ଉଚ୍ଚତମ ନ୍ୟାୟାଳୟରେ ଜଙ୍ଗଲ ଅଧିକାର ଆଇନରେ ସରକାରୀ ଓକିଲ ଭାବେ ନିଜର ପକ୍ଷ ରଖୁଥିବା ସୁମୋନା ଖାନ୍ନାଙ୍କ ସହ ଆଲୋଚନା।
ପ୍ରସ୍ତୁତି: ନିବେଦିତା ପଣ୍ଡା
ଉପସ୍ଥାପନା: ପ୍ରତିଭା ଘୋଷ

ସୁମୋନା ଖାନ୍ନା
ଜଙ୍ଗଲ ଅଧିକାର ଆଇନ ବିଷୟକ ବହୁ ପ୍ରତିକ୍ଷିତ ରାୟ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ନେଇ ଆପଣଙ୍କ ମତ କ’ଣ?
ଏପ୍ରିଲ ୨ ତାରିଖରେ ହେବାକୁ ଥିବା ସୁପ୍ରିମକୋର୍ଟଙ୍କ ରାୟ ବାବଦରେ ବୁଝିବା ପୂର୍ବରୁ ପ୍ରଥମେ ଏହି ଆଇନ କାର୍ଯ୍ୟକାରୀ ହେବାର ଘଟଣା ପ୍ରବାହକୁ ଅନୁଧ୍ୟାନ କରିବା ଜରୁରୀ ଅଟେ। ୨୦୦୮ ଜାନୁୟାରୀ ୧ରେ ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହେବାର କିଛି ଦିନ ପରେ ଏହାର ବୈଧତାକୁ ପ୍ରଶ୍ନ କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରାଗଲା। ସମାନ ସମୟରେ ଦେଶର ବିଭିନ୍ନ ହାଇକୋର୍ଟରେ ଏ ସମ୍ପର୍କିତ ଆବେଦନ ଦାଖଲ ହେଲା। ଶେଷରେ ଆଦିବାସୀ ମନ୍ତ୍ରଣାଳୟର ଅନୁରୋଧରେ ଏହି ସମସ୍ତ ମାମଲାକୁ ସୁପ୍ରିମକୋର୍ଟଙ୍କୁ ସ୍ଥାନାନ୍ତର କରାଗଲା।
ଆରମ୍ଭରେ ଅବସରପ୍ରାପ୍ତ ବନ ଅଧିକାରୀ, କିଛି ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣ ପାଇଁ କାମ କରୁଥିବା ଗୋଷ୍ଠୀ ଓ ପୂର୍ବତନ ଜମିଦାରମାନେ ଏହି ଆଇନକୁ ରଦ୍ଧ କରିବାକୁ ପ୍ରୟାସ କରି ବିଫଳ ହୋଇଥିଲେ। ଯଦିଓ କେତେକ ହାଇକୋର୍ଟରେ, ଏହି ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ କିଛି ପ୍ରତିବନ୍ଧକ ଲାଗିଥିଲା; ମାତ୍ର ସୁପ୍ରିମକୋର୍ଟ କେବେବି ଏହା ଉପରେ କୌଣସି ସ୍ଥଗିତାଦେଶ ଲଗାଇନଥିଲେ। ଯାହାର ଫଳ ସ୍ୱରୂପ ଗତ ୧୭ ବର୍ଷ ହେଲା ଜଙ୍ଗଲ ଅଧିକାର ଆଇନ କାର୍ଯ୍ୟକାରୀ ହୋଇ ପାରୁଛି ଏବଂ ନିକଟରେ ଏହା ଜମ୍ମୁକାଶ୍ମୀରକୁ ମଧ୍ୟ ବିସ୍ତାରିତ ହୋଇପାରିଛି।
ପ୍ରାରମ୍ଭିକ ବର୍ଷଗୁଡିକରେ ଆବେଦନକାରୀମାନେ ଆକଳନ କରିଥିଲେ ଯେ ଆଦିବାସୀ ସମ୍ପ୍ରଦାୟଙ୍କୁ ଭୂମି ଅଧିକାର ପ୍ରଦାନ କରାଗଲେ ବଡ଼ ଧରଣର ଜଙ୍ଗଲ କ୍ଷୟ ହେବ। ଯେହେତୁ ଏହାକୁ ପ୍ରମାଣ କରିବା ପାଇଁ ସେଭଳି କୌଣସି ତଥ୍ୟ ନ ଥିଲା ତେଣୁ ଏହି କଥାର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଥିଲା। ହେଲେ ୨୦୧୯ ବେଳକୁ ଏହା ସ୍ପଷ୍ଟ ହୋଇଯାଇଥିଲା ଯେ ୫୦%ରୁ ଅଧିକ ଜଙ୍ଗଲ ଅଧିକାର ଆଇନ ସମ୍ପର୍କିତ ଦାବି ଗୁଡିକୁ ନାକଚ କରି ଦିଆଯାଇଛି। ଯାହାକି ଏକାସାଙ୍ଗରେ ବହୁଳ ପରିମାଣରେ ଭୂମି ଆବଣ୍ଟନର ଯୁକ୍ତିକୁ ଦୁର୍ବଳ କରି ଦେଇଥିଲା।
ଜଙ୍ଗଲ ଅଧିକାର ଆଇନ ପାଇଁ ସବୁଠାରୁ ବଡ଼ ଆହ୍ୱାନ ଥିଲା ଏହାର ସାମ୍ବିଧାନିକତାକୁ ନେଇ ଉଠିଥିବା ପ୍ରଶ୍ନ। ଯାହାକି ସମୟ ସହ ଦୁର୍ବଳ ହୋଇ ଯାଇଥିଲା। ପ୍ରାରମ୍ଭରେ ଅଭିଯୋଗକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ ଜଙ୍ଗଲ ଅଧିକାର ଆଇନ ; ସମ୍ବିଧାନରେ ଥିବା ଜୀବନ ସୁରକ୍ଷା ଅଧିକାର ପାଇଁ ରହିଥିବା ଧାରା ୨୧(ରାଇଟ୍ ଟୁ ଲାଇଫ୍, ଆର୍ଟିକିଲ ୨୧)କୁ ଉଲ୍ଲଂଘନ କରୁଛି। ବାସ୍ତବରେ ଦେଖିବାକୁ ଗଲେ କିନ୍ତୁ ଜଙ୍ଗଲ ଅଧିକାର ଆଇନ ଜଙ୍ଗଲ ଉପରେ ନିର୍ଭରକାରୁଥିବା ୨୦୦ ନିୟୁତ ଲୋକଙ୍କ ଜୀବନ ଅଧିକାରକୁ ସୁରକ୍ଷା ଦେଇଥାଏ। ଏହି ଯୁକ୍ତିଗୁଡିକ ବିଚାରବିଭାଗର ଦୃଷ୍ଟି ଆକର୍ଷଣ କରି ନ ପାରିବାରୁ ଅଭିଯୋଗକାରୀମାନେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଓ ଏହାର ବାଖ୍ୟା ଉପରେ ଧ୍ୟାନ ଦେବା ଆରମ୍ଭ କଲେ।
ଉଦାହରଣ ସ୍ୱରୂପ ୨୦୧୪ ମସିହାରେ ସେମାନେ ଯୁକ୍ତି ଦେଲେ ଯେ ଜଙ୍ଗଲ ଅଧିକାର ଆଇନ ସଂରକ୍ଷିତ ଅଞ୍ଚଳ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ। ପୁଣି ସମସ୍ତ ଦାବି ପାଇଁ ସାଟେଲାଇଟ୍ ଚିତ୍ରର ବାଧ୍ୟତାମୂଳକ ବ୍ୟବହାର ଜରୁରୀ। ଏହି ଦୁଇଟି ଯୁକ୍ତି ପରସ୍ପରର ବିରୋଧୀ ଥିଲା। କାରଣ ଯଦି ଜଙ୍ଗଲ ଅଧିକାର ଆଇନ ଅଣସାମ୍ବିଧାନିକ ତେବେ ଆପଣ କିପରି ଏହାର ଚୟନକୁ ନେଇ ଯୁକ୍ତି କରି ପାରିବେ?
୨୦୧୬ ମସିହାରେ କୋର୍ଟ ଏକ ପ୍ରାରମ୍ଭିକ ପ୍ରସଙ୍ଗ ଉପରେ ଆଲୋଚନାକୁ ଆଗେଇ ନେଇଥିଲେ। ପ୍ରସଙ୍ଗଟି ଥିଲା ଭୂମି ଏକ ରାଜ୍ୟ ବିଷୟ ହୋଇଥିବାରୁ ଜଙ୍ଗଲ ଅଧିକାର ଆଇନକୁ ପ୍ରଣୟନ କରିବାର ଅଧିକାର ସଂସଦର ଅଛି କି ନାହିଁ। ଏହି ଯୁକ୍ତି ଖୁବ୍ ଲମ୍ବା ଚାଲିଥିଲା। ଆମର ଦଳ ଭାରତ ସରକାରଙ୍କ ତରଫରୁ ଏହି ମାମଲାକୁ ପ୍ରତିନିଧିତ୍ୱ କରୁଥିଲେ। ଏହି ମାମଲାରେ କୋର୍ଟ କୌଣସି ରାୟ ଦେବା ପରିବର୍ତ୍ତେ କୋର୍ଟ କେବଳ ଅନ୍ୟ ପ୍ରସଙ୍ଗଗୁଡିକୁ ଆଗକୁ ବଢ଼ାଇବାକୁ ନିଷ୍ପତ୍ତି ନେଇଥିଲେ।
୨୦୧୯ରେ ଏହି ମାମଲା ଏକ ଭିନ୍ନ ମୋଡ଼ ନେଇଥିଲା। ଅଭିଯୋଗକାରୀମାନେ ଯୁକ୍ତି ବାଢ଼ିଥିଲେ ଯେ; ଯଦି ଜଣେ ବ୍ୟକ୍ତିର ଜଙ୍ଗଲ ଅଧିକାର ଦାବିକୁ ପ୍ରତ୍ୟାଖ୍ୟାନ କରି ଦିଆଯାଏ; ତେବେ ତାଙ୍କର ବୃତ୍ତିକୁ ବେଆଇନ ଘୋଷଣା କରାଯିବା ସହ ତାଙ୍କର ଦଖଲକୁ ଅବୈଧ କରି ସେମାନଙ୍କୁ ଜଙ୍ଗଲରୁ ବାହାର କରି ଦେବା ଉଚିତ। ଏହି ଯୁକ୍ତି ସୁପ୍ରିମକୋର୍ଟଙ୍କୁ ଏକ ଉଚ୍ଛେଦ ନିର୍ଦ୍ଦେଶ ଜାରୀ କରିବାକୁ ବାଧ୍ୟ କରିଥିଲା। ଏହି ନିର୍ଦ୍ଦେଶ ଆସିବାର ୧୩ ଦିନ ଭିତରେ ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରୁ ଏହା ଉପରେ ସ୍ଥଗିତାଦେଶ ଲାଗିଲା। ସେହି ସମୟରୁ ଆଜି ପର୍ଯ୍ୟନ୍ତ କୋର୍ଟ ଅନେକ ଥର ଏହି ରାୟ ଉପରେ ରହିତାଦେଶ ଜାରି କରିଛନ୍ତି।
ଯେତେବେଳେ କୋର୍ଟ ଜବରଦଖଲ ମୂଲ୍ୟାଙ୍କନ ପାଇଁ ସାଟେଲାଇଟ୍ ଇମେଜ୍ ବ୍ୟବହାର କରିବାକୁ ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ)କୁ ନିର୍ଦ୍ଦେଶ ଦେଲେ ଓ ଏଫ୍ଏସ୍ଆଇକୁ ଏହି ମାମଲାର ପକ୍ଷ ରଖିବାକୁ ସୁଯୋଗ ଦେଲେ ସେତେବେଳେ ଆଉ ଏକ ଚିନ୍ତାଜନକ ପରିସ୍ଥିତି ସାମ୍ନାକୁ ଆସିଥିଲା। ଆଦିବାସୀଙ୍କ ପାଇଁ କାମ କରୁଥିବା ପ୍ରତିନିଧିମାନେ ଆପତ୍ତି କରିଥିଲେ ସାଟେଲାଇଟ୍ ଚିତ୍ର କୌଣସି ପ୍ରକାରେ ବୈଧତା ନିର୍ଣ୍ଣୟ କରିପାରିବ ନାହିଁ। ଜବରଦଖଲ ଏକ ଆଇନଗତ ପ୍ରଶ୍ନ ଏହାକୁ ଫଟୋ ଚିତ୍ରରେ ପ୍ରମାଣ କରାଯାଇ ପାରିବ ନାହିଁ।
କୋଭିଡ ୧୯ ଏବଂ ଖଣ୍ଡପୀଠଙ୍କ ବାରମ୍ବାର ପରିବର୍ତ୍ତନ ଯୋଗୁଁ ମାମଲାଟି ଆଗକୁ ବଢ଼ି ପାରିଲା ନାହିଁ। ୨୦୨୫ ପ୍ରାରମ୍ଭରୁ ପୁଣିଥରେ ଏହି ମାମଲା ବିଷୟରେ ଉଲ୍ଲେଖ କରାଯାଇଥିଲା। ଫଳସ୍ୱରୂପ ଏପ୍ରିଲ ୨ ତାରିଖରେ ଏହି ମାମଲାର ଶୁଣାଣି ପୁଣିଥରେ ହେବାକୁ ଥିଲା। ଯଦିଓ ସେଦିନ ବି ଏହି ମାମଲାର ଶୁଣାଣି ହୋଇନଥିଲା ତଥାପି ମାମଲାର ଶୁଣାଣି ହେବ ଜାଣି ଏହାକୁ ସାରା ଭାରତରେ ଆଦିବାସୀ ଓ ଜଙ୍ଗଲ ଅଧିକାର ଉପରେ କାମ କରୁଥିବା ଗୋଷ୍ଠୀମାନଙ୍କୁ ଏହାକୁ ନେଇ ପ୍ରତିକ୍ରିୟା କରିବାକୁ ଖୋରାକ ଯୋଗାଇଥିଲା।
ଏହି ଘଟଣା ସହ ସଂପୃକ୍ତ ଥିବା ଆହୁରି ଏକ ମାମଲା ଅଛି ଯାହାକି ଲୋକଙ୍କ ଦୃଷ୍ଟି ଆକର୍ଷଣ କରି ପାରିନଥିଲା। ତାହା ହେଉଛି ୨୦୨୦ ମସିହାରେ ଦାଖଲ କରାଯାଇଥିବା ଏକ ଆବେଦନ। ଯେଉଁଥିରେ ଲଘୁବନଜାତ ଦ୍ରବ୍ୟ ଉପରେ ସମ୍ପ୍ରଦାୟମାନଙ୍କର ଅଧିକାରକୁ ଚ୍ୟାଲେଞ୍ଜ କରିଥିଲା। ଯେଉଁଥିରେ କୁହାଯାଇଥିଲା ଜଙ୍ଗଲ ଅଧିକାର ଆଇନ ବଳରେ ସ୍ୱୀକୃତି ପାଇଥିବା ଆଦିବାସୀଙ୍କୁ ହିଁ କେବଳ ଲଘୁ ବଜନଜାତ ଦ୍ରବ୍ୟ ଉପରେ ଅଧିକାର ମିଳିପାରିବ। ସେମାନେ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ ସମ୍ପ୍ରଦାୟ ଶବ୍ଦଟି ସବୁବେଳେ ଅସ୍ପଷ୍ଟ ଓ ଏହା ଜଙ୍ଗଲ ଅବକ୍ଷୟକୁ ଇଙ୍ଗିତ କରିଥାଏ। ଏହା ଗୋଷ୍ଠୀ ବନ ସମ୍ବଳ ଅଧିକାରକୁ ରୋକିବା ପାଇଁ ଏକ ରଣନୀତି। ଯାହାକି ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତାରୁ ଏହାକୁ ବୈଷୟିକ ବ୍ୟାଖ୍ୟା ଆଡ଼କୁ ମୁହାଁଇ ନିଏ।
ସେମାନେ ଜଙ୍ଗଲ ଅଧିକାର ଅଧୀନିୟମରେ ୨୦୧୨ର ସଂଶୋଧନକୁ ମଧ୍ୟ ପ୍ରତିବାଦ କରିଥିଲେ; କିନ୍ତୁ ଏହା ଠିକଭାବେ ଏକ ଆଇନଗତ ଆବେଦନ ଦ୍ୱାରା କରାଯାଇନଥିଲା।
ଏପ୍ରିଲ ୨ ତାରିଖରେ ଯଦିଓ ଏହି ମାମଲାରେ କୌଣସି ଶୁଣାଣି ହୋଇନଥିଲା ତଥାପି ଏହି ମାମଲା ତାଲିକାଭୁକ୍ତ ହୋଇ ସ୍ଥାନୀୟ ଓ ଆଇନ ସ୍ତରରେ ସଚେତନତା ସୃଷ୍ଟି କରି ପାରିଥିଲା। ଏହା ସାଟେଲାଇଟ୍ ଚିତ୍ରର ଅପବ୍ୟବହାର ଓ ଗୋଷ୍ଠୀ ବନସମ୍ବଳ ଅଧିକାରର ଗୁରୁତ୍ୱକୁ କିପରି କମାଇ ଦେଇଛି ତାହାକୁ ସାର୍ବଜନୀନ କରିବା ସହ ଏହାକୁ ଆଇନଗତ ଆଲୋଚନାର ପରିସରଭୁକ୍ତ କରିଥିଲା।
ଜଙ୍ଗଲ ଅଧିକାର ଆଇନରେ ଦାବି ଆବେଦନ ବେଳେ ବିଭିନ୍ନ ପ୍ରକାର ତ୍ରୁଟି ହୋଇଥିବା ଅଭିଯୋଗ ହୁଏ। ଆପଣଙ୍କ ମତରେ ଶୁଣାଣି ସମୟରେ କୋର୍ଟ ଏହା ଉପରେ କଣ ମତ ରଖିଥିଲେ?
ସୁପ୍ରିମକୋର୍ଟରେ ୱାଇଲ୍ଡଲାଇଫ୍ ଫାଷ୍ଟ ଏବଂ ଅନ୍ୟମାନେ ବନାମ ଭାରତ ସରକାର ନାମରେ ଚାଲିଥିବା ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟ ୨୦୧୯ରେ ପ୍ରକ୍ରିୟାଗତ ତ୍ରୁଟି ହୋଇଥିବା କଥାକୁ ସ୍ୱୀକାର କରିଥଲେ। ସେତେବେଳେ କୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରି କୁହାଯାଇଥିଲା ଯେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାରେ ଅନେକ ଅନିୟମିତତା ରହିଛି। ତେଣୁ କୋର୍ଟ ବିଧିବଦ୍ଧ ପ୍ରକ୍ରିୟାକୁ ଅନୁସରଣ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ତଥାପି ମୁଁ ଏହି କଥାଟିକୁ ଉଲ୍ଲେଖ କରିବାକୁ ଚାହେଁ ଯେ ଜଙ୍ଗଲ ଅଧିକାର ଆଇନ ଆସିବାର ୧୭ ବର୍ଷ ଭିତରେ ଜଙ୍ଗଲ ଉପରେ ନିର୍ଭରଶୀଳ ବନବାସୀ ଓ ଆଦିବାସୀ ସମୁଦାୟମାନେ ବିଭିନ୍ନ ମାମଲା ରୁଜୁ କରିଛନ୍ତି। ଏହି ମାମଲାଗୁଡିକ ଜିଲ୍ଲା କୋର୍ଟ ଓ ହାଇକୋର୍ଟରୁ ଆରମ୍ଭ କରି ଜାତୀୟ ଗ୍ରୀନ୍ ଟ୍ରିବୁନାଲ, ଏପରିକି ସେଣ୍ଟ୍ରାଲ ଇନ୍ଫରମେସନ୍ କମିଶନ ପର୍ଯ୍ୟନ୍ତ ଯାଇଛି। ଯେଉଁଥିଲେ ଜଙ୍ଗଲ ଅଧିକାର ଆଇନ ବଳରେ ବ୍ୟକ୍ତିଗତ ଜମି ପଟ୍ଟା ମିଳିବାଠାରୁ ଆରମ୍ଭ କରି ଜଙ୍ଗଲ ଅଧିକାର ପାଇଲା ପରେ ମଧ୍ୟ ବ୍ୟକ୍ତି କିପରି ବିଦ୍ୟୁତ ସଂଯୋଗରୁ ବଞ୍ଚିତ ହେଇଛନ୍ତି ସେଭଳି ବ୍ୟକ୍ତିଗତ ଅଭିଯୋଗ, ସାମୁଦାୟିକ ଜଙ୍ଗଲ ପରିସୀମା ଭିତରେ ଗୋଷ୍ଠୀ ଜଙ୍ଗଲକୁ ବିଭିନ୍ନ ପ୍ରକଳ୍ପ କାମରେ ବ୍ୟବହାର କରିବାକୁ ଆପତ୍ତି ଜଣାଇବା ପର୍ଯ୍ୟନ୍ତ ସାମୁହିକ ମାମଲା ଯାଏଁ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖିତ ହୋଇଛି।
ଗୋଷ୍ଠୀ ସମୁଦାୟ ଜଙ୍ଗଲ ଅଧିକାର ଆଇନରେ ନିଜର ଅଧିକାର ଦାବି କରିବା ପାଇଁ ରହିଥିବା ଆଇନଗତ ମଞ୍ଚଗୁଡିକୁ ସକ୍ରିୟ ଭାବେ ବ୍ୟବହାର କରି ନିଜର ଅଧିକାର ପାଇ ପାରିଛନ୍ତି। ଏସବୁକୁ ଆଖି ଆଗରେ ରଖି କହିହେବ ଯେ ପ୍ରକ୍ରିୟାଗତ ତ୍ରୁଟିଗୁଡିକୁ ଉପଯୁକ୍ତ ନ୍ୟାୟିକ ପଦ୍ଧତି ଯେପରିକି କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ କିମ୍ବା ଅନୁସୂଚିତ ଜାତି ଆୟୋଗ ଦ୍ୱାରା ଘଟଣାଭିତ୍ତିକ ଭାବେ ସମାଧାନ କରାଯିବା ଉଚିତ।
ସୁପ୍ରିମକୋର୍ଟରେ ଚାଲିଥିବା ମାମଲା ବାବଦରେ ଯେତେବେଳେ ଆଲୋଚନା କରିବା ସେତେବେଳେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗୁରୁତ୍ୱ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକତା ଉପରେ ରହିବା ଦରକାର। ଯେତେବେଳେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତା ଉପରେ କଥା ଆସୁଛି ସେତେବେଳେ ଦାବି ପ୍ରକ୍ରିୟାରେ ବିଳମ୍ବ, ତ୍ରୁଟିପୂର୍ଣ୍ଣ ଭାବେ ଦାବି ନାକଚ କିମ୍ବା ଉପଗ୍ରହ ଚିତ୍ରର ଦୁର୍ବ୍ୟବହାର ଭଳି ପ୍ରସଙ୍ଗ ଜିଲ୍ଲା, ରାଜ୍ୟ କିମ୍ବା ଉପଯୁକ୍ତ ହାଇକୋର୍ଟଙ୍କ ଦ୍ୱାରା ସମାଧାନ ହୋଇଯିବା ଉଚିତ। ଏହି ବିଷୟଗୁଡିକ ସୁପ୍ରିମକୋର୍ଟଙ୍କ ପରି ଏକ ସାମ୍ବିଧାନିକ ନ୍ୟାୟାଳୟ ଏବେ ପୁଙ୍ଖାନୁପୁଙ୍ଖ ଭାବେ ବିଚାର କରିବା ଉଚିତ ନୁହେଁ।
ଏହି କଥାକୁ ସ୍ପଷ୍ଟ କରିବା ପାଇଁ ଉପଗ୍ରହ ଚିତ୍ର ଭଳି ବିଷୟକୁ ଉଦାହରଣ ଭାବେ ଧରାଯାଉ। ଯଦି ଆମେ ସୁପ୍ରିମକୋର୍ଟରେ ଏହି କଥା ବୁଝାଇବାକୁ ଚେଷ୍ଟା କରିବା ତେବେ ସୁଦୂର କଳାହାଣ୍ଡିର ଜଣେ ବନବାସୀଙ୍କୁ ଉପଗ୍ରହ ଚିତ୍ର ପ୍ରଦାନ କରିବା କାହିଁକି କଷ୍ଟକର ହୋଇ ପଡୁଛି ତାହା ବୁଝାଇବା ପାଇଁ ସଂପୃକ୍ତ କଳାହାଣ୍ଡିର ଆଦିବାସୀଙ୍କ ପାଖରେ ସ୍ମାର୍ଟଫୋନ୍ର ଅସୁବିଧା କଥା ସହ ସେ ଏଭଳି ସାଟେଲାଇଟ୍ ଚିତ୍ର ଉତ୍ତୋଳନ କରି ଏହାକୁ ଜମା କରିବାରେ କିପରି ଅକ୍ଷମ ତାହା ଉଲ୍ଲେଖ କରିବାକୁ ପଡ଼ିବ। ସାରା ଦେଶର ଏଭଳି ସମସ୍ୟାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରା ବୁଝିବା ଓ ଏହାର ସମାଧାନ କରିବ କିପରି ସମ୍ଭବ ନୁହେଁ ଓ ଏହା ନ୍ୟାୟ ସଙ୍ଗତ ବି ନୁହେଁ।
ଏତେ ସଂଖାରେ ବ୍ୟକ୍ତିଗତ ଜଙ୍ଗଲ ଅଧିକାରକୁ ନାକଚ କରିବା ଓ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାରେ ଯେଉଁ ବ୍ୟବଧାନ ଦେଖାଯାଇଛି ତାହାକୁ ନେଇ ଆପଣଙ୍କ ମତ କ’ଣ?
ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ଏବଂ ଏହାକୁ ମୁଁ ଟିକିଏ ଭିନ୍ନ ଦୃଷ୍ଟିକୋଣରୁ ଦେଖିବାକୁ ଚାହେଁ। ସାଧାରଣ ଭାବେ ଜଙ୍ଗଲ ଅଧିକାର ଆଇନ ଅଧୀନରେ କାର୍ଯ୍ୟାନ୍ୱୟନ ଦିଗରେ ସମସ୍ୟା ରହିଛି ବୋଲି କହିବା ଖୁବ୍ ସହଜ, କିନ୍ତୁ ଯଦି ଆମେ ପ୍ରକୃତରେ ଏହି ସମସ୍ୟାଗୁଡିକୁ ଅର୍ଥପୂର୍ଣ୍ଣ ଭାବେ ସମାଧାନ କରିବାକୁ ଚାହୁଁ, ତେବେ ଆମକୁ ଏହାର ଜଟିଳତାକୁ ବୁଝିବାକୁ ପଡିବ।
ବିଭିନ୍ନ ରାଜ୍ୟ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ ଭିନ୍ନ ଦୃଷ୍ଟି କୋଣରେ ଦେଖନ୍ତି। ଉଦାହରଣ ଭାବେ ଓଡିଶାକୁ ନିଆଯାଉ; ଏହା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରିତାକୁ ନେଇ ଢ଼େର ଭଲ କାମ କରିଛି। ଅନ୍ୟପକ୍ଷରେ ମଧ୍ୟପ୍ରଦେଶ ଭଳି ରାଜ୍ୟ ଏ ଦିଗରେ ଖୁବ୍ ଖରାପ ପ୍ରଦର୍ଶନ କରିଛି। ଆଉ କିଛି ରାଜ୍ୟ ଅଛନ୍ତି ଯେଉଁମାନେ ଜଙ୍ଗଲ ଅଧିକାର ଆଇନକୁ ନେଇ ଏଯାଏଁ କିଛି ବି କାମ ଆରମ୍ଭ କରି ନାହାଁନ୍ତି।
ଆମକୁ ସାମ୍ବିଧାନିକ ପ୍ରସଙ୍ଗକୁ ମଧ୍ୟ ବୁଝିବା ଦରକାର। ଉଦାହରଣ ସ୍ୱରୂପ ନାଗାଲାଣ୍ଡ ଓ ମିଜୋରାମ ଆଦି ସମ୍ବିଧାନର ଧାରା ୩୭୧ (ଏ) ଓ ୩୭୧(ଜି) ଅନୁଯାୟୀ ସୁରକ୍ଷିତ। ଏହାର ଅର୍ଥ ଯେ ଏହି ଦୁଇ ଜାଗାରେ ଯେକୌଣସି କେନ୍ଦ୍ରୀୟ ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଏଠାକାର ବିଧାନସଭାଗୁଡିକ ସେସବୁ କେନ୍ଦ୍ରୀୟ ଆଇନକୁ ଅନୁମୋଦନ କରିବାକୁ ପଡିଥାଏ। ଉଭୟ ରାଜ୍ୟ ନିଜର ପରିସୀମା ଭିତରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଯାହାକି ସେମାନଙ୍କର ସାମ୍ବିଧାନିକ କ୍ଷମତା ପରିସରଭୁକ୍ତ ଅଟେ। ଅନ୍ୟ କିଛି ରାଜ୍ୟ ଅଛନ୍ତି ଯେଉଁମାନେ ଜଙ୍ଗଲ ଅଧିକାର ଆଇନକୁ ସନ୍ଦେହ ପରିସରଭୁକ୍ତ କରି ଏହାକୁ କାର୍ଯ୍ୟକାରୀ କରିବାକୁ ମନା କରି ଦେଇଛନ୍ତି। ଉଦାହରଣ ସ୍ୱରୂପ ହରିୟାଣା ଦାବି କରେ ଯେ ତାଙ୍କ ରାଜ୍ୟରେ କୌଣସି ବନବାସୀ ବା ଅନୁସୂଚିତ ଜନଜାତି ନାହାଁନ୍ତି। ତେଣୁ ସେଠାରେ ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟକାରୀ କରିବାର ଆବଶ୍ୟକତା ନାହିଁ। ତଥାପି କେହି ଏହି ମତକୁ ଚ୍ୟାଲେଞ୍ଜ କରି ନାହାଁନ୍ତି।
ଜଙ୍ଗଲ ଅଧିକାର ଆଇନର କାର୍ଯ୍ୟାନ୍ୱୟନକୁ ନେଇ ରହିଥିବା ବ୍ୟବଧାନ ବାବଦରେ ସବୁ ରାଜ୍ୟକୁ ଦାୟୀ କରିବା ଗୁରୁତ୍ୱପୂର୍ଣ୍ଣ। ଏହି ବ୍ୟବଧାନ ବିଭିନ୍ନ ରାଜ୍ୟ ଭିତରେ ନୁହେଁ ବରଂ ବିଭିନ୍ନ ପ୍ରକାର ଅଧିକାର ଭିତରେ ବି ରହିଛି। କିଛି ରାଜ୍ୟ ବ୍ୟକ୍ତିଗତ ଜଙ୍ଗଲ ଅଧିକାରକୁ ଖୁବ୍ ଭଲ ଭାବେ କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ଗୋଟିଏ ହେଲେ ଗୋଷ୍ଠୀ ବନ ସମ୍ବଳ ଅଧିକାରକୁ ସ୍ୱୀକୃତି ଦେଇ ପାରିନାହାଁନ୍ତି। ହୁଏତ ଗ୍ରାମସଭାକୁ ଜଙ୍ଗଲ ଉପରେ ଗୁରୁତ୍ୱପୂର୍ଣ୍ଣ ନିୟନ୍ତ୍ରଣ ଦେବାକୁ ଅନିଚ୍ଛା କରି ଏହି ଅଧିକାର ପ୍ରଦାନ କରାଯାଇନାହିଁ। ପାଟନା ହାଇକୋର୍ଟ ଏହି ଆଇନକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବି ବିହାର ଏ ପର୍ଯ୍ୟନ୍ତ ପାରମ୍ପରିକ ବନବାସୀଙ୍କୁ ଗୋଟିଏ ବି ଅଧିକାର ପ୍ରଦାନ କରିପାରିନାହିଁ।
ଏଭଳି ସ୍ଥିତିରେ ସୁପ୍ରିମକୋର୍ଟ ସମସ୍ତ ୨୮ଟି ରାଜ୍ୟ ଏବଂ ୮ଟି କେନ୍ଦ୍ରଶାସିତ ଅଞ୍ଚଳର ଜଟିଳତାକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ନିଶ୍ଚିତ ଭାବେ ଏକ ଅବାସ୍ତବ କଥା। ଦାମନ-ଡିଉଠାରୁ ଆରମ୍ଭ କରି ଆଣ୍ଡାମାନ ନିକୋବର ପର୍ଯ୍ୟନ୍ତ ସବୁଥିରେ କୈନ୍ଦ୍ରିକ ନ୍ୟାୟିକ ହସ୍ତକ୍ଷେପ ସବୁବେଳେ ସମ୍ଭବ ହୋଇନଥାଏ। ତେଣୁ ରାଜ୍ୟ ସ୍ତରରେ ଉତ୍ତରଦାୟିତ୍ୱତାକୁ ସୁନିଶ୍ଚିତ କରିବା ଆବଶ୍ୟକ।
ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ କେନ୍ଦ୍ରରେ ଆଦିବାସୀ ମନ୍ତ୍ରଣାଳୟ ଏକ ନୋଡାଲ ଏଜେନ୍ସି ଭାବେ କାମ କରୁଛି। ଆଦିବାସୀ ମନ୍ତ୍ରଣାଳୟକୁ ଏହି କ୍ଷମତା ମିଳିବା ପାଇଁ ଯଥେଷ୍ଟ ପ୍ରାୟସ କରିବାକୁ ପଡିଥିଲା। ଆଉ ଏବେ ଯେହେତୁ ଆଦିବାସୀ ମନ୍ତ୍ରଣାଳୟକୁ ସେହି ଦାୟିତ୍ୱ ମିଳିସାରିଛି ତେଣୁ ମନ୍ତ୍ରଣାଳୟ ସବୁ ରାଜ୍ୟକୁ ଏଥିପାଇଁ ଦାୟୀ କରିବା ଉଚିତ। ଜଙ୍ଗଲ ଅଧିକାର ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ନିରନ୍ତର ସହଯୋଗ କରିବା ଦରକାର। ଯେଉଁଥିରେ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଏକ କେନ୍ଦ୍ରୀୟ ସମନ୍ୱୟକାରୀ ଭୂମିକା ଗ୍ରହଣ କରିବ।
ଏବେବି ଗୋଷ୍ଠୀ ବନ ଅଧିକାରକୁ ସାବ୍ୟସ୍ତ କରିବାରେ ଓ ଏହାକୁ କାର୍ଯ୍ୟକାରୀ କରିବାରେ ଅନେକ ରାଜ୍ୟ ପଛୁଆ। ଆପଣଙ୍କ ମତରେ ସୁପ୍ରିମକୋର୍ଟରେ ଚାଲିଥିବା ଆଇନଗତ ବିତର୍କକୁ ଏହା କିପରି ପ୍ରଭାବିତ କରେ?
ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ଏହି ନିର୍ଦ୍ଦିଷ୍ଟ ମାମଲାରେ; ଗୋଷ୍ଠୀ ବନସମ୍ବଳ ଅଧିକାରକୁ ସ୍ୱୀକୃତି ଦେବା କିମ୍ବା ନାକଚ କରିବାଦେବା ଭଳି ପ୍ରସଙ୍ଗ କେବେହେଲେ ବିଚାର ପାଇଁ ଉଠିନି। ଏହି ଘଟଣାରେ ଏହା ଆନୁଷ୍ଠାନିକ ଭାବେ କୋର୍ଟର ବିଚାରଧୀନ ନୁହେଁ। କିନ୍ତୁ ଅନ୍ୟାନ୍ୟ ମାମଲାରେ ସୁପ୍ରିମକୋର୍ଟ ଗୋଷ୍ଠୀ ବନ ସମ୍ବଳ ଅଧିକାର (ସିଏଫ୍ଆର୍)କୁ ଗୁରୁତ୍ୱ ଦେଇଛି।
ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି ୨୦୧୩ ମସିହାରେ ନିୟୟମଗିରି ରାୟ। ଯେଉଁଥିରେ କୋର୍ଟ ଡଙ୍ଗରିଆ କନ୍ଧ ଭଳି ବିଶେଷ ଭାବେ ଅନୁନ୍ନତ ଜନଜାତିଙ୍କ ପାଇଁ ଗୋଷ୍ଠୀ ବନସମ୍ବଳ ଅଧିକାରର ସାମ୍ବିଧାନିକ ବୈଧତା, ସାମାଜିକ ବୈଧତାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥଲେ। ଯେଉଁଥିରେ କୋର୍ଟ ଗୋଷ୍ଠୀ ବନ ସମ୍ବଳ ଅଧିକାରକୁ ସମ୍ବିଧାନର ଧାରା ୨୫ ସହିତ ଜଡିତ କରି ବ୍ୟାଖ୍ୟା କରିଥିଲେ। ଯାହାକି ଧର୍ମ ଗ୍ରହଣ କରିବାର ସ୍ୱାଧୀନତା ଓ ଆଧ୍ୟାତ୍ମିକ ବିଶ୍ୱାସକୁ ଆପଣେଇବାର ସ୍ୱାଧୀନତା ଭଳି ମୌଳିକ ଅଧିକାରର କଥା କୁହେ। ଏହି ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ ଏକ ଗୁରୁତ୍ୱପୂର୍ଣ୍ଣ ଆଇନଗତ ମହତ୍ତ୍ୱ ରଖିଛି।
୨୦୨୪ ଡିସେମ୍ବରରେ ସୁପ୍ରିମକୋର୍ଟ ପୁଣିଥରେ ଗୋଷ୍ଠୀ ବନସମ୍ବଳ ଅଧିକାରର ଗୁରୁତ୍ୱ ଉପରେ ପୁଣିଥରେ ଆଲୋକପାତ କରିଥିଲେ। ଯେଉଁଥିରେ କୋର୍ଟ ପବିତ୍ରବନ( ସାକ୍ରେଡ ଗ୍ରୁଭ୍)ର ସାଂସ୍କୃତିକ ଓ ପରିସଂସ୍ଥାନଗତ ଗୁରୁତ୍ୱକୁ ସ୍ୱୀକାର କରିଥିଲେ। ଏହି ଦୁଇଟି ଯାକ ରାୟ ତିନି ଜଣିଆ ଖଣ୍ଡପୀଠ ଦ୍ୱାରା ପ୍ରଦାନ କରାଯାଇଥିଲା। ଏହା ନିଜେ ଗୋଷ୍ଠୀ ବନସମ୍ବଳ ଅଧିକାରର ଏକ ଶକ୍ତିଶାଳୀ ରାୟ।
ବର୍ତ୍ତମାନ ସମୟରେ ଗୋଷ୍ଠୀ ବନସମ୍ବଳ ଅଧିକାରକୁ ଚିହ୍ନଟ କରିବା ଓ ଏହାକୁ ସୁରକ୍ଷା ଦେବା ଅଧିକ ଜରୁରୀ ହୋଇ ପଡିଛି। ଗତ ଦୁଇ ତିନି ବର୍ଷ ଭିତରେ ଆମେ ଭାରତର ପରିବେଶ ସୁରକ୍ଷା ପାଇଁ ପ୍ରସ୍ତୁତ କରାଯାଇଥିବା ନିୟମ ବା ଢ଼ାଞ୍ଚାର ଗୁରୁତର କ୍ଷୟ ଦେଖିଛୁ। ଜଙ୍ଗଲ ସଂରକ୍ଷଣ ଆଇନ, ପରିବେଶ ସୁରକ୍ଷା ଆଇନ, ବାୟୂ ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ ଆଇନ, ଜଳ ପ୍ରଦୂଷଣ ନିବାରଣ ଓ ନିୟନ୍ତ୍ରଣ ଆଇନ ଭଳି ପ୍ରମୁଖ ଆଇନ ଗୁଡିକ ଦୁର୍ବଳ ହୋଇ ଯାଇଛି। ପୂର୍ବରୁ ଆଇନର ଖିଲାପକାରୀଙ୍କ ପାଇଁ ଦଣ୍ଡବିଧାନ ରଖାଯାଇଥିବା ବେଳେ ଏବେ ତାହାକୁ ଆର୍ଥିକ ଦଣ୍ଡାଦେଶ ଦ୍ୱାରା ପରିବର୍ତ୍ତନ କରାଯାଇଛି। ଉଦାହରଣ ଭାବେ ଭୋପାଳ ଗ୍ୟାସ ଦୁର୍ଘଟଣା ଭଳି ବିପର୍ଯ୍ୟୟରେ ଆମେ ଆଉ କାହାକୁ ଆଇନଗତ ଭାବେ ଦଣ୍ଡିତ କରି ପାରିବୁ ନାହିଁ।
ଏହି ସନ୍ଧର୍ଭରେ ମୁଁ କହିବି ଯେ ଜଙ୍ଗଲ ଅଧିକାର ଆଇନ ଭାରତର ଶେଷ ଓ ଏକମାତ୍ର ପ୍ରାକୃତିକ ସଂଶାଧନର ସଂରକ୍ଷଣ ଆଇନ ଅଟେ। ବନ୍ୟାପ୍ରାଣୀ ସୁରକ୍ଷା ଆଇନ ଏବଂ ଜଙ୍ଗଲ ସଂରକ୍ଷଣ ଆଇନ ଭଳି ଆଇନ ଗୁଡିକୁ ପ୍ରାୟତଃ ସଂରକ୍ଷଣ ଉପକରଣ ଭାବେ ଉଦ୍ଧୃତ କରାଯାଇଥିଲେ ବି ଏହି ଆଇନରେ ଆସିଥିବା ସଂଶୋଧନ ସେମାନଙ୍କର ସୁରକ୍ଷା କ୍ଷମତାକୁ ଯଥେଷ୍ଟ ଦୁର୍ବଳ କରି ଦେଇଛି। ଅପରପକ୍ଷରେ ଜଙ୍ଗଲ ଅଧିକାର ଆଇନ ଗ୍ରାମସଭା ଓ ପାରମ୍ପରିକ ବନବାସୀ ସମ୍ପ୍ରଦାୟଗୁଡିକୁ ଜଙ୍ଗଲ ଓ ଜୈବବିବିଧତାକୁ ସୁରକ୍ଷା ଦେବା ପାଇଁ କ୍ଷମତା ପ୍ରଦାନ କରେ। ଏହା ସଂରକ୍ଷକ ଭାବେ ସେମାନଙ୍କର ଐତିହାସିକ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିଥାଏ ଓ ସେମାନଙ୍କର ସାମୂହିକ ଶାସନ ବ୍ୟବସ୍ଥାକୁ ବୈଧ ବୋଲି ବିବେଚନା କରିଥାଏ।
ତେଣୁ ହଁ, ଯଦିଓ ସୁପ୍ରିମକୋର୍ଟଙ୍କ ଆଗରେ ବର୍ତ୍ତମାନର ମାମଲାରେ ଗୋଷ୍ଠୀ ବନସମ୍ବଳ ଅଧିକାର କେନ୍ଦ୍ରୀୟ ପ୍ରସଙ୍ଗ ନ ହୋଇପାରେ ତଥାପି ସେମାନଙ୍କର ସ୍ୱୀକୃତି ଏବଂ ଜଙ୍ଗଲ ଅଧିକାର ଆଇନ ଆଧାରରେ ଗ୍ରାମସଭାର ଭୂମିକା ଆଇନଗତ ଓ ପରିବେଶଗତ ଦୃଶ୍ୟପଟ୍ଟରେ ବେଶ ଗୁରୁତ୍ୱପୂର୍ଣ୍ଣ।
ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଏହି ମାମଲାରେ କ’ଣ ଭୂମିକା ଗ୍ରହଣ କରିଛନ୍ତି? ଜଙ୍ଗଲ ଅଧିକାର ଆଇନକୁ ସମର୍ଥନ କରି ନିଜର ସ୍ପଷ୍ଟ ଦୃଷ୍ଟିକୋଣ ରଖିଛନ୍ତି କି ନା?
ଯେହେତୁ ଜଙ୍ଗଲ ଅଧିକାର ଆଇନ ସଂସଦ ଦ୍ୱାରା ପ୍ରଣୀତ ଏକ କେନ୍ଦ୍ରୀୟ ଆଇନ ଅଟେ ତେଣୁ ଏହାକୁ ରକ୍ଷା କରିବା କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ ଦାୟିତ୍ତ୍ୱ। କେନ୍ଦ୍ର ସରକାରଙ୍କ ଭିତରେ ଆଦିବାସୀ ମନ୍ତ୍ରଣାଳୟ; ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ନୋଡାଲ ଏଜେନ୍ସି ଭାବରେ ଦାୟିତ୍ତ୍ୱ ବହନ କରେ। ତେଣୁ କୋର୍ଟରେ ଆଇନକୁ ପ୍ରତିନିଧିତ୍ୱ କରିବା ଓ ଏହାକୁ ରକ୍ଷା କରିବା ଦାୟିତ୍ତ୍ୱ ଆଦିବାସୀ ମନ୍ତ୍ରଣାଳୟର।
ଯଦି ଆମେ ବର୍ଷ ବର୍ଷ ଧରି ଦାଖଲ ହୋଇଥିବା ସରକାରୀ ରେକର୍ଡ ଏବଂ ସତ୍ୟପାଠଗୁଡିକୁ ଯାଞ୍ଚ କରିବା ତେବେ ଜାଣିପାରିବା ଯେ ଆଦିବାସୀ ମନ୍ତ୍ରଣାଳୟ ନିରନ୍ତର ଭାବେ ଜଙ୍ଗଲ ଅଧିକାର ଆଇନକୁ ସମର୍ଥନ କରି ଆସିଛି। ସେମାନଙ୍କର ଉପସ୍ଥାପନା ଜଙ୍ଗଲ ଅଧିକାର ଆଇନର ବୈଧତା ଓ ଗୁରୁତ୍ୱକୁ ଅଧିକ ବଳିଷ୍ଟ କରିଛି। ଯାହାକି ପ୍ରଶଂସନୀୟ।
ଯଦିଓ ରାଜ୍ୟ ସରକାରଗୁଡିକ କେନ୍ଦ୍ରୀୟ ଆଇନର ସାମ୍ବିଧାନିକତା ରକ୍ଷା କରିବା ପାଇଁ ସିଧାସଳଖ ଦାୟୀ ନୁହଁନ୍ତି। ତଥାପି ସେମାନେ ଏହି ଆଇନକୁ କାର୍ଯ୍ୟକାରୀ କରିବା ଦିଗରେ ଜଣେ ଜଣେ ପ୍ରତିବାଦୀ ଭାବେ ନିଜର ପକ୍ଷ ରଖି ପାରନ୍ତି। ମୋଟାମୋଟି ଭାବେ ରାଜ୍ୟ ସରକାର ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକ ମଧ୍ୟ ସେମାନଙ୍କର ସତ୍ୟପାଠରେ ଜଙ୍ଗଲ ଅଧିକାର ଆଇନକୁ ସମର୍ଥନ କରିଛନ୍ତି। ମୋର ବୁଝାମଣା ହିସାବରେ ଗୋଟିଏ ବି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ ଏହି ଆଇନକୁ ବିରୋଧ କରିନାହିଁ କିମ୍ବା ଏହାର କାର୍ଯ୍ୟକାରିତା ବିରୁଦ୍ଧରେ ଅଭିଯୋଗ ଦାଖଲ କରିନାହିଁ। ସମସ୍ତେ ଆବେଦନକାରୀଙ୍କ ଦାବିକୁ ବିରୋଧ କରିଛନ୍ତି ଏବଂ ଜଙ୍ଗଲ ଅଧିକାର ଆଇନର ବୈଧତା ଓ ଆବଶ୍ୟକତାକୁ ଦୃଢ଼ ସମର୍ଥନ କରିଛନ୍ତି।
ଏସବୁ ସତ୍ତ୍ୱେ ଚଳିତ ବର୍ଷଗୁଡିକରେ କୋର୍ଟରୁମ୍ ଭିତରେ ଏହାର ଗତିଶୀଳତାରେ ପରିବର୍ତ୍ତନ ଦେଖାଯାଉଛି। ପ୍ରାରମ୍ଭିକ ବର୍ଷଗୁଡିକରେ ଆଦିବାସୀ ମନ୍ତ୍ରଣାଳୟ ଏକା ଜଙ୍ଗଲ ଅଧିକାର ଆଇନକୁ ସ୍ୱୀକୃତି ଦେବାର ପ୍ରାଥମିକ ସ୍ୱର ଥିଲା। କିନ୍ତୁ ବର୍ତ୍ତମାନ ଏହା କୋର୍ଟରୁମ୍ ଭିତରେ ସକ୍ରିୟ ଭାବେ କାମ କରିବାରେ କିଛିଟା ପଛକୁ ଯାଇଥିବା ପରି ମନେ ହେଉଛି। ଅପରପକ୍ଷରେ ଜଙ୍ଗଲ, ପରିବେଶ ଓ ଜଳବାୟୂ ପରିବର୍ତ୍ତନ ମନ୍ତ୍ରଣାଳୟ ପୂର୍ବରୁ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟର ସ୍ଥିତିକୁ ସମର୍ଥନ କରିବାକୁ ମତ ରଖୁଥିବା ବେଳେ ଏବେ ସକ୍ରିୟ ଭାବେ ନିଜର ସ୍ପଷ୍ଟ ଓ ଦୃଢ଼ ମତ ପ୍ରକାଶ କରୁଛି।
ଏହି ମାମଲାରେ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଉ ସେଇଟା ହେଲା ଏଥିରେ ବନ ସର୍ବେକ୍ଷଣ ସଂସ୍ଥା (ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ) ଏକ ପକ୍ଷ ଭାବେ ଉଭା ହେବା ଏବଂ ଉପଗ୍ରହ ଚିତ୍ର ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯିବା। କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପରିବର୍ତ୍ତନ ପ୍ରକ୍ରିୟାଗତ ଢ଼ାଞ୍ଚରେ ଅଧିକ ଜଟିଳତା ସୃଷ୍ଟି କରିଛି। ଦୁର୍ଭାଗ୍ୟବଶତଃ କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ କୋର୍ଟରୁମ ପରିସରରେ ଏହି ବିଶ୍ଳେଷଣକୁ ପ୍ରତିହତ କରିବାରେ ସେତେଟା ସକ୍ରିୟ ନଥିବା ବେଳେ ଏହା ନିଶ୍ଚିତ ଭାବେ ଆସନ୍ତା ଦିନ ପାଇଁ ଏକ ଚିନ୍ତାର ବିଷୟ।
ଖଣି ତଥା ଭିତ୍ତିଭୂମି ବିକାଶ ପାଇଁ ଜଙ୍ଗଲ ଅଧିକାର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଉଥିବା ବେଳେ ଫରେଷ୍ଟ ଡାଇଭରସନ୍କୁ ଗ୍ରାମସଭା, ଆଇନରେ ଥିବା ପ୍ରଭାବଶାଳୀ ଧାରା ଅନୁସାରେ ରୋକି ପାରୁଛି କି?
ଏହା ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ମୋର ବିଶ୍ୱାସ ଆଦିବାସୀ ଓ ସେମାନଙ୍କ ଅଧିକାର ପାଇଁ କାମ କରୁଥିବା ସଙ୍ଗଠନମାନେ ନିଶ୍ଚିତ ଭାବେ ସୁପ୍ରିମକୋର୍ଟରେ ବଳିଷ୍ଠ ତଥ୍ୟ ଓ ପ୍ରମାଣ ରଖିବେ ଯେ ଗତ ଦଶନ୍ଧି ଧରି ବ୍ୟବସାୟିକ ଉଦ୍ଦେଶ୍ୟ ସାଧନ ପାଇଁ ଜମି ସ୍ଥାନାନ୍ତରଣ ଦ୍ରୁତ ଏବଂ ଚିନ୍ତାଜନକ ଭାବେ ବୃଦ୍ଧି ପାଇଛି।
ପରିବେଶ ଓ ଜଙ୍ଗଲ ସଂରକ୍ଷଣ ପାଇଁ ଜଙ୍ଗଲ ସଂରକ୍ଷଣ ଆଇନ ସମେତ ଅନ୍ୟାନ୍ୟ ପରିବେଶ ସୁରକ୍ଷା ସମ୍ବନ୍ଧିତ ଆଇନ ଥିବା ସତ୍ତ୍ୱେ ବ୍ୟବହାରିକ ସ୍ତରରେ ଏହା ଜଙ୍ଗଲ ସମ୍ପଦକୁ ସୁରକ୍ଷା ଦେବାରେ ଅସଫଳ ହୋଇଛି। ଘଟଣା କ୍ରମରେ ଆମେ ଦେଖିଛୁ ଯେ ଅନେକ ମାମଲାରେ ଗ୍ରାମ ସଭାର ସମ୍ମତିକୁ ବିକୃତ କରାଯାଇଛି କିମ୍ବା ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି। ଏହାଠାରୁ ଅଧିକ ଚିନ୍ତା ଜନକ ବିଷୟ ହେଉଛି ୨୦୨୩ର ଜଙ୍ଗଲ ସଂରକ୍ଷଣ ନିୟମାବଳୀ। ଯାହାକି ଗ୍ରାମସଭାର ସମ୍ମତିକୁ ସୁରକ୍ଷିତ କରିବାର ଦାୟିତ୍ୱ ରାଜ୍ୟ ସରକାରଙ୍କ ପାଖକୁ ସ୍ଥାନାନ୍ତରିତ ହୋଇଛି। ଯାହାଦ୍ୱାରା କେନ୍ଦ୍ର ସରକାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ତ୍ୱରୁ ପ୍ରାୟତଃ ଦୂରେଇ ଯାଇଛନ୍ତି।
ଏହା ଏକ ଭୟଙ୍କର ପରିସ୍ଥିତି ଏବଂ କୋର୍ଟକୁ ଏହି ବିଷୟରେ ସଚେତନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସାମ୍ପ୍ରତିକ ପରିସ୍ଥିତିକୁ ଆଖି ଅଗରେ ରଖି ନ୍ୟାୟାଳୟ ପର୍ଯ୍ୟବେକ୍ଷଣ କରି ଅନ୍ୟ କାମ ପାଇଁ କିପରି ଜଙ୍ଗଲ ପରିବର୍ତ୍ତନ ହେଉଛି ତାହାର ଗତି ଏବଂ ପରିମାଣ ବିଷୟରେ ଚିନ୍ତା ପ୍ରକାଶ କରିଛି। ଅନ୍ୟ କାମ ପାଇଁ ଜଙ୍ଗଲ ଜମିର ପରିବର୍ତ୍ତନ ଦିଗରେ ଭାରତ ସମଗ୍ର ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ଯାହାକି ଏତେ ଘନ ଜଙ୍ଗଲ ଥିବା ଓ ଜଙ୍ଗଲ ଉପରେ ନିର୍ଭରଶୀଳ ଜନସଂଖ୍ୟା ଥିବା ଦେଶ ପାଇଁ ଆଶ୍ଚର୍ଯ୍ୟଜନକ।
ଆମେ ପୂର୍ବରୁ ପରିବେଶର କୁପ୍ରଭାବକୁ ଦେଖି ଆସିଛୁ; ଯେପରିକି ରେକର୍ଡ ଭାଙ୍ଗୁଥିବା ଗ୍ରୀଷ୍ମ ପ୍ରବାହ, ଅନିୟମିତ ମୌସୁମୀ, ବନ୍ୟା ପରିମାଣରେ ବୃଦ୍ଧି ଏବଂ ଭୟଙ୍କର ମରୁଡ଼ି ପରିସ୍ଥିତି, କଠୋର ଶୀତ, ହିମଖଣ୍ଡ ତରଳିବା ଭଳି ପରିସ୍ଥିତି। ଏଗୁଡିକ କେବଳ ଜଳବାୟୂ ପରିବର୍ତ୍ତନର ସୂଚକ ନୁହେଁ, ଏଗୁଡ଼ିକ ଜଙ୍ଗଲ ଏବଂ ପରିବେଶକୁ ସୁରକ୍ଷା ଦେବାରେ ଏକ ଗଭୀର ଅବ୍ୟବସ୍ଥିତ ବିଫଳତାର କାହାଣୀ।
ଏଭଳି ପରିସ୍ଥିତିରେ ଜଙ୍ଗଲ ଅଧିକାର ଆଇନ କେବଳ ମାତ୍ର ଗୋଟିଏ ଓ ଶେଷ ଆଇନଗତ ସୁରକ୍ଷା ପ୍ରଦାନକାରୀ ଆଇନ ଭାବେ ଉଭା ହୋଇଛି। ଅନ୍ୟ କାମ ପାଇଁ ଜଙ୍ଗଲ ଜମିର ପରିବର୍ତ୍ତନ ପୂର୍ବରୁ ଗ୍ରାମସଭାର ସମ୍ମତି କେବଳ ଏକ ପ୍ରକ୍ରିୟାଗତ ପ୍ରତିବନ୍ଧକ ନୁହେଁ ବରଂ ଏହା ପରିବେଶଗତ ନ୍ୟାୟ ଏବଂ ଗଣତାନ୍ତ୍ରିକ ଶାସନ ଉଭୟରେ ନିହିତ ଏକ ମୂଳ ଅଧିକାର ଅଟେ।
ଜଙ୍ଗଲ ଉପରେ ନିର୍ଭରଶୀଳ ଆଦିବାସୀ ଓ ଅନ୍ୟାନ୍ୟ ପାରମ୍ପରିକ ବନବାସୀ ସମୁଦାୟ; ଯେଉଁମାନଙ୍କର ଗୋଷ୍ଠୀ ବନସମ୍ବଳ ଅଧିକାର ସ୍ୱୀକୃତ ହୋଇଛି ସେମାନେ ଜଙ୍ଗଲ ସଂରକ୍ଷଣ ନେଇ ସରକାରୀ କାର୍ଯ୍ୟଧାରା ଅପେକ୍ଷା ନିଜର ପ୍ରତିବଦ୍ଧତାକୁ ଅଧିକ ଦେଖାଇଛନ୍ତି।
ସେଥିପାଇଁ ଆଇନଗତ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳତା, ଅନ୍ୟ କାମ ପାଇଁ ଜଙ୍ଗଲ ପରିବର୍ତ୍ତନ ବୃଦ୍ଧିର ହାର, ପରିବେଶ ସୁରକ୍ଷାରେ ବିଫଳତା, ଭାରତର ଜଙ୍ଗଲ ସଂରକ୍ଷଣରେ ଗ୍ରାମସଭାର ଭାଗିଦାରିତା ଓ ବନ ଅଧିକାରୀଙ୍କୁ କ୍ଷମତା ପ୍ରଦାନ ଭଳି ପ୍ରସଙ୍ଗରେ ଅଦାଲତକୁ ସମସ୍ତ ତଥ୍ୟ ଓ ପରିସ୍ଥିତି ବିଷୟରେ କୋର୍ଟକୁ ସଠିକ ସୂଚନା ପ୍ରଦାନ କରିବା ଉଚିତ। ମୋର ବିଶ୍ୱାସ କି ଏହି ସଂଯୋଗ ସ୍ଥାପନ ହେଲା ପରେ କୋର୍ଟ ଆବେଦନକାରୀଙ୍କ ଅଭିଯୋଗକୁ ଭଲ ଭାବେ ବୁଝି ପାରିବେ।
ଯେଉଁଠାରେ ଜଙ୍ଗଲ ଅଧିକାରକୁ ସମ୍ମାନ ଦିଆଯାଇଛି ଏବଂ ଗୋଷ୍ଠୀ ବନସମ୍ବଳ ଅଧିକାରର ବ୍ୟବସ୍ଥାକୁ ସକ୍ଷମ କରାଯାଇଛି ସେଠାରେ ଜଙ୍ଗଲ ବୃଦ୍ଧି ପାଇବାରେ ଲାଗିଛି। କିନ୍ତୁ ଯେଉଁଠାରେ ଶିଳ୍ପ ବିକାଶ ଆଳରେ ଅଧିକାରକୁ ପ୍ରତ୍ୟାଖ୍ୟାନ କରାଯାଇଛି କିମ୍ବା କ୍ଷୂର୍ଣ୍ଣ କରାଯାଇଛି ସେଠାରେ ନିଶ୍ଚିତ ଭାବେ ବିନାଶ ଆସିଛି। ତେଣୁ ଏବେ ନ୍ୟାୟାଳୟ ଏହାକୁ ସ୍ପଷ୍ଟ ଭାବେ ଦେଖୁଛି କି ନାହିଁ ତାହା ସୁନିଶ୍ଚିତ କରିବା ଆମ ଉପରେ ନିର୍ଭର କରେ।
ଯଦି ନ୍ୟାୟାଳୟଙ୍କ ନିଷ୍ପତ୍ତି ଅନୁସାରେ ଜଙ୍ଗଲ ଅଧିକାର ଆଇନରେ ଅଧିକାର ନ ମିଳେ, ତେବେ ଗ୍ରାମବାସୀମାନେ କ’ଣ କରିବେ?
ମୁଁ ଭାବୁଛି ଯେ, ଏହି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତରଫରୁ ଚୂଡ଼ାନ୍ତ ରାୟ ଆସିବାକୁ ଆହୁରି ଅନେକ ସମୟ ଲାଗିପାରେ। ଏ ପର୍ଯ୍ୟନ୍ତ କୋର୍ଟରେ ଯେଉଁମାନେ ଉପସ୍ଥିତ ରହିଛନ୍ତି; ଯେପରିକି କେନ୍ଦ୍ର ସରକାରଙ୍କ ଓକିଲ, ସମସ୍ତ ରାଜ୍ୟ ସରକାର ଓ ଆଦିବାସୀ ଅଧିକାର ପାଇଁ ଲଢ଼େଇ ଜାରି ରଖିଥିବା ଅନୁଷ୍ଠାନମାନେ; ସମସ୍ତଙ୍କର ଲକ୍ଷ୍ୟ ହେବା ଜରୁରୀ କି ନ୍ୟାୟାଳୟ ମାନନ୍ତୁ ଯେ ଜଙ୍ଗଲ ଅଧିକାର ଆଇନର ସାମ୍ବିଧାନିକ ବୈଧତା ଅଛି। ଏହାକୁ କୌଣସି ଉପାୟରେ ବଦଳାଇବା, ପରିସରକୁ ପୁନଃ ବ୍ୟାଖ୍ୟା କରିବା କିମ୍ବା ସଙ୍କୁଚିତ କରିବାକୁ ଚେଷ୍ଟା ନ କରନ୍ତୁ।
ଦୁଇ ବର୍ଷରୁ ଅଧିକ ସମୟ ଧରି ବ୍ୟାପକ ବିତର୍କ ହେବା ପରେ ଜଙ୍ଗଲ ଅଧିକାର ଆଇନ ଗୃହୀତ ହୋଇଥିଲା। ଆମେ ଭୁଲି ଯିବା ଉଚିତ ନୁହେଁ ଯେ ମାନ୍ୟବର ନ୍ୟାୟାଳୟ ଏପରପି ଦୀର୍ଘ ସମୟ ଧରି କୌଣସି ମାମଲାର ଶୁଣାଣି କରନ୍ତି ନାହିଁ। କାରଣ ଆଇନକୁ ଦ୍ୱିତୀୟ ଥର ପାଇଁ ପ୍ରସ୍ତୁତ କରିବା ନ୍ୟାୟାଳୟର କାମ ନୁହେଁ। ଏବେ ଜଙ୍ଗଲ ଅଧିକାର ଆଇନ ଯେପରି ଅଛି, ଏହା ଏକ ଶକ୍ତିଶାଳୀ ଓ ଭଲ ଢ଼ଙ୍ଗରେ ତିଆରି ହୋଇଥିବା ଆଇନ ଅଟେ। ଗତ ୧୭ ବର୍ଷ ହେଲା ଏହା ଯେପରି ଭାବେ ସାକାରାତ୍ମକ ଢ଼ଙ୍ଗରେ କାର୍ଯ୍ୟକାରୀ ହୋଇଆସିଛି ତାହାକୁ ଗୁରୁତ୍ୱ ଦିଆଯିବା ଉଚିତ। ଏହାକୁ ଆଉଥରେ ବଦଳାଇବା ଜରୁରୀ ନୁହେଁ।
ବର୍ତ୍ତମାନ ଜଙ୍ଗଲ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବାରେ କୌଣସି ସ୍ଥଗିତାଦେଶ ନାହିଁ। ଏହାର ଅର୍ଥ କୌଣସି ସମ୍ପ୍ରଦାୟ ଏବଂ ତୃଣମୂଳ ସ୍ତରରେ କାମ କରୁଥିବା ସଙ୍ଗଠନଗୁଡିକ ସକ୍ରିୟ ଭାବେ ଏହାର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ ପାଇଁ ଲାଗି ପଡିବା ଉଚିତ। ଉଦାହରଣ ସ୍ୱରୂପ ଯେଉଁଠାରେ ରାଜ୍ୟ ସରକାରମାନେ ଆଦିବାସୀ ଓ ଅଣଆଦିବାସୀ ବନବାସୀଙ୍କ ମଧ୍ୟରେ ଫରକ ଦେଖୁଛନ୍ତି ସେଠାରେ ଆମକୁ ଜୋର ଦେବାକୁ ପଡିବ ଯେ ଉଭୟ ଗୋଷ୍ଠୀ ଆଇନ ଅନୁଯାୟୀ ସ୍ୱୀକୃତି ପାଇବାକୁ ଯୋଗ୍ୟ। ଯେଉଁଠାରେ ରାଜ୍ୟ ସରକାର ଯୁକ୍ତି ରଖନ୍ତି ଜଙ୍ଗଲ ଅଧିକାର ଆଇନ; ଯେ ରାଜସ୍ୱ ଜଙ୍ଗଲ, ସଂରକ୍ଷିତ ଜଙ୍ଗଲ, ଜାତୀୟ ଉଦ୍ୟାନ ବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅଞ୍ଚଳରେ ଲାଗୁ ହୁଏ ନାହିଁ; ସେଠାରେ ଆମକୁ ଦାବି କରିବାକୁ ପଡ଼ିବ ଯେ ଜଙ୍ଗଲ ଅଧିକାର ଆଇନ ସମସ୍ତ ପ୍ରକାର ସଂରକ୍ଷିତ ଜଙ୍ଗଲ ଅଞ୍ଚଳ ଏପରିକି କୋର ଅଞ୍ଚଳରେ ବି ଲାଗୁ ହୁଏ। ଯେଉଁଠି ଉପଗ୍ରହ ଚିତ୍ର ଦ୍ୱାରା ସବୁ ଦାବି ପ୍ରମାଣିତ କରାଯିବା କଥା କୁହାଯାଉଛି ସେଠାରେ ଆମେ ବିରୋଧ କରି କହିବା ଦରକାର ଯେ ଜଙ୍ଗଲ ଅଧିକାର ଆଇନ ଏମିତି କୌଣସି ଅଧିକାର ବନ ବିଭାଗକୁ ପ୍ରଦାନ କରିନାହିଁ। ଯାଞ୍ଚ ପ୍ରକ୍ରିୟା ରିମୋଟ ସେନ୍ସିଂ ନୁହେଁ; ବରଂ ସବୁବେଳେ ସତ୍ୟ ଘଟଣା ଆଧାରିତ ହେବା ଦରକାର ଓ ନିର୍ଦ୍ଦଷ୍ଟ ଗେ।।ଷ୍ଠୀଙ୍କ ସାକ୍ଷ୍ୟ ଉପରେ ଆଧାରିତ ହେବା ଦରକାର।
ସଂକ୍ଷେପରେ କହିବାକୁ ଗଲେ ତୃଣମୂଳସ୍ତରରେ କରାଯାଇଥିବା ପ୍ରୟାସ ସବୁବେଳେ ଗୁରୁତ୍ୱପୂର୍ଣ୍ଣ ଅଟେ। ଯେପରିକି ଭବିଷ୍ୟତରେ ସାମ୍ବିଧାନିକ ବୈଧତା କିମ୍ବା ସମୀକ୍ଷା ଆବେଦନ ଭଳି ତଥ୍ୟ ବୈଷୟିକ ଭାବେ ଉପଲବ୍ଧ ହୋଇପାରେ। ତେବେ ଜଙ୍ଗଲ ଅଧିକାର ଆଇନର ବହୁଳ ବ୍ୟବହାର ଆଇନଗତ ସ୍ଥିରତାକୁ ଦର୍ଶାଉଛି। ଯେଉଁମାନେ ଜଙ୍ଗଲ ଅଧିକାର ଆଇନ ବଳରେ ବ୍ୟକ୍ତିଗତ ଅଧିକାର ଓ ଗୋଷ୍ଠୀ ଜଙ୍ଗଲ ଅଧିକାର ପାଇ ସାରିଛନ୍ତି ସେମାନେ ଆଜିର ଦିନରେ ଗୋଷ୍ଠୀ ବନସମ୍ବଳ ପରିଚାଳନା କମିଟି ପ୍ରତିଷ୍ଠା କରି ପାରିଛନ୍ତି ଓ ନିଜର ଅଧିକାରକୁ ବ୍ୟବହାର କରି ପାରୁଛନ୍ତି।
ବର୍ତ୍ତମାନ ସମୟରେ ଜଙ୍ଗଲ ଅଧିକାର ଆଇନ ଏହାର ପୂର୍ଣ୍ଣ କ୍ଷମତାର ମାତ୍ର ୧୩-୧୪% ଜାଗାରେ ଓ ଗୋଷ୍ଠୀ ବନ ସମ୍ବଳ ଅଧିକାର ମାତ୍ର ୧୦% ସ୍ଥାନରେ କାର୍ଯ୍ୟକାରୀ ହୋଇ ପାରିଛି। ଯଦି ଆଗାମୀ ଦୁଇରୁ ଚାରି ବର୍ଷ ପର୍ଯ୍ୟନ୍ତ ଏହି ସଂଖ୍ୟାକୁ ବୃଦ୍ଧି କରିବା ଦିଗରେ କାମ କରାଯାଏ ତେବେ ଏହା ୨୦% ବା ତା’ଠୁ ଅଧିକ ହେବ। ଏଦିଗରେ ଆମେ ଏକ ଦୃଢ଼ ଆଇନଗତ ଓ ନୈତିକ ଉଦାହରଣ ସୃଷ୍ଟି କରି ପାରିଥିବୁ ବୋଲି କୁହାଯାଇ ପାରେ।
ଏହା ଗୁରୁତ୍ୱପୂର୍ଣ୍ଣ ଅଟେ। କାରଣ ଯେତେବେଳେ ତୃତୀୟ ପକ୍ଷଙ୍କ ଅଧିକାରକୁ ଆଇନଗତ ଭାବେ ସୃଷ୍ଟି ଓ ସ୍ୱୀକୃତି ପ୍ରାପ୍ତ କରାଯାଏ; ସେତେବେଳେ ଏହାକୁ ପୂର୍ବ ଅବସ୍ଥାକୁ ଫେରାଇ ଆଣିବା ଅତ୍ୟନ୍ତ କଷ୍ଟକର ହୋଇପଡେ। ଏଭଳି ସ୍ଥଳେ ସୁପ୍ରିମକୋର୍ଟ ମଧ୍ୟ ଆଇନଗତ ଭାବେ ଜାରି ହୋଇଥିବା ହଜାର ହଜାର ଜଙ୍ଗଲ ଅଧିକାର ପତ୍ରକୁ ଅମାନ୍ୟ କରିବାକୁ ସଙ୍କୋଚ କରିବେ।
ତେଣୁ ଆଇନଗତ ଦୃଷ୍ଟିକୋଣରୁ ଏହା ଏକ ସୁଯୋଗ। ତେଣୁ ଆମକୁ ତୁରନ୍ତ ସମନ୍ୱୟ ଏବଂ ସ୍ପଷ୍ଟତାର ସହ କାମ କରିବାକୁ ପଡିବ। ଆଇନ ସ୍କୁଲରେ ଆମେ ଏକ ପୁରୁଣା କଥା ଶିଖିଛୁ; ‘ଅଧିକାର ହେଉଛି ଆଇନର ୯ କିମ୍ବା ୧୦ ଭାଗ’। ଯଦି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବା ଗୋଷ୍ଠୀ ଆଇନଗତ ଭାବେ ଜଙ୍ଗଲକୁ ଅଧିକୃତ କରିଥାଆନ୍ତି; ତେବେ ସେମାନଙ୍କୁ ବିସ୍ଥାପିତ କରିବା ଅନ୍ୟନ୍ତ କଷ୍ଟକର ବ୍ୟାପାର। ଏପରିକି ଦେଶର ସର୍ବେର୍ାଚ୍ଚ ନ୍ୟାୟାଳୟ ବି ତାଙ୍କୁ ବିତାଡିତ କରି ପାରିବେ ନାହିଁ।
କୋର୍ଟଙ୍କ କାର୍ଯ୍ୟକରିବାର ପଦ୍ଧତି କିମ୍ବା ସାର୍ବଜନୀନ ବିତର୍କରେ ଅଧିକ ତୃଣମୂଳ ସ୍ତରର ସାକ୍ଷ୍ୟ ଅନ୍ତର୍ଭୁକ୍ତ ହେବା ଉଚିତ ବୋଲି ଆପଣ ଭାବୁଛନ୍ତି କି?
ହଁ, ନିଶ୍ଚିତ ଭାବେ। ଏହା କିଛି ପରିମାଣରେ ଘଟୁଛି। ୨୦୧୯ରେ ଯେତେବେଳେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଶୁଣାଣିର ଆଦ୍ୟପର୍ବ ଥିଲା ସେତେବେଳେ ବିଭିନ୍ନ ତୃଣମୂଳ ସ୍ତରର ସଙ୍ଗଠନ, ଆଦିବାସୀଙ୍କ ଅଧିକାର ପାଇଁ କାମ କରୁଥିବା ଗୋଷ୍ଠୀ ଓ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଅନେକ ଆବେଦନ ଦାଖଲ କରାଯାଇଥିଲା। ଏହି ସାକ୍ଷ୍ୟଗୁଡିକ କୋର୍ଟରେ ଶକ୍ତିଶାଳୀ କାହାଣୀ ଓ ଜୀବନ୍ତ ଅଭିଜ୍ଞତା ପ୍ରଦାନ କରିଛନ୍ତି।
ଏହାର ଏକ ବଳିଷ୍ଠ ଉଦାହରଣ ହେଉଛି ଉତ୍ତରପ୍ରଦେଶର ସାହାରନ୍ପୁର ଜଙ୍ଗଲର ମହିଳା ବନବାସୀମାନଙ୍କ ଦ୍ୱାରା ଦାଖଲ କରାଯାଇଥିବା ଆବେଦନ। ଯେଉଁଥିରେ ସେମାନେ ବର୍ଣ୍ଣନା କରିଛନ୍ତି ଯେ ଜଙ୍ଗଲ ଅଧିକାର ଆଇନ ବଳରେ ସେମାନଙ୍କର ଜୀବନ କିପରି ପରିବର୍ତ୍ତନ ହୋଇ ପାରିଛି। ସେମାନେ କହିଛନ୍ତି ତାଙ୍କର ଜୀବନ ଗଛ କାଟି କିମ୍ବା ଜଙ୍ଗଲକୁ ନଷ୍ଟ କରି ପରିବର୍ତ୍ତନ ହୋଇନି ବରଂ ସେମାନଙ୍କୁ ମିଳିଥିବା ସମ୍ମାନ, ସୁଯୋଗ ଓ ସୁରକ୍ଷା ଏହି ପରିବର୍ତ୍ତନ ଆଣି ପାରିଛି। ଏହି ମହିଳାମାନେ ଜଙ୍ଗଲକୁ ଲାଗି ଥିବା ଏକ ଛୋଟ ଜାଗାରେ ଚାଷ ଜମି କରିବା ସହ ନିଜର ପିଲାମାନଙ୍କୁ ସ୍କୁଲ ଓ ବିଶ୍ୱବିଦ୍ୟାଳୟ ପଠାଇ ପାରିଛନ୍ତି। ଅପମାନଜନକ ସ୍ଥିତିରୁ ବି ସେମାନେ ଏବେ ବାହାରି ପାରିଛନ୍ତି। ଏଗୁଡିକ ହେଉଛି ଗୁରୁତ୍ୱପୂର୍ଣ୍ଣ ଓ ବାସ୍ତବତା ଯାହାକୁ କୋର୍ଟ ଶୁଣିବା ଦରକାର। ଏହା ଜଙ୍ଗଲକୁ ସୁରକ୍ଷା ଦେବା ଓ ସଂରକ୍ଷିତ ରଖିବାର ସଶକ୍ତ କାହାଣୀ ଯାହା ଜଙ୍ଗଲର କ୍ଷତି ନ କରି ତାହାକୁ ବିକାଶ କରିବାରେ ସାହାଯ୍ୟ କରେ।
ଆଉ ଏକ କାହାଣୀ ଜଙ୍ଗଲ ଅଧିକାର ଆଇନକୁ ସମର୍ଥନ କରୁଥିବା ସଂରକ୍ଷଣବାଦୀଙ୍କ ଗୋଷ୍ଠୀରୁ ଆସିଛି। ଗୋଷ୍ଠୀ ସହଭାଗିତାରେ କରାଯାଇଥିବା ଜଙ୍ଗଲ ସଂରକ୍ଷଣ କିପରି ଜୈବବିବିଧତାର ସୁରକ୍ଷା କରିବା ସହ ବନ୍ୟପ୍ରାଣୀଙ୍କ ସୁରକ୍ଷା କରିପାରିଛି ତାହା ସେମାନେ ବର୍ଣ୍ଣନା କରିଛନ୍ତି। ସବୁଠାରୁ ବଡ କଥା ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଜଙ୍ଗଲ ସୁରକ୍ଷା ଆଇନ ଅଧୀନରେ ଏଭଳି ସଂରକ୍ଷଣର ଢ଼ାଞ୍ଚାକୁ ପୂର୍ବରୁ କେବେହେଲେ କଳ୍ପନା କରାଯାଇ ପାରିନଥିଲା।
ସଫଳତା, ସଶକ୍ତିକରଣ, ସାହାସ ଓ ନବସୃଜନର ଏଭଳି କାହାଣୀ ସାଧାରଣ ବିତର୍କ ଏବଂ କୋର୍ଟ ଆଲୋଚନାର ଅଂଶ ହେବା ଦରକାର। ଆମେ ସବୁବେଳେ ଆତ୍ମରକ୍ଷା କରିପାରିବୁ ନାହିଁ କି ଜିଦ୍ ଧରି ପାରିବୁ ନାହିଁ; କି ଜଙ୍ଗଲ ଅଧିକାର ଆଇନ ଜୈବବିବିଧତାର କ୍ଷତି କରୁନାହିଁ କି ଜଙ୍ଗଲ ଅବକ୍ଷୟର କାରଣ ନୁହେଁ। ଆମକୁ ଆତ୍ମ ବିଶ୍ୱାସର ସହ କହିବାକୁ ପଡିବ କି ଜଙ୍ଗଲ ଅଧିକାର ଆଇନ ଏକ ପରିବର୍ତ୍ତନକାରୀ ଆଇନ ଅଟେ। ଯାହା ଆମର ଆତ୍ମବିଶ୍ୱାସକୁ ଫେରାଇ ଆଣିବାରେ, ପାରମ୍ପରିକ ଜ୍ଞାନକୁ ସ୍ୱୀକୃତି ଦେବାରେ ଓ ଜଙ୍ଗଲ ସଂରକ୍ଷଣରେ ବନବାସୀଙ୍କ ଯୋଗଦାନକୁ ସ୍ୱୀକାର କରେ।
ଶେଷରେ ଏତିକି କହିବି ଜଙ୍ଗଲ ଅଧିକାର ଆଇନ କେବଳ ଗଛକୁ ସୁରକ୍ଷା ଦିଏନି ବରଂ ଏହା ଜଙ୍ଗଲ ଉପରେ ନିର୍ଭରଶୀଳ ସମୁଦାୟଙ୍କ ଅଧିକାର, ବୁଦ୍ଧିମତ୍ତା ଓ ପୂର୍ଣ୍ଣ ନାଗରିକତାକୁ ସ୍ୱୀକୃତି ପ୍ରଦାନ କରିଥାଏ। ଏହି ବିଷୟଗୁଡିକ ଉଭୟ କୋର୍ଟ ରୁମ ଓ ଜାତୀୟ ଆଲୋଚନାରେ ସ୍ଥାନ ପାଇବା ଦରକାର।
ଶେଷରେ ଏହି ମାମଲାର ଫଳାଫଳକୁ ଅପେକ୍ଷା କରି ରହିଥିବା ଅଗଣିତ ଆବେଦନକାରୀ, ଆଦିବାସୀଙ୍କ ଅଧିକାର ପାଇଁ କାମ କରୁଥିବା କର୍ମୀ ଏବଂ ବନବାସୀ ସମୁଦାୟଙ୍କ ପାଇଁ ଆପଣଙ୍କର ବାର୍ତ୍ତା କ’ଣ ରଖିବେ?
ମୋର ବାର୍ତ୍ତା ହେଉଛି ସୁପ୍ରିମକୋର୍ଟରେ ଚାଲିଥିବା ମାମଲାକୁ ନେଇ ଆପଣମାନେ ଭୟଭୀତ ହୁଅନ୍ତୁ ନାହିଁ। ଭୁଲ୍ ସୂଚନା, ଭୟ, ଧମକ ଓ ନିରାଶରେ ଭରା ପରିବେଶକୁ ଆପଣଙ୍କ ଚାରିପାଖରେ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ। ସୂଚନା ବିଷୟରେ ଅବଗତ ରୁହନ୍ତୁ, ଏକତାର ବନ୍ଧନରେ ବାନ୍ଧନ୍ତୁ ଓ ସାହସର ସହ ଅପେକ୍ଷା କରନ୍ତୁ।
ଏହି ସମୟ ଆପଣଙ୍କ ପାଇଁ ଦାବି ଦାଖଲ କରିବାର, ଗୋଷ୍ଠୀ ଜଙ୍ଗଲ ଅଧିକାର, ଗୋଷ୍ଠୀ ବନସମ୍ବଳ ଅଧିକାର ଓ ଗୋଷ୍ଠୀ ବନସମ୍ବଳ ପରିଚାଳନା ଯୋଜନା ପ୍ରସ୍ତୁତ କରି ଭବିଷ୍ୟତ ପାଇଁ କାର୍ଯ୍ୟପନ୍ଥା ତିଆରି କରିବାର ସମୟ। ଜଙ୍ଗଲ ଅଧିକାର ଆଇନ କେବଳ ଏକ ଆଇନଗତ ଦଲିଲ ନୁହେଁ ବରଂ ଏହା ଦଶନ୍ଧି ଧରି ଚାଲିଥିବା ସଂଘର୍ଷର ଫଳାଫଳ।
ଆମକୁ ବିଶ୍ୱାସ କରିବାକୁ ପଡିବ ଯେ ସୁପ୍ରିମକୋର୍ଟ ଏକ ନ୍ୟାୟପୂର୍ଣ୍ଣ ଓ ସଠିକ ସାମ୍ବିଧାନିକ ନିଷ୍କର୍ଷରେ ପହଞ୍ଚିବେ। ନ୍ୟାୟାଳୟ ଦ୍ୱାରା ପୂର୍ବରୁ ଜଙ୍ଗଲ ଅଧିକାର ଆଇନକୁ ସମର୍ଥନ କରାଯାଇଛି। ୨୦୧୩ରେ ହୋଇଥିବା ଐତିହାସିକ ନିୟମଗିରି ମାମଲା; ଯେଉଁଥିରେ କୋର୍ଟ ସୁପ୍ରିମକୋର୍ଟର ଧାରା ୨୫ ଅନୁଯାୟୀ ନିର୍ଦ୍ଦିଷ୍ଟ ଜନଜାତି ସମୂହକୁ ଜଙ୍ଗଲ ସହ ଥିବା ସେମାନଙ୍କର ସାଂସ୍କୃତିକ ଓ ଆଧ୍ୟାତ୍ମିକ ସମ୍ପର୍କକୁ ସ୍ୱୀକୃତି ପ୍ରଦାନ କରିଥିଲେ। ପୁଣି ଏବେ ପବିତ୍ରବନରେ ଗୋଷ୍ଠୀ ବନ ସମ୍ବଳ ଅଧିକାରକୁ ସ୍ୱୀକୃତି ଦେଇଛନ୍ତି।
ଆଇନ ଆମ ସପକ୍ଷରେ ଅଛି ଜାଣି ଏବେ ଆମେ ସମସ୍ତେ ଭୟରେ ନୁହେଁ ବରଂ ସାହାସର ସହ ଆଗକୁ ବଢ଼ିବା। ଜଙ୍ଗଲ ଅଧିକାର ଆଇନ ଏକ ଜୀବନ୍ତ ଆଇନ। ତେଣୁ ଏହାକୁ ଆମେ କେବଳ କାଗଜ କଲମରେ ସୀମିତ ହେବାକୁ ଦେବାନି ବରଂ ସମ୍ପୂର୍ଣ୍ଣ ଶକ୍ତି ଓ ସଂକଳ୍ପ ସହ ଏହାର କାର୍ଯ୍ୟକାରିତାକୁ ଆଗେଇ ନେବା। ଆଇନ ପାଇଁ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଲଢ଼େଇ ଜାରି ରଖିଥିବା ଅଗଣିତ ଲୋକଙ୍କ ପାଇଁ ଆମେ ଯେପରି ଋଣି ଠିକ ସେହିପରି ଭବିଷ୍ୟତ ପିଢ଼ି ପାଖରେ ବି ଋଣି।