରି ମହାରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ଶାସନ ସମୟରେ ଏହି ଶିକାର ପ୍ରଥା ପ୍ରଚଳିତ ଥିଲା। ଏଭଳି ବେଆଇନ ଶିକାର ବିରୋଧରେ ଗ୍ରାମବାସୀ ସ୍ୱର ଉଠାଇବା ଯୋଗୁଁ ସେହି ଅଞ୍ଚଳରୁ ଏଭଳି ରାଜକୀୟ ଶିକାର ବ୍ୟବସ୍ଥାର ବିଲୋପ ହୋଇପାରିଥିଲା। ରିଷିଆ ଗାଁର ଇତିହାସ ପାଇଁ ଏହା ଏକ ନିର୍ଣ୍ଣାୟକ ମୋଡ଼ ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ଜରିଆରେ ୪,୪୩୮,୧୬୮ ଏକର ଅଞ୍ଚଳରେ ଜଙ୍ଗଲ ସୁରକ୍ଷାରେ ନିୟୋଜିତ ରହିଛି ଏହି ଗ୍ରାମର ଏକ ଉତ୍ସର୍ଗୀକୃତ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା ସମିତି।
ଜଙ୍ଗଲ ବ୍ୟବସ୍ଥା ଓ ସାଂସ୍କୃତିକ ପରମ୍ପରା ଭିତରେ ଥିବା ଗଭୀର ସମ୍ପର୍କର ଆଉ ଏକ ଜ୍ୱଳନ୍ତ ଉଦାହରଣ ହେଉଛି ମୟୂରଭଞ୍ଜ ଜିଲ୍ଲାର କାଳିକାପ୍ରସାଦ ଗ୍ରାମ। ସବୁ ସମୟରେ ବାଘର ଭୟ ଥିବା ସତ୍ତ୍ୱେ ଏହି ଗାଁର ଲୋକମାନେ ଜଙ୍ଗଲର ସୁରକ୍ଷା କରିବା ସହ ପ୍ରକୃତି ସହିତ ସମନ୍ୱୟ ରକ୍ଷା ପାଇଁ ପ୍ରାଚୀନ ବନ ପୂଜା ଆରମ୍ଭ କଲେ। ଏହି ସାଂସ୍କୃତିକ ଓ ପାରମ୍ପରିକ ପଦକ୍ଷେପ ସେମାନଙ୍କୁ ପ୍ରଥମେ ଥିବା ଭୟ ଓ ତା’ ସହିତ ସେମାନଙ୍କର ପାରମ୍ପରିକ ଜଙ୍ଗଲ ପରିଚାଳନା ପଦ୍ଧତି ଉପରେ ବିଶ୍ୱାସ ବଜାୟ ରଖିବାରେ ସହାୟକ ହେଲା। ଏହାକୁ ଆଧାର କରି ଗ୍ରାମବାସୀମାନେ ଜଙ୍ଗଲ ଅଧିକାର ଆଇନ ଅଧୀନରେ ସେମାନଙ୍କର ସ୍ଥାନୀୟ ବିଧି ବ୍ୟବସ୍ଥାକୁ ଆଇନଗତ ସ୍ୱୀକୃତି ଦେବା ପାଇଁ ଆବେଦନ କଲେ। ୨୦୧୮ ମସିହାରେ ସେମାନଙ୍କୁ ୫୨୦.୮୦ ଏକର ପରିମିତ ଜଙ୍ଗଲ ଜମିରେ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ପ୍ରଦାନ କରାଗଲା। ସେହି ସମୟରୁ ସେମାନେ ୧୧ ଜଣ ସଦସ୍ୟଙ୍କୁ ନେଇ ଏକ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା ସମିତି ଗଠନ କରିଛନ୍ତି, ଯାହା ସେମାନଙ୍କର ଜଙ୍ଗଲ ସମ୍ବଳର ଦୀର୍ଘସ୍ଥାୟୀ ପରିଚାଳନା ଓ ସଂରକ୍ଷଣକୁ ସୁନିଶ୍ଚିତ କରିପାରିଛି।
ଜଙ୍ଗଲ ଅଧିକାର ଆଇନର ପରିବେଶଗତ ଲାଭ ବେଶ୍ ସାରଗର୍ଭକ। ଯେତେବେଳେ କୌଣସି ଗୋଷ୍ଠୀ ପାଖରେ ସୁନିଶ୍ଚିତ ଅଧିକାର ଥାଏ, ତେବେ ଯାଇ ସେମାନେ ଜଙ୍ଗଲର ଦୀର୍ଘସ୍ଥାୟୀ ପରିଚାଳନା କରିବା ପାଇଁ ପ୍ରୋତ୍ସାହିତ ହୁଅନ୍ତି। ଏହାଦ୍ୱାରା ଜଳବାୟୁ ସହନଶୀଳତା ଏବଂ ଜୈବ ବିବିଧତାର ସଂରକ୍ଷଣକୁ ମଧ୍ୟ ପ୍ରୋତ୍ସାହନ ମିଳେ। ଏଭଳି ଏକ ରୂପାନ୍ତରଣର ସାକ୍ଷୀ ହେଉଛି ଗଜପତି ଜିଲ୍ଲାର ସଉରାକୁର୍ଲଣ୍ଡା ଗ୍ରାମ। ଏହି ଗାଁଟି ଗୋଟିଏ ସଂରକ୍ଷଣ ଜଙ୍ଗଲ ଅଞ୍ଚଳରେ ଅବସ୍ଥାପିତ। ଏକଦା ଏହି ସଂରକ୍ଷିତ ବନାଞ୍ଚଳ କାଠ ମାଫିଆଙ୍କ ଦୌରାତ୍ମ୍ୟରେ ଥିଲା। ଏଭଳି ଇଲାକାର ଅଧିବାସୀ ହେବା ସତ୍ତ୍ୱେ ଲାଞ୍ଜିଆ ସଉରା ଗୋଷ୍ଠୀ (ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟ) ଜଙ୍ଗଲ ନଷ୍ଟ ନ ହେବା ପାଇଁ ଗଛକଟା ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ। ଜଙ୍ଗଲ ସୁରକ୍ଷା ଦିଗରେ ଏହି ଗୋଷ୍ଠୀର ପ୍ରତିବଦ୍ଧତାକୁ ସମ୍ମାନ ଜଣାଇ ୨୦୨୫ ଫେବୃୟାରୀରେ ସେମାନଙ୍କୁ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ପଦ ଅଧିକାର ଅଧୀନରେ ୨୦୮.୭ ଏକର ଜମିରେ ଅଧିକାର ସ୍ୱୀକୃତି ପ୍ରଦାନ କରାଯାଇଥିଲା।
ଆଇନଗତ ସ୍ୱୀକୃତି ଜରିଆରେ ଜଙ୍ଗଲ ସମ୍ପଦର ସୁରକ୍ଷିତ ବ୍ୟବହାର ଯୋଗୁଁ ଅନେକ ଗୋଷ୍ଠୀଙ୍କର ଜୀବନ ଜୀବିକାରେ ଉଲ୍ଲେଖନୀୟ ଉନ୍ନତି ଆସିପାରିଛି। ରାୟଗଡ଼ା ଜିଲ୍ଲାର କଲାକାନି ଗ୍ରାମର ୨୫ଟି ଆଦିବାସୀ ପରିବାର ଲଘୁବନଜାତ ସାମଗ୍ରୀ ଉପରେ ଯଥେଷ୍ଟ ନିର୍ଭରଶୀଳ ଥିଲେ; କିନ୍ତୁ ସେମାନଙ୍କୁ ବନ କର୍ମଚାରୀଙ୍କ ଦ୍ୱାରା ଉତ୍ପୀଡ଼ନର ଶିକାର ହେବାକୁ ପଡୁଥିଲା। ଜଙ୍ଗଲ ଅଧିକାର ଆଇନ ସମ୍ପର୍କରେ ସଚେତନ ହେବା ପରେ କଲାକାନି ଗ୍ରାମରେ ଗ୍ରାମସଭା ବସି ଏକ ଜଙ୍ଗଲ ଅଧିକାର ସମିତି ଗଠନ କରାଗଲା। ଜଙ୍ଗଲ ଉପରେ ଗୋଷ୍ଠୀଗତ ଅଧିକାର ପାଇବା ପାଇଁ ସେମାନେ ଆବେଦନ କଲେ। ଶେଷରେ ସେମାନଙ୍କୁ ୬୫ ଏକର ଜଙ୍ଗଲ ଜମି ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ଏବଂ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର ସ୍ୱୀକୃତି ପ୍ରଦାନ କରାଗଲା। ଆଜି ସେମାନଙ୍କର ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା ସମିତି ଜଙ୍ଗଲର ଉପଯୁକ୍ତ ପରିଚାଳନାକୁ ସୁନିଶ୍ଚିତ କରିବା ସହ ଦୀର୍ଘସ୍ଥାୟୀ ଜୀବନଜୀବିକାରେ ମଧ୍ୟ ସହାୟକ ହୋଇପାରୁଛି।
ଜଙ୍ଗଲ ଅଧିକାର ଆଇନ କିଭଳି ଭାବରେ ଜୀବନଜୀବିକାରେ ସହାୟକ ହୋଇପାରିଛି, ତାହାର ଆଉ ଏକ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଆଉଏକ ଗାଁ ପାଜିଲିବନ୍ଧ। ଏଠିକାର ୫୪ଟି ଜନଜାତି ପରିବାର, ବିଶେଷକରି ମହିଳାମାନେ ଲଘୁବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ତାକୁ ଖୁବ୍ କମ୍ ଦାମରେ ମଧ୍ୟସ୍ଥ ବ୍ୟବସାୟୀମାନଙ୍କୁ ବିକି ଦେଉଥିଲେ। ୨୦୨୩ ମସିହାରେ ସେଠାରେ ଏକ ଜଙ୍ଗଲ ଅଧିକାର ସମିତି ଗଢ଼ାଯିବା ସହ ଲୋକଙ୍କ ଭିତରେ ସେମାନଙ୍କ ଅଧିକାରକୁ ନେଇ ବ୍ୟାପକ ସଚେତନତା କରାଯାଇଥିଲା। ପାରମ୍ପରିକ ବା କୌଳିକ ଜୀବନ ଜୀବିକାରେ ଉନ୍ନତି ପାଇଁ ପ୍ରଧାନମନ୍ତ୍ରୀ ବନଧନ ବିକାଶ କେନ୍ଦ୍ର ଯୋଜନାରେ ସେମାନଙ୍କୁ ତାଲିମ ଦିଆଯିବା ସହ ଯନ୍ତ୍ରପାତି ମଧ୍ୟ ପ୍ରଦାନ କରାଯାଇଥିଲା। ଫଳରେ ସେମାନେ ପତ୍ରଖଲି ଓ ତେନ୍ତୁଳିଖଟାର କେକ୍ ଭଳି ମୂଲ୍ୟଯୁକ୍ତ ସାମଗ୍ରୀ ପ୍ରସ୍ତୁତ କରିପାରୁଛନ୍ତି। ଏହାର ପରିଣାମସ୍ୱରୂପ ପ୍ରତିଟି ସଦସ୍ୟ ଆଜି ମାସିକ ୫ରୁ ୬ ହଜାର ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛନ୍ତି। ଏହାସହ ଲାଭଖୋର୍ ମଧ୍ୟସ୍ଥ ବ୍ୟବସାୟୀଙ୍କ ଦୌରାତ୍ମ୍ୟରୁ ମଧ୍ୟ ସେମାନେ ମୁକ୍ତି ପାଇପାରିଛନ୍ତି।
ସଫଳତାର ଏଭଳି ଅନେକ କାହାଣୀ ସତ୍ତ୍ୱେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାରେ ବେଳେବେଳେ ଅନେକ ଆହ୍ୱାନ ଓ ପ୍ରତିବନ୍ଧକ ସବୁ ଆସୁଛି। ସେଗୁଡିକ ବିଭିନ୍ନ ପ୍ରକାରର, ଯଥା:
୧. ଖାରଜ ମାମଲା ହାର ଅଧିକ: ରାଜ୍ୟବ୍ୟାପୀ ଖାରଜ ହୋଇଥିବା ଆବେଦନର ହାର ଯଥେଷ୍ଟ ଅଧିକ ରହିଛି। ପ୍ରକ୍ରିୟାଗତ ତ୍ରୁଟି, ପ୍ରମାଣର ଅଭାବ କିମ୍ବା ଜଙ୍ଗଲ ଅଧିକାର ଆଇନର ନିୟମାବଳୀ ସମ୍ପର୍କରେ ସଠିକ୍ ସୂଚନା ଲୋକଙ୍କ ପାଖରେ ପହଞ୍ଚି ନପାରିବା ହେଉଛି ଏହାର ବିଭିନ୍ନ କାରଣ । ଉଦାହରଣସ୍ୱରୂପ, ଓଡ଼ିଶାରେ ଅପୂର୍ଣ୍ଣାଙ୍ଗ କାଗଜପତ୍ର କିମ୍ବା ଜମିଜମା ଭାଗବଣ୍ଟା ସମସ୍ୟା କାରଣରୁ ଅନେକ ଆବେଦନ ଖାରଜ ହୋଇଛି।
୨. ଆନୁଷ୍ଠାନିକ ଦୁର୍ବଳ ଢାଞ୍ଚା: ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଏବଂ ଏହାର ଏକ ପ୍ରକ୍ରିୟା ଚାଲୁ ରହିବା ପାଇଁ ଏ ସମ୍ପର୍କିତ ଅନୁଷ୍ଠାନ ଓ ସମିତିଗୁଡ଼ିକର ନିୟମିତ ବୈଠକ କରାଇବାରେ ଅନେକ ରାଜ୍ୟ ସକ୍ଷମ ହୋଇପାରି ନାହାନ୍ତି। ଯାହାଫଳରେ ଆଇନର ଦୁରୁପଯୋଗ ହେବାର ସମ୍ଭାବନା ବଢ଼ିଛି।
୩. ରକ୍ଷଣଶୀଳ ଗୋଷ୍ଠୀର ବିରୋଧ ଓ ଚାପ: କେତେକ ନିର୍ଦ୍ଦିଷ୍ଟ ରକ୍ଷଣଶୀଳ ଗୋଷ୍ଠୀ ଜଙ୍ଗଲ ଅଧିକାର ଆଇନକୁ ବିରୋଧ କରୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ଏହି ଅଧିକାର ଦ୍ୱାରା ଜଙ୍ଗଲ ସଂରକ୍ଷଣ ଉପରେ ବିପଦ ସୃଷ୍ଟି ହୋଇପାରେ। ତେବେ ବେତକଟା, ରିଷିଆ ଏବଂ ସଉରା କୁର୍ଲଣ୍ଡା ଭଳି ଗ୍ରାମର ଦୃଷ୍ଟାନ୍ତରୁ ଜଣାପଡୁଛି ଯେ ପରିବେଶଗତ ସଂରକ୍ଷଣ ପାଇଁ ଗୋଷ୍ଠୀ ପରିଚାଳିତ ଜଙ୍ଗଲ ହେଉଛି ଏକ ଆଦର୍ଶ ଓ ପ୍ରଭାବୀ ପଦକ୍ଷେପ।
୪. ସଚେତନତା ଓ ଦକ୍ଷତା ବୃଦ୍ଧି ତାଲିମର ଅଭାବ: ଆଦିବାସୀ ଗୋଷ୍ଠୀଙ୍କ ପାଖରେ ସାଧନର ଅଭାବ ଏବଂ ଆଇନର ସୂଚନା ତଥା ବ୍ୟବହାରିକ ଜ୍ଞାନ ଅଭାବ ଯୋଗୁଁ ସେମାନେ ନିଜ ଅଧିକାର ସମ୍ପର୍କିତ ଆବେଦନ କରିବା ଲାଗି ଅକ୍ଷମ ହେଉଛନ୍ତି। ଫଳରେ ଯୋଗ୍ୟ ଦାବି ଗୁଡ଼ିକ ମଧ୍ୟ ବ୍ୟାପକ ଭାବେ ଖାରଜର ଶିକାର ହେଉଛି।
ଜଙ୍ଗଲ ଅଧିକାର ଆଇନର କିଭଳି ସର୍ବୋତ୍ତମ ବ୍ୟବହାର କରାଯାଇପାରିବ, ତାହାକୁ ସୁନିଶ୍ଚିତ କରିବା ପାଇଁ ଏଥିରେ ଢାଞ୍ଚାଗତ ସଂଶୋଧନର ଆବଶ୍ୟକତା ରହିଛି। ରାଜ୍ୟ ସରକାର ଖାରଜ ହୋଇଥିବା ଆବେଦନଗୁଡ଼ିକର ସ୍ୱଚ୍ଛତା ଓ ଜଙ୍ଗଲ ଅଧିକାର ଆଇନର ପ୍ରାବଧାନ ଭିତ୍ତିରେ ପୁନର୍ବିଚାର କରିବା ନିହାତି ଆବଶ୍ୟକ। ଆବେଦନକାରୀ ଓ ଗ୍ରାମସଭାକୁ ଆବେଦନର ଖାରଜର ସମ୍ପୂର୍ଣ୍ଣ କାରଣ ଜଣେଇ ଦିଆଯିବା ଉଚିତ୍। ଜଙ୍ଗଲ ଅଧିକାର ଆଇନ ଅଧୀନରେ ଥିବା ପ୍ରାବଧାନ ଅନୁଯାୟୀ, ଶାସନର ପ୍ରତ୍ୟେକ ସୋପାନରେ ଆବେଦନକାରୀଙ୍କୁ ଆବେଦନ କରିପାରିବା ଭଳି ବ୍ୟବସ୍ଥା ରହିବା ଜରୁରୀ।
ଗ୍ରାମସଭା ଓ ଅନ୍ୟ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସୁଦୃଢ଼ କରିବା ପାଇଁ ଦକ୍ଷତା ବୃଦ୍ଧି କାର୍ଯ୍ୟକ୍ରମ ଆୟୋଜନ କରାଯିବା ଆବଶ୍ୟକ। ଏଥିରେ ଜଙ୍ଗଲ ପରିଚାଳନା, ଜଙ୍ଗଲ ଅଧିକାର ଆଇନ ଅଧୀନରେ ଥିବା ନିୟମାବଳୀ, ଦୀର୍ଘସ୍ଥାୟୀ ସମ୍ବଳ ବ୍ୟବହାରର ଅଭ୍ୟାସ ଆଦି ତାଲିମ ସାମିଲ ରହିବା ଜରୁରୀ। ଏ କ୍ଷେତ୍ରରେ ଗୋଟିଏ ସଶକ୍ତ ସ୍ଥାନୀୟ ସଂସ୍ଥା କେତେ ପ୍ରଭାବୀ, ତାହାର ଉଦାହରଣ ହେଉଛି କାଳିକାପ୍ରସାଦ, ତିନିମୌଜା ଓ ବେତକଟା ପରି ଗ୍ରାମରେ ଥିବା ସଫଳ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ପରିଚାଳନା ସମିତି।
ଜଙ୍ଗଲ ଅଧିକାର ଆଇନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସହ ସଂରକ୍ଷଣ ନୀତିର ସମନ୍ୱୟ ରକ୍ଷା ପାଇଁ ପଦକ୍ଷେପ ନିଆଯିବା ଜରୁରୀ। ଦୀର୍ଘସ୍ଥାୟୀ ବିକାଶ ଏବଂ ସଂରକ୍ଷଣ ଏକତ୍ର ରହିବା ଦ୍ୱାରା ଜଙ୍ଗଲ ଅଧିକାର ଏବଂ ପରିବେଶଜନିତ ପରିକଳ୍ପନା ମଧ୍ୟରେ ଉପୁଜୁଥିବା ପ୍ରତିବନ୍ଧକକୁ ଏଡ଼ାଇ ଦିଆଯାଇପାରିବ। ଏହାର ଦୃଷ୍ଟାନ୍ତ ହେଉଛି ରିଷିଆ ଏବଂ ସଉରାକୁର୍ଲଣ୍ଡା ଗ୍ରାମରେ ଜଙ୍ଗଲ ସଂରକ୍ଷଣ ପାଇଁ ନିଆଯାଇଥିବା ସଫଳ ପଦକ୍ଷେପ।
ପାଜିଲିବନ୍ଧ ଓ କଲାକାନି ଗ୍ରାମରେ ମଧ୍ୟ ଦେଖିବାକୁ ମିଳିଛି ଯେ ଜଙ୍ଗଲ ଅଧିକାର ସ୍ୱୀକୃତି ସହ ଜୀବନଜୀବିକାରେ ସହଯୋଗ ମିଳିବା ଦ୍ୱାରା ଜନଜାତି ଗୋଷ୍ଠୀଙ୍କର ଆର୍ôଥକ ସ୍ଥିତିରେ ମଧ୍ୟ ରୂପାନ୍ତରଣ ଆସିପାରିଛି। ତେଣୁ, ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ପାଇଁ ବନଜାତ ଦ୍ରବ୍ୟର ମୂଲ୍ୟଯୁକ୍ତ ପ୍ରକ୍ରିୟାକରଣ ଏବଂ ଏହାସହ ସେମାନଙ୍କୁ ବଜାର ସଂଯୋଗ ଦେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରାଥମିକତା ମିଳିବା ଉଚିତ୍।
ଜଙ୍ଗଲ ଅଧିକାର ଆଇନ ହେଉଛି ସାମାଜିକ ନ୍ୟାୟ ଓ ଦୀର୍ଘସ୍ଥାୟୀ ପରିବେଶ ପାଇଁ ଭାରତର ଏକ ପ୍ରତିବଦ୍ଧତା। ବନ ସଂରକ୍ଷଣ ଦିଗରେ ଆଦିବାସୀ ତଥା ବନବାସୀ ସମୁଦାୟର ଅମୂଲ୍ୟ ଯୋଗଦାନକୁ ଏହି ଆଇନ ସ୍ୱୀକୃତି ଦେବା ସହ ପରିବେଶର ସଂରକ୍ଷକ ଭାବେ ସେମାନଙ୍କର ଅଧିକାରଭୁକ୍ତ ସ୍ଥାନରେ ସେମାନଙ୍କୁ ରହିବାର ସୁଯୋଗ ଦେଉଛି। ବେତକଟା, ରିଷିଆ, ସାତଭାୟା, ସଉରାକୁର୍ଲଣ୍ଡା, କଲାକାନି, ପାଜିଲିବନ୍ଧ ଓ କାଳିକାପ୍ରସାଦ ଭଳି ଓଡ଼ିଶାବ୍ୟାପୀ ସଫଳତାର କାହାଣୀସବୁ ଦର୍ଶାଉଛି ଯେ ଜଙ୍ଗଲ ଅଧିକାର ଆଇନ ଉପଯୁକ୍ତ ଭାବେ କାର୍ଯ୍ୟକାରୀ ହୋଇପାରିଲେ ଏହା ଗୋଷ୍ଠୀ ସଶକ୍ତୀକରଣ, ଜୈବ ବିବିଧତା ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୀବିକାକୁ ପ୍ରୋତ୍ସାହିତ କରିପାରିବ।
ସର୍ବୋପରି, ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାରେ ଆହ୍ୱାନ ଓ ପ୍ରତିବନ୍ଧକ ଏବଂ ସର୍ବୋଚ୍ଚ ନ୍ୟାୟାଳୟ ଦେଇଥିବା ନିର୍ଦ୍ଦେଶନାମାରେ ଥିବା ତାଗିଦ ଅନୁଯାୟୀ ଏଥିରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ହେଉଛି। ସ୍ୱଚ୍ଛ ଶାସନକୁ ପ୍ରୋତ୍ସାହନ ଦେଇ, ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଶକ୍ତ କରି, ଗୋଷ୍ଠୀ ଅଧିକାର ସହ ସଂରକ୍ଷଣ ଲକ୍ଷ୍ୟକୁ ସମନ୍ୱୟ ରଖି ଏବଂ ଏହାସହ ଜୀବନ ଜୀବିକାରେ ସହଯୋଗ ଯୋଡ଼ି ‘ଜଙ୍ଗଲ ଅଧିକାର ଆଇନ’ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ଆଶାର କିରଣ ହୋଇପାରିବ। ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀଙ୍କ ଅଧିକାରର ସୁରକ୍ଷା କେବଳ ଯେ ଏକ ନ୍ୟାୟର ବିଷୟ ତାହା ନୁହେଁ, ବରଂ ଭାରତରେ ଦୀର୍ଘସ୍ଥାୟୀ ଜଙ୍ଗଲ ପରିଚାଳନା ଏବଂ ଜୈବ ବିବିଧତାର ସଂରକ୍ଷଣ ଦିଗରେ ଏହା ହେଉଛି ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ।